Spread the love

ଆଶ୍ଚର୍ଯ୍ୟ। ଅପ୍ରତ୍ୟାଶିତ। ସୌଭାଗ୍ୟ। ଯାହା କହିଲେ ବି ଏବେ ସାମ୍ନାକୁ ଆସିଥିବା ଘଟଣା ପାଇଁ ସବୁ କିଛି ଫିକା ପଡ଼ିଯିବ। କାରଣ ଫିଲ୍ମ ଷ୍ଟାଇଲରେ ନିଜ ମା’ଙ୍କୁ ଠାବ କରିଛନ୍ତି ଜଣେ ବ୍ୟକ୍ତି। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୩୫ ବର୍ଷ ପରେ ବ୍ୟକ୍ତି ଜଣଙ୍କ ନିଜ ହଜିଲା ମା’ଙ୍କୁ ପାଇଛନ୍ତି।

ମୌସୁମୀ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ପଞ୍ଜାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ୟକ୍ତି ଜଣଙ୍କ ଜଳବନ୍ଦୀ ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିଜର ଟିମ ସଦସ୍ୟଙ୍କ ସହ ଯାଇଥିଲେ। ଏହି ସମୟରେ ସେ ନିଜ ମା’ଙ୍କୁ ଦେଖି ପୂରା ସ୍ତବ୍ଧ ହୋଇଯାଇଛନ୍ତି।

ଏପରି ସୌଭାଗ୍ୟବାନ ବ୍ୟକ୍ତି ଜଣଙ୍କ ହେଲେ ସ୍ୱେଚ୍ଛାସେବୀ ଜଗଜିତ ସିଂହ। ଲୋକଙ୍କୁ ଉଦ୍ଧାର କରିବା ପରେ ସେ ନିଜ ମା’ ହରଜିତ କୌରଙ୍କୁ ଠାବ କରିଛନ୍ତି। ପଟିଆଲା ଗାଁରେ ଥିବା ଜଗଜିତଙ୍କ ଅଜାଆଈଙ୍କ ଘରୁ ସେ ନିଜ ମା’ଙ୍କୁ ଜୁଲାଇ ୨୦ରେ ଠାବ କରିଥିଲେ। ସେ ଫେବୁକରେ ଏହାର ଫଟୋ ପୋଷ୍ଟ କରିବା ସହ ନିଜର ଭାବପ୍ରବଣତାକୁ ଅଟକାଇ ପାରି ନଥିଲେ ବୋଲି ସମସ୍ତଙ୍କୁ ଅବଗତ କରାଇଛନ୍ତି।

ଜଗଜିତ ୬ ମାସର ଥିବା ବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ହରଜିତ ଦ୍ୱିତୀୟ ବିବାହ କରିଥିଲେ। କିନ୍ତୁ ଜଗଜିତଙ୍କୁ ୨ ବର୍ଷ ବୟସ ହୋଇଥିଲା ବେଳେ ଜେଜେ ଓ ମା’ ତାଙ୍କୁ ନିଜ ପାଖକୁ ନେଇ ଆସିଥିଲେ। ସେ ବଡ଼ ହେବା ସହ ବାପା ମା’ଙ୍କ ସମ୍ପର୍କରେ ପଚାରି ଥିଲେ। ଏହି ସମୟରେ ବାପା ମା’ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇ ସାରିଥିବା ତାଙ୍କୁ ପରିବାର ଲୋକ କହିଥିଲେ। ଜଗଜିତ ମଧ୍ୟ ସବୁ କିଛି ବୁଝି ନିଜ ଭାଗ୍ୟକୁ ଆଦରି ରହିଥିଲେ।

ଇତି ମଧ୍ୟରେ ପ୍ରାୟ ୩୦ ବର୍ଷ ବିତି ଯାଇଥିଲା। ଭାଗ୍ୟ ଏମିତି ଖେଳ ଖେଳିଥିଲା ଯେ ମା’ ଓ ପୁଅଙ୍କ ଭେଟଘାଟ ପଟିଆଲାର ଭୋହାରପୁର ଗାଁରେ ହୋଇଛି। ଜଣେ ଆଧ୍ୟାତ୍ମିକ ସିଙ୍ଗର ଭାବେ କ୍ୟୁଆଡିଆନରେ ଥିବା ମୁଖ୍ୟ ଗୁରୁଦ୍ୱାରରେ ଜଗଜିତ ସେବା ଯୋଗାନ୍ତି।

କିନ୍ତୁ ନିକଟରେ ବର୍ଷା ଯୋଗୁ ବନ୍ୟା ହେବାରୁ ଗୁରଜିତ ନିଜ ଏନଜିଓ ଟିମ ସହ ପଟିଆଲାରେ ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚିଥିଲେ। ତେବେ ଏହି ସମୟରେ ତାଙ୍କର ଜଣେ ପିଉସୀ ଫିଲ୍ମ ଷ୍ଟାଇଲରେ ମା’ ଓ ପୁଅଙ୍କୁ ଏକାଠି କରିବାକୁ ଉଦ୍ୟମ କରିଥିଲେ।

