Spread the love

ପରିଣତ ବୟସରେ ସ୍ୱାମୀସ୍ତ୍ରୀ ସମ୍ପର୍କରେ ଦେଖାଦେଲା ଫାଟ। ଏଥିରେ ଅତିଷ୍ଠ ହୋଇ ପଡ଼ିଥିବା ପତ୍ନୀ ଘଟାଇଲେ ବୀଭତ୍ସ କାଣ୍ଡ। ଶୋଇଥିବା ଅବସ୍ଥାରେ ସ୍ୱାମୀଙ୍କୁ ଖଟରେ ବାନ୍ଧି କୁରାଢିରେ ହାଣି ୫ ଖଣ୍ଡ କରିଦେଲେ। ଏହାପରେ ମୃତଦେହକୁ  ନେଇ ଗାଁ ପାଖ ନାଳରେ ଫୋପାଡ଼ି ଦେଲେ । ଏପରି ଏକ ଲୋମଟାଙ୍କୁରା ଘଟଣା ଉତ୍ତରପ୍ରଦେଶର ପିଲିଭିତ ଅଞ୍ଚଳରେ ଘଟିଛି।

ଗଜରୌଲା ଥାନାର ଶିବନଗର ଗାଁର ୫୫ ବର୍ଷୀୟ ରାମପାଳ ମଙ୍ଗଳବାର ସକାଳୁ ନିଖୋଜ ଥିଲେ। ଏନେଇ ତାଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ତଲାସୀ ଆରମ୍ଭ କରିଛି।

ରାମପାଳଙ୍କର ନିଜ ପତ୍ନୀ ଦୁଲାରୀ ଦେବୀଙ୍କ ସହ ସମ୍ପର୍କ ଭଲ ନ ଥିଲା। ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ରାମପାଳଙ୍କ ସାଙ୍ଗଙ୍କ ସହ ଦୁଲାରୀ ଦେବୀଙ୍କ ଅନୈତିକ ସମ୍ପର୍କ ଥିବା ବେଳେ ସେ କିଛି ଦିନ ହେବ ତାଙ୍କ ସହ ରହୁଥିଲେ। ରାମପାଳଙ୍କ ପୁଅ ମଧ୍ୟ ନିଜ ପତ୍ନୀ ଓ ପିଲାଙ୍କ ସହ ଗାଁରେ ଅଲଗା ରହୁଥିଲେ।

ଦୁଲାରୀ ଦେବୀ ଘରକୁ ଆସିଥିବା ବେଳେ ରାମପାଳଙ୍କ ସହ ବିବାଦ ଚରମ ସୀମାରେ ପହଞ୍ଚିଥିଲା। ବୁଧବାର ରାମପାଳଙ୍କ ନିଖୋଜ ହେବା ନେଇ ଦୁଲାରୀ ଦେବୀ ନିଜ ପୁଅକୁ ଜଣାଇଲେ। ଏହାପରେ ତାଙ୍କ ପୁଅ ଏନେଇ ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ତଦନ୍ତ ଆରମ୍ଭ କଲା। ଉଭୟ ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ନେଇ ପୁଲିସ୍‌ ସୂଚନା ପାଇବା ପରେ ଦୁଲାରୀ ଦେବୀଙ୍କୁ ଗୁଡ଼ାଇ ତୁଡ଼ାଇ ପଚାରିବାରୁ ସେ ସବୁ ସତ କଥା ମାନି ଯାଇଥିଲେ।

ଦୁଲାରୀ ଦେବୀଙ୍କ କହିବାନୁଯାୟୀ, ମଙ୍ଗଳବାର ରାତିରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ରାମପାଳ ଶୋଇ ପଡ଼ିଥିଲେ। ଏହି ସୁଯୋଗରେ ସେ ଏକ ରଶି ସାହାଯ୍ୟରେ ତାଙ୍କୁ ବାନ୍ଧି ଦେଇଥିଲେ। ଏହାପରେ କୁରାଢିରେ ଖଣ୍ଡ ଖଣ୍ଡ କରି ୫ ପିସ୍‌ କରି ଦେଇଥିଲେ।

ଏହାପରେ ଖଣ୍ଡ ବିଖଣ୍ଡିତ ଶରୀରକୁ ବସ୍ତାରେ ପୂରାଇ ଗାଁ ପାଖ ନାଳରେ ଫୋପାଡ଼ି ଦେଇଥିଲେ। ପୁଲିସ୍‌ ଦୁଲାରୀ ଦେବୀଙ୍କ ଘରୁ ରକ୍ତ ଜୁଡ଼ୁବୁଡ଼ୁ ବେଡସିଟ, ଧାରୁଆ ଅସ୍ତ୍ର ଆଦି ଜବତ କରିଛି। ଏଥିସହ ମୃତଦେହକୁ ଉଦ୍ଧାର କରିବାକୁ ନାଳରେ ପାଣି ଅଟକାଇ ଖୋଜାଖୋଜି ଆରମ୍ଭ କରିଛି। କିନ୍ତୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମୃତଦେହ ମିଳି ନ ଥିବା ଜଣାଯାଇଛି।

ସ୍ୱାମୀ ସବୁବେଳେ ଝଗଡ଼ା କରୁଥିବା ବେଳେ ସବୁ ଜମିକୁ ବନ୍ଧା ପକାଇ ଦେଇଥିଲେ। ମୁଣ୍ଡ ଉପରେ ଝିଅ ବାହାଘର ଥିବା ବେଳେ ସ୍ୱାମୀ କିଛି ବୁଝାଶୁଝା କରୁ ନ ଥିବାରୁ ଉତ୍ତ୍ୟକ୍ତ ହୋଇ ସେ ତାଙ୍କୁ ହତ୍ୟା କରିଥିବା ଦୁଲାରୀ ଦେବୀ ପୁଲିସ୍ ସମ୍ମୁଖରେ କହିଛନ୍ତି। ଏପରି ନିର୍ମମ ହତ୍ୟାକାଣ୍ଡ ସେ ଏକୁଟିଆ ଘଟାଇଥିବା ବେଳେ ଏଥିରେ ତାଙ୍କୁ କେହି ସାହାଯ୍ୟ କରି ନ ଥିବା ସେ କହିଛନ୍ତି। ପୁଲିସ୍‌ ଏହି ଘଟଣାର ବିଭିନ୍ନ ଦିଗକୁ ତର୍ଜମା କରୁଛି।

Leave a Reply

Your email address will not be published. Required fields are marked *