Spread the love

ଏୟାର ହୋଷ୍ଟେସ୍ ଗୀତିକା ଶର୍ମା ଆତ୍ମହତ୍ୟା ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ହରିୟାଣାର ପୂର୍ବତନ ମନ୍ତ୍ରୀ ଗୋପାଳ ଗୋୟଲ କାଣ୍ଡାଙ୍କୁ ଦୋଷମୁକ୍ତ କରିଛନ୍ତି। ଗୀତିକାଙ୍କ ଘରୁ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଥିଲା, ଯେଉଁଥିରେ ସେ ଆତ୍ମହତ୍ୟା ପାଇଁ ଗୋପାଳ କାଣ୍ଡା ଏବଂ ତାଙ୍କ କମ୍ପାନୀ MDLRର ସିନିୟର ମ୍ୟାନେଜର ଅରୁଣା ଚଢ଼ାଙ୍କୁ ଦାୟୀ କରିଥିଲେ। କୋର୍ଟ ମଙ୍ଗଳବାର ଏହି ମାମଲାରେ ଅରୁଣା ଚଢ଼ାଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଏୟାର ହୋଷ୍ଟେସ୍ ଗୀତିକା ଶର୍ମା ଆତ୍ମହତ୍ୟା ମାମଲାରେ ଦୋଷମୁକ୍ତ ହେବା ପରେ ଗୋପାଳ ଗୋୟଲ କାଣ୍ଡା କହିଛନ୍ତି ଯେ ମୋ ବିରୋଧରେ କୌଣସି ପ୍ରମାଣ ନ ଥିଲା। ଏହି ମାମଲା ମୋ ବିରୋଧରେ କରାଯାଇଥିଲା ଏବଂ ଆଜି କୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି।

କହି ରଖୁଛୁ, ଗୀତିକା ଜଣେ ଏୟାର ହୋଷ୍ଟେସ୍ ଥିଲେ, ଯିଏକି ପ୍ରଥମେ କାଣ୍ଡାଙ୍କ MDLR ଏୟାରଲାଇନ୍ସରେ କାର୍ଯ୍ୟରତ ଥିଲେ। ୨୦୧୨ ଅଗଷ୍ଟ ୫ରେ ଉତ୍ତର ପଶ୍ଚିମ ଦିଲ୍ଲୀର ଅଶୋକ ବିହାରସ୍ଥିତ ନିଜ ବାସଭବନରେ ଗୀତିକା ମୃତ ଅବସ୍ଥାରେ ମିଳିଥିଲେ। ତେବେ ଗୀତିକାଙ୍କ ଆତ୍ମହତ୍ୟାର ପାଖାପାଖି ୬ ମାସ ପରେ ତାଙ୍କ ମା’ ମଧ୍ୟ ଆତ୍ମହତ୍ୟା କରିଥିଲେ। ସେ ବି ତାଙ୍କ ମୃତ୍ୟୁ ପାଇଁ ଗୋପାଳ କାଣ୍ଡାଙ୍କୁ ଦାୟୀ କରିଥିଲେ।

ସୂଚନାଥାଉ କି, ଗୀତିକା ଶର୍ମା ଆତ୍ମହତ୍ୟା ମାମଲାରେ ଗୋପାଳ କାଣ୍ଡା ୧୮ ମାସ ଜେଲରେ ଥିଲେ। ୨୦୧୪ ମାର୍ଚ୍ଚରେ ତାଙ୍କୁ ଜାମିନ୍‌ ମିଳିଥିଲା। ଗୋପାଳ କାଣ୍ଡା ବର୍ତ୍ତମାନ ହରିୟାଣା ଲୋକହିତ ଦଳରୁ ସିର୍‌ସାର ବିଧାୟକ ଅଛନ୍ତି।

Leave a Reply

Your email address will not be published. Required fields are marked *