କଟକ : ସାକ୍ଷୀ କୋର୍ଟରେ ସାକ୍ଷ୍ୟ ଦେବାରୁ ଓହରି ଯାଉଛନ୍ତି କାହିଁକି? ଏହାକୁ ନେଇ ଏବେ ପୁଣି ଘଣ୍ଟାଚକଟା ଆରମ୍ଭ ହୋଇଛି। ଗୋଟିଏ ସମୟରେ ଗ୍ୟାଙ୍ଗଷ୍ଟର୍ ଧଳସାମନ୍ତ ଭାଇଙ୍କ ଅପରାଧିକ ମାମଲାରେ ସାକ୍ଷୀଙ୍କୁ କୋର୍ଟରେ ହାଜର ହେବା ପୂର୍ବରୁ କମିସନରେଟ୍ ପୁଲିସ ଓ ପବ୍ଲିକ ପ୍ରସିକ୍ୟୁଟର ମିଳିତ ଭାବେ ରିହରସଲ୍ କରାଉଥିଲେ। ସାକ୍ଷୀଙ୍କୁ କୋର୍ଟରେ ସାକ୍ଷୀ ଦେବାକୁ ସ୍ବତନ୍ତ୍ର ତାଲିମ ଦିଆଯାଉଥିଲା। ସେମାନଙ୍କ ମନୋବଳ ବୃଦ୍ଧି କ୍ଷେତ୍ରରେ କସରତ କରାଯାଉଥିଲା। କ୍ରମାଗତ ଭାବେ ସେହି ଧାରା ବଜାୟ ନରହିବା ଦ୍ବାରା ସାକ୍ଷୀ ପ୍ରଭାବିତ ହେବା ପଛର ଆଉ ଏକ କାରଣ କୁହାଯାଉଛି। ଅତୀତରେ ଧଳସାମନ୍ତ ଭାଇଙ୍କ ସହିତ ମିଶି ଜଘନ୍ୟ ହତ୍ୟାକାଣ୍ଡ, ଦାଦାବଟି ଆଦାୟ, ଆତଙ୍କରାଜ ସୃଷ୍ଟି କରିଥିବା ଅପରାଧୀମାନେ ଏବେ ଜେଲ୍ ବାହାରେ। ସେମାନେ ବି ସାକ୍ଷୀମାନଙ୍କୁ ପରୋକ୍ଷରେ ପ୍ରଭାବିତ କରୁଛନ୍ତି। କିନ୍ତୁ ଏଭଳି ସ୍ଥିତି ସୃଷ୍ଟି ହେବା ପରେ ଏବେ କମିସନରେଟ୍ ପୁଲିସ ପୁଣି ସାକ୍ଷୀଙ୍କ ଭିତରେ ଭରସା ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ନିର୍ଦ୍ଦିଷ୍ଟ କିଛି ଅଧିକାରୀଙ୍କୁ ନେଇ ଟିମ୍ ଗଠନ କରିଥିବା ସୂଚନା ମିଳିଛି।
ତଥ୍ୟ ଅନୁଯାୟୀ ୨୦୧୬ ଜାନୁଆରି ୨୯ରେ ସୁଶାନ୍ତ ଓ ସୁଶିଲ ଧଳସାମନ୍ତଙ୍କ ବିରୋଧରେ ୩୮ଟି ଅପରାଧିକ ମାମଲା ରୁଜୁ ପରେ ପ୍ରତ୍ୟେକ ମାମଲାରେ ଅଦାଲତରେ ତ୍ବରିତ ଶୁଣାଣି ଓ କୋର୍ଟ ସହିତ ଯୋଗସୂତ୍ର ରଖିବା ପାଇଁ କଟକ କମିସନରେଟ୍ ପୁଲିସର ଜଣେ ଲେଖାଏଁ ଏସଆଇଙ୍କୁ ଦାୟିତ୍ବ ଦିଆଯାଇଥିଲା। ସେମାନଙ୍କୁ ଧଳସାମନ୍ତଙ୍କ ମାମଲାର ରେକର୍ଡ ହସ୍ତାନ୍ତର କରାଯାଇଥିଲା। ଯେଉଁଦିନ କୋର୍ଟରେ ସାକ୍ଷୀ ଦେବାର ତାରିଖ ଧାର୍ଯ୍ୟ ହୋଇଥାଏ ତା ପୂର୍ବରୁ ସମ୍ପୃକ୍ତ ଏସଆଇ ସାକ୍ଷୀଙ୍କ ନିକଟରେ କୋର୍ଟର ସମନ ପହଞ୍ଚାଇଥାନ୍ତି। ଦୁଇ ଦିନ ପୂର୍ବରୁ ସାକ୍ଷୀଙ୍କୁ ଡାକି ରିହରସଲ୍ କରାଯାଏ। ଯେଉଁ ବୟାନ ସିଆରପିସିର ଧାରା ୧୬୧ରେ ପୁଲିସ ନିକଟରେ ଦେଇଥିଲେ, ଉକ୍ତ ବୟାନ ଯେଭଳି କୋର୍ଟରେ ଦୋହରାଇବେ, ସେ ନେଇ ରିହଲସେଲ ସମୟରେ କୁହାଯାଉଥିଲା। ପୁଲିସ ସେମାନଙ୍କୁ ସୁରକ୍ଷା ଦେଉଥିବା ନେଇ ସେମାନଙ୍କ ମନରେ ବିଶ୍ବାସ ସୃଷ୍ଟି କରାଯାଉଥିଲା। ଏହି ସାକ୍ଷୀଙ୍କୁ ସ୍ବତନ୍ତ୍ର ପିପିଙ୍କ ନିକଟରେ ବି ଅଦାଲତକୁ ଯିବା ପୂର୍ବରୁ ହାଜର କରାଉଥିଲେ। କୋର୍ଟ ମାଜିଷ୍ଟ୍ରେଟ୍ ଓ ପ୍