Spread the love

ନୂଆଦିଲ୍ଲୀ: ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ରାଜନୈତିକ ଉତ୍ତେଜନା ଲାଗି ରହିଛି। ଇତିମଧ୍ୟରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ସଂସଦର ନିୟମ ୨୬୭ ଅନୁଯାୟୀ ବିଜନେସ ସସ୍ପେନ୍ସ ନୋଟିସ ଦାଖଲ କରି ମଣିପୁରବାସୀଙ୍କ ସପକ୍ଷରେ ଠିଆ ହୋଇଛନ୍ତି। ସେ କହିଛନ୍ତି ଯେ ମଣିପୁରର ପରିସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ତୁରନ୍ତ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ। ମଣିପୁରରେ ବିଜେପି ସରକାର ହଟାଇ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି ରାଜ୍ୟସଭା ଏମ୍‌ପି ରାଘବ ଚଡ୍ଡା।

ତାଲିକାଭୁକ୍ତ ସମସ୍ତ କାର୍ଯ୍ୟକୁ ସ୍ଥଗିତ ରଖିବା ଏବଂ ମଣିପୁର ରାଜ୍ୟ ଉପରେ ଆଲୋଚନା ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇବା ପାଇଁ ଚଡ୍ଡା ଆବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚଡ୍ଡା ଘେରିଛନ୍ତି। ସେ କହିଛନ୍ତି ଯେ ୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଟୁଇଟ୍ କରି କହିଥିଲେ ଯେ ଯେଉଁମାନେ ରାଜ୍ୟରେ ଶାନ୍ତି ସୁନିଶ୍ଚିତ କରିପାରିବେ ନାହିଁ ସେମାନଙ୍କର ମଣିପୁର ଶାସନ କରିବାର ଅଧିକାର ନାହିଁ। ଏନେଇ ଚଡ୍ଡା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ” ଆଜି ଯାହା ଘଟୁଛି ତାହା ଭୟଙ୍କର,ବିଭତ୍ସ, ବିନାଶକାରୀ ଏବଂ ୨୦୧୭ଠାରୁ ବହୁତ ବଡ। ଏହି ପ୍ରସଙ୍ଗରେ ଆଲୋଚନା କରିବା ଏବଂ ଉକ୍ତ ଅଞ୍ଚଳରେ ଚାଲିଥିବା କାର୍ଯ୍ୟକଳାପ ସମ୍ପର୍କରେ ଗୃହକୁ ଜଣାଇବା ବିଜେପିର ଦାୟିତ୍ୱ। ମଣିପୁରରେ ଡବଲ ଇଞ୍ଜିନ ସରକାର ଅଛନ୍ତି ତଥାପି ରାଜ୍ୟରେ ହିଂସା ହେଉଛି।”

ମଣିପୁରରେ ଚଡ୍ଡା ଏନ. ବିରେନ ସିଂହଙ୍କ ନେତୃତ୍ୱାଧୀନ ବିଜେପି ସରକାରକୁ ହଟାଇବା ଏବଂ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଦାବି କରିଛନ୍ତି। ମଣିପୁରର ଲୋକମାନେ ଏପରି ଏକ ସରକାର ପାଇବାକୁ ଯୋଗ୍ୟ ଅଟନ୍ତି ଯାହା ଦ୍ୱାରା ସେମାନଙ୍କର ସମସ୍ୟାର ସମାଧାନ ହୋଇପାରିବ ଏବଂ ସେମାନଙ୍କ ସୁରକ୍ଷା ତଥା କଲ୍ୟାଣ ନିଶ୍ଚିତ ହୋଇପାରିବ। କେନ୍ଦ୍ର ସରକାର ଦାୟିତ୍ୱବୋଧକ କାର୍ଯ୍ୟ କରିବାର ସମୟ ଆସିଯାଇଛି। ଲୋକଙ୍କ କଲ୍ୟାଣକୁ ପ୍ରାଧାନ୍ୟ ଦିଅନ୍ତୁ ଏବଂ ମଣିପୁରରେ ଚାଲିଥିବା ସଙ୍କଟକୁ ସମାପ୍ତ କରନ୍ତୁ ବୋଲି ରାଘବ ଚଡ୍ଡା ସ୍ୱର ଉତ୍ତୋଳନ କରିଛନ୍ତି।

Leave a Reply

Your email address will not be published. Required fields are marked *