Spread the love

ମଣିପୁର: ମଣିପୁର ରାଜରାସ୍ତାରେ ଶତାଧିକ ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ସହ ଅସଦାଚରଣ କରୁଥିବା ଭିଡିଓ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। କାକୁତିମିନତୀ ହୋଇ ଛାଡ଼ି ଦେବାକୁ ନେହୁରା ହେଉଥିବା ମହିଳାଙ୍କ ପ୍ରତି ଏପରି ପାଶବିକ ଅତ୍ୟାଚାର ଯୋଗୁ ସମଗ୍ର ଦେଶବାସୀଙ୍କ ମୁଣ୍ଡ ନଇଁ ଯାଇଛି। ପାର୍ଲାମେଣ୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସବୁଠି ହଇଚଇ ସୃଷ୍ଟି ହୋଇଥିବା ବେଳେ ଇତି ମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଗତ ମେ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ କିଛି ଲୋକ, ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଏବଂ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ନିର୍ଯାତନା ସମୟର ଭିଡିଓ ଭାଇରାଲ ହେବା ପରେ ସବୁଠି ତୀବ୍ର ହେଉଛି ବିରୋଧର ସ୍ୱର । ସେପଟେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଖବର ମିଳିବା ପରେ ପରେ ବହୁସଂଖ୍ୟକ ଉତ୍ତ୍ୟକ୍ତ ଜନତା ମଣିପୁର ରାଜ୍ୟର ଥୌବାଲ୍‌ ଜିଲ୍ଲା ଅନ୍ତର୍ଗତ ୟାଇରୀପୋକ୍‌ ଗ୍ରାମରେ ଏକତ୍ର ହୋଇ ମୁଖ୍ୟ ଅଭିଯୁକ୍ତ ହୁଇରେମ୍‌ ହେରୋଦାସ ମୈତେଈଙ୍କ ଘରେ ନିଆଁ ଲଗାଇଦେଇଛନ୍ତି ।

ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍‌ ସିଂହ କହିଛନ୍ତି ଯେ, ଉକ୍ତ ଭିଡିଓ ଦେଖିବା ପରେ ଆମେ ଏହି ଜଘନ୍ୟ ଅପରାଧକୁ ନିନ୍ଦା କରିବାକୁ ନିଷ୍ପତ୍ତି ନେବା ସହିତ ଏହାକୁ ମାନବତା ପ୍ରତି ଅପରାଧ ବୋଲି ବିଚାର କଲୁ। ଘଟଣାର ଅଧିକ ତଦନ୍ତ ଚାଲିଛି। ଏଥିରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଗିରଫ କରାଯାଇ ଦେଶର ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବ। ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଦେବା ପାଇଁ ରାଜ୍ୟ ମଧ୍ୟ ନିବେଦନ କରିବ।

ଗତକାଲି ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହିଁ, ମଣିପୁର ପ୍ରସଙ୍ଗକୁ ନେଇ ଉଭୟ ଗୃହରେ ତମ୍ବିତୋଫାନ କରିଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଗୃହ ବାହାରେ ପ୍ରତିକ୍ରିୟା ରଖୁଥିବା ବେଳେ ଗୃହ ଭିତରେ କାହିଁକି ନିରବ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ତେବେ ସରକାର ସଂସଦର ଉଭୟ ଗୃହରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ବେଳେ ବିରୋଧୀ ସଂସଦକୁ ଚଳାଇ ନଦେବାକୁ ଉଦ୍ୟମ କରୁଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।

ସେପଟେ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ମଣିପୁରର ଭିଡିଓ ଅତ୍ୟନ୍ତ ବିଚଳିତ କଲାଭଳି । ଏହା ଗ୍ରହଣୀୟ ନୁହେଁ। ଏବେ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି । ଯଦି ସରକାର କିଛି କରିବେନି, ତା ହେଲେ ଆମେ ପଦକ୍ଷେପ ନେବୁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

Leave a Reply

Your email address will not be published. Required fields are marked *