Spread the love

ୱାସିଂଟନ : ଶନିବାର ଆମେରିକାରେ ଗ୍ରୀଷ୍ମଲହରି ରେକର୍ଡ ଭାଙ୍ଗିଛି। ଏଥି ସହ ୟୁରୋପ, ଜାପାନରେ ଭୟଙ୍କର ଗ୍ରୀଷ୍ମଲହରି ବିଶ୍ବତାପନର ଭୟାବହତାକୁ ସୂଚିତ କରୁଛି। ଆମେରିକାର କାଲିଫର୍ଣ୍ଣିଆରୁ ଟେକ୍ସାସ ଯାଏ ଗ୍ରୀଷ୍ମଲହରି ଅନୁଭୂତ ହୋଇଥିବା ବେଳେ ପଶ୍ଚିମାଞ୍ଚଳରେ ଦିବସର ତାପମାତ୍ରା ସ୍ବାଭାବିକଠାରୁ ୧୦ରୁ ୨୦ ଡିଗ୍ରି ଫାରେନହିଟ ପର୍ଯ୍ୟନ୍ତ ଅଧିକ ରହିଥିଲା। ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଥିଲା ଆରିଜୋନାରେ। ରାଜଧାନୀ ଫିନିକ୍ସର ସର୍ବୋଚ୍ଚ ତାପମାତ୍ରା କ୍ରମାଗତ ୧୬ ଦିନ ଯାଏ ୧୦୯ ଡିଗ୍ରି ଫାରେନହିଟ (୪୩ ଡିଗ୍ରି ସେଲସିୟସ)ରୁ ଉପରେ ରହିଥିଲା। ଶନିବାରର ତାପମାତ୍ରା ୧୧୧ ଡିଗ୍ରି ଫାରେନହିଟ ରହିଥିବା ବେଳେ ଏହା ୧୧୫ ଡିଗ୍ରି ଯାଏ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କାଲିଫର୍ଣ୍ଣିଆର ଡେଥ୍‌ ଭାଲି (ମୃ୍ତ୍ୟୁ ଉପତ୍ୟକା) ପୃଥିବୀର ସବୁଠୁ ଉତ୍ତପ୍ତ ସ୍ଥାନରେ ପରିଣତ ହୋଇଛି, ଯାହାର ତାପମାତ୍ରା ରବିବାର ୧୩୦ ଫାରେନହିଟ୍ (୫୪ ଡିଗ୍ରି ସେଲସିୟସ) ଯାଏ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଥିଲା। ଶନିବାରର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୪୮ ଡିଗ୍ରି ଓ ୩୮ ଡିଗ୍ରି ସେଲସିୟସ ରହିଥିଲା।
ଦକ୍ଷିଣ କାଲିଫର୍ଣ୍ଣିଆରେ ଅନେକ ଜାଗାରେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ଗ୍ରୀଷ୍ମଲହରି ଭୟଙ୍କର ହୋଇଛି। ସେଠାରେ ଅଦ୍ୟାବଧି ୩,୦୦୦ ଏକର ଜଙ୍ଗଲ ଜଳିସାରିଲାଣି। ସେହିପରି କାନାଡ଼ାରେ ଚଳିତ ବର୍ଷ ରେକର୍ଡ ୧୦ ନିୟୁତ ହେକ୍ଟର ଜଙ୍ଗଲ ପୋଡ଼ି ନଷ୍ଟ ହୋଇଥିବା ରିପୋର୍ଟ ମିଳିଛି।
ୟୁରୋପରେ ଇଟାଲିର ରୋମ ସମେତ ୧୬ ସହର ତତଲା ତାୱାରେ ପଡ଼ିବା ପରି ଅନୁଭବ ହେଉଛି। ରୋମରେ ସୋମବାର ପାରଦ ୪୦ ଡିଗ୍ରି ଓ ମଙ୍ଗଳବାର ୪୩ ଡିଗ୍ରି ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି। ସିସିଲି ଓ ସାର୍ଡିନିଆ ଦ୍ବୀପପୁଞ୍ଜରେ ତାପମାତ୍ରା ୪୮ ଡିଗ୍ରି ସେଲ୍‌ସିୟସ ଛୁଇଁପାରେ ବୋଲି ୟୁରୋପୀୟ ସ୍ପେସ୍ ଏଜେନ୍ସି ଚେତାବନୀ ଦେଇଛି। ଗ୍ରୀସର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଏଥେନ୍ସ ଆକ୍ରୋପଲିସ ତାପଲହରି ଯୋଗୁ ରବିବାର କ୍ରମାଗତ ତୃତୀୟ ଦିନ ପାଇଁ ବନ୍ଦ ରହିଛି। ଫ୍ରାନ୍ସରେ ଗ୍ରୀଷ୍ମଲହରି ଯୋଗୁ ଶିଳ୍ପକାରଖାନାଗୁଡ଼ିକର ସ୍ବାଭାବିକ ସଂଚାଳନ ପ୍ରଭାବିତ ହୋଇଛି। ସେହିପରି ସ୍ପେନରେ ସୋମବାରଠାରୁ ବୁଧବାର ଯାଏ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପୂର୍ବ ଜାପାନର କେତେକ ଅଞ୍ଚଳରେ ରବିବାର ଓ ସୋମବାର ତାପମାତ୍ରା ୩୮ରୁ ୩୯ ଡିଗ୍ରି ସେଲସିୟସ ରହିବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ଗତ ଜୁନ୍ ମାସରେ ମଧ୍ୟ ତାପାମାତ୍ରା ରେକର୍ଡ ଭାଙ୍ଗିଥିଲା ବୋଲି ୟୁରୋପ ପାଣିପାଗ ବିଭାଗ ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *