Spread the love

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ମୁଖ୍ୟ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେନ୍ଦ୍ର ସରକାର। ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଏକ ଆବେଦନ କରାଯାଇଛି। କେନ୍ଦ୍ର ପକ୍ଷରୁ ସଲିସିଟର-ଜେନେରାଲ ତୁଷାର ମେହେଟ୍ଟା ଜଷ୍ଟିସ ଗାଭାଇଙ୍କ ନେତୃତ୍ୱରେ ଏକ ବେଞ୍ଚକୁ ଏ ବାବଦରେ ଦାଖଲ କରାଯାଇଥିବା ଆବେଦନ ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି।

ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି, “ମୁଁ ଏକ ଆବେଦନ କରୁଛି, ଯାହା ଶୁକ୍ରବାର(ଜୁଲାଇ ୨୮) ପୂର୍ବରୁ  ଶୁଣାଣି କରାଯାଉ ବୋଲି ଚାହୁଁଛି।” ବେଞ୍ଚ ମଧ୍ୟ ଏନେଇ ଗୁରୁବାର (ଜୁଲାଇ ୨୭) ଅପରାହ୍ନ ୩.୩୦ରେ ବିଚାର କରିବା ନେଇ ରାଜି ହୋଇଛନ୍ତି। ଅନ୍ୟପଟେ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ପୂର୍ବରୁ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରି ସାରିଛନ୍ତି। କେନ୍ଦ୍ର ସରକାର ମିଶ୍ରଙ୍କ ଅବସରକୁ ତିନି ତିନି ଥର ବୃଦ୍ଧି କରିସାରିଛନ୍ତି, ଯାହାକୁ ବେଆଇନ ବୋଲି କହିଥିଲେ ସୁପ୍ରିମକୋର୍ଟ।

ଚଳିତ ମାସ ସର୍ବୋଚ୍ଚ ଅଦାଲତ କହିଥିଲେ ଯେ, କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ତିନି ତିନି ଥର ବୃଦ୍ଧି କରିବା ଆଇନଗତ ଦୃଷ୍ଟିରୁ ଭୁଲ୍। ଏହା ୨୦୨୧ରେ ପ୍ରଣୟନ ହୋଇଥିବା ନିୟମର ଉଲ୍ଲଙ୍ଘନ କରୁଛି। ତଥାପି ଜୁଲାଇ ୩୧ ପର୍ଯ୍ୟନ୍ତ ମିଶ୍ରଙ୍କ ତୃତୀୟ ଥର କାର୍ଯ୍ୟକାଳ ଶେଷ ଯାଏଁ ଦାୟିତ୍ୱ ରୁହନ୍ତୁ। ଏହାପରେ ଆଉ କାହାକୁ ମୁଖ୍ୟ ଭାବେ ନିଯୁକ୍ତି କରିବାକୁ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ।

ବର୍ତ୍ତମାନ କେନ୍ଦ୍ର ପୁନର୍ବାର ମିଶ୍ରଙ୍କ କାର୍ଯ୍ୟାକାଳ ବୃଦ୍ଧି ନେଇ ଆବେଦନ କରିଥିବାରୁ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଆଭିମୁଖ୍ୟ କଣ ରହିବ, ତା’ ଉପରେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *