Spread the love

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନୋଟିସ୍ ଦେଇଥିଲେ ବିରୋଧୀ, ଯାହାକୁ ଆଜି ବାଚସ୍ପତି ଓମ୍ ବିର୍ଲା ଗ୍ରହଣ କରିଛନ୍ତି। ଏନେଇ ସବୁ ଦଳର ନେତାଙ୍କ ସହ ଆଲୋଚନା କରିବି ବୋଲି ବାଚସ୍ପତି ପ୍ରତିଶୃତି ଦେଇଛନ୍ତି। ଏଥିସହ ଆଲୋଚନା କରି ବିତର୍କ ନେଇ ଗୃହରେ ଜଣାଇବେ ବୋଲି କହିଛନ୍ତି ବାଚସ୍ପତି।

ମଣିପୁର ହିଂସା ନେଇ ଚାଲି ପାରୁନି ସଂସଦର ମୌସୁମୀ ଅଧିବେଶନ। ଜୁଲାଇ 20ରୁ ମୌସୁମୀ ଅଧିବେଶନ ଆରମ୍ଭ ଦିନରୁ ଏହି ଘଟଣାକୁ ନେଇ ଶାସକଙ୍କୁ ଘେରୁଛନ୍ତି ବିରୋଧୀ। ମଣିପୁରରେ ମହିଳାଙ୍କୁ ନିର୍ଯାତନ ଏବଂ ଭିଡିଓ ଭାଇରାଲ୍ ଘଟଣାରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ଅଡି ବସିଛନ୍ତି ବିରୋଧୀ। ଏନେଇ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଭାରତୀୟ ରାଷ୍ଟ୍ରୀୟ ସମିତି(ବିଆରଏସ୍) ଏବଂ କଂଗ୍ରେସ ଅଲଗା ଅଲଗା ଦୁଇଟି ନୋଟିସ ଦାଖଲ କରିଥିଲେ।

ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ଲୋକସଭା ସଚିବଙ୍କ କାର୍ଯ୍ୟାଳୟରେ ଏକ ନୋଟିସ ଦାଖଲ କରିଥିବା ବେଳେ ବିଆରଏସର ଫ୍ଲୋର ଲିଡର୍ ନାଗେଶ୍ୱର ବାଚସ୍ପତିଙ୍କ ନିକଟରେ ଆଉ ଏକ ନୋଟିସ ଦାଖଲ କରିଥିଲେ। ନୋଟିସ୍ କ୍ରମେ ବାଚସ୍ପତି ଅନାସ୍ଥା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ଏବଂ ଏ ବାବଦରେ ଆଲୋଚନା କରି ଗୃହରେ ବିତର୍କ ନେଇ ଜଣାଇବେ ବୋଲି କହିଛନ୍ତି।

ଅନାସ୍ଥା ପ୍ରସ୍ତାବ ବିରୋଧୀଙ୍କୁ ଗୃହରେ ସରକାରଙ୍କ ସଂଖ୍ୟା ଗରିଷ୍ଠତାକୁ ଚ୍ୟାଲେଞ୍ଜ କରିଥାଏ। ନିୟମ ଅନୁସାରେ, ଯଦି ଲୋକସଭା ବାଚସ୍ପତି ଅନାସ୍ଥା ପ୍ରସ୍ତାବ ପାଆନ୍ତି, ତେବେ ସେ ଏହାକୁ ଗୃହରେ ପଢ଼ନ୍ତି। ଏହା ପରେ ସେ ସଦସ୍ୟମାନଙ୍କୁ ଏ ବାବଦରେ ମତ ରଖିବାକୁ ଅନୁମତି ଦେଇଥାନ୍ତି। ଯଦି ଏହି ପ୍ରସ୍ତାବ ପାରିତ ହୁଏ, ତେବେ ସରକାରଙ୍କୁ ଇସ୍ତଫା ଦେବାକୁ ପଡ଼େ।

Leave a Reply

Your email address will not be published. Required fields are marked *