Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ବିରୋଧରେ ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ କେବେ ଆଲୋଚନା ହେବ, ତା’ର ତାରିଖ ସାମ୍ନାକୁ ଆସିଛି। ଆସନ୍ତା ଅଗଷ୍ଟ ୮ରୁ ୧୦ ତାରିଖ ଯାଏ ଲୋକସଭାରେ ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ।

୩ ଦିନ ଧରି ବିଭିନ୍ନ ଦଳର ସାଂସଦମାନେ ବିଭିନ୍ନ ପ୍ରସଙ୍ଗରେ ମତ ରଖିବେ। ସେହିପରି ଅଗଷ୍ଟ ୧୦ ଅର୍ଥାତ ଆଲୋଚନାର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି ନିଜର ପକ୍ଷ ରଖିବା ସହ ବିରୋଧୀ ଉଠାଇବାକୁ ଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବେ। ମୋଦି ପକ୍ଷ ରଖି ସାରିବା ପରେ ଅନାସ୍ଥା ପ୍ରସ୍ତାବ ଉପରେ ଗୃହରେ ଭୋଟ ହେବ।

ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ମତ ରଖନ୍ତୁ ବୋଲି ଦାବି କରି ଏଯାଏ ନିରାଶ ହୋଇଥିବା ବିରୋଧୀ ଜୁଲାଇ ୨୬ରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ପାଇଁ ନୋଟିସ ଦେଇଥିଲେ। ମୋଦି ବିରୋଧୀଙ୍କ ଦାବି ଅନୁସାରେ ମଣିପୁର ପ୍ରସଙ୍ଗରେ ମୁହଁ ଖୋଲୁ ନଥିବାରୁ ସେମାନେ ଏପରି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।

ତେବେ ସଂଖ୍ୟା ଉପରେ ଯଦି ନଜର ପକାଇବା, ତା’ହେଲେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବେଶ ସହଜରେ ଏହି ଅନାସ୍ଥା ପ୍ରସ୍ତାବକୁ ମାତ ଦେଇପାରିବେ। ସେହିପରି ଏନଡିଏରେ ନଥିବା ଓଡ଼ିଶାର କ୍ଷମତାସୀନ ବିଜେଡି ମଧ୍ୟ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବୋଲି କହିଛି।

ତେଣୁ ବିଜେପି ସରକାର ପ୍ରତି ଅନାସ୍ଥାର କୌଣସି ଭୟ ନାହିଁ। ତଥାପି ମଣିପୁର ପ୍ରସଙ୍ଗରେ ବିରୋଧୀ କରୁଥିବା ଦାବି ଏହି ଅନାସ୍ଥା ପ୍ରସ୍ତାବ ଦ୍ୱାରା ପୂରଣ ହେବ। କାରଣ ପ୍ରଧାନମନ୍ତ୍ରୀ ମୋଦି ଏବେ ଯେମିତି ହେଲେ ବି ଗୃହରେ ମଣିପୁର ପ୍ରସଙ୍ଗରେ ପକ୍ଷ ରହିବାକୁ ବାଧ୍ୟ ହେବେ।

Leave a Reply

Your email address will not be published. Required fields are marked *