ଜଗଜିତ କହିଛନ୍ତି, “ପଟିଆଲାରେ ଉଦ୍ଧାର କାର୍ଯ୍ୟ ଚାଲିଥିବେ ବେଳେ ମୋର ଜଣେ ପିଉସୀ ମୋତେ ଫୋନ କରିଥିଲେ। ମୋ ଆଈଙ୍କ ଘର ମଧ୍ୟ ପଟିଆଲାରେ ବୋଲି ସେ ମୋତେ କହିଥିଲେ। ଏଥିସହ ବୋହାରପୁର ଗାଁରେ ମୋ ଅଜାଆଈ ରହୁଥିବା ସେ ଶୁଣିଥିବା ମଧ୍ୟ ଜଣାଇଥିଲେ।” ପିଉସୀଙ୍କ ଠାରୁ ସୂଚନା ପାଇବା ପରେ ସେ ତୁରନ୍ତ ବୋହାରପୁର ଗାଁରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କ ଆଈ ପ୍ରୀତମ କୌରଙ୍କୁ ଭେଟିଥିଲେ।

ଜଗଜିତ ସିଂହ କହିଛନ୍ତି, “ମୁଁ ତାଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଥିଲି। ସେ ପ୍ରଥମେ ମୋତେ ନେଇ ସନ୍ଦେହ କରୁଥିଲେ। କିନ୍ତୁ ସେ ଯେତେବେଳେ ମୋ ମା’ ହରଜିତଙ୍କର ଗୋଟିଏ ପୁଅ ଥିଲା ବୋଲି ସେ କହିଥିଲେ, ମୁଁ କାନ୍ଦି ପକାଇଥିଲି। କାରଣ ମୁଁ ହିଁ ସେହି ହତଭାଗ୍ୟ ପୁଅ ବୋଲି ତାଙ୍କୁ କହିଥିଲି।” ତାଙ୍କ ପାଖରୁ ସୂଚନା ପାଇବା ପରେ ଜଗଜିତ ଶେଷରେ ନିଜ ମା’ ହରଜିତଙ୍କୁ ଭେଟିବାକୁ ସକ୍ଷମ ହୋଇଥିଲେ।

୩୫ ବର୍ଷ ପରେ ମା’ ଓ ପୁଅ ପରସ୍ପରକୁ ଦେଖି ବେଶ ଭାବବିହ୍ୱଳ ହୋଇ ଯାଇଥିଲେ। ଏହାକୁ ଶବ୍ଦରେ ବର୍ଣ୍ଣାନା କରିବା ମଧ୍ୟ ସହଜ ନୁହେଁ। ବୟସ ଯୋଗୁ ହରଜିତ କୌରଙ୍କ ଗୋଡ଼ରେ ସମସ୍ୟା ଦେଖାଯାଇଛି। ତେଣୁ ସେ ଭଲ ଭାବେ ଚାଲି ପାରୁ ନାହାନ୍ତି।

ହେଲେ ନିଜ ପୁଅକୁ ୩୫ ବର୍ଷ ପରେ ଦେଖି ସେ ଖୁସିରେ ଆତ୍ମବିଭୋର ହୋଇଯାଇଛନ୍ତି। ୩୭ ବର୍ଷୀୟ ଜଗଜିତ, ତାଙ୍କ ପତ୍ନୀ, ୧୪ ବର୍ଷୀୟ ଝିଅ ଓ ୮ ବର୍ଷର ପୁଅଙ୍କୁ ମଧ୍ୟ ହରଜିତ ଦେଖିଛନ୍ତି।

୩୫ ବର୍ଷ ପରେ ଜଗଜିତ ନିଜ ମା’ଙ୍କୁ ଭେଟିଥିଲେ ହେଁ ୫ ବର୍ଷ ତଳେ ହିଁ ସେ ଜୀବିତ ଥିବା ଖବର ପାଇଥିଲେ। ମା’ ଜୀବିତ ଥିବା ଜାଣି ମଧ୍ୟ ସେ ତାଙ୍କ ବିଷୟରେ କିଛି ବି ସୂଚନା ପାଇବାକୁ ସକ୍ଷମ ହୋଇ ନଥିଲେ। କାରଣ ତାଙ୍କ  ଜେଜେ ଓ ମା’ଙ୍କ ସମେତ ସମସ୍ତ ସମ୍ପର୍କୀୟଙ୍କ ଦେହାନ୍ତ ହୋଇ ସାରିଥିଲା।

Leave a Reply

Your email address will not be published. Required fields are marked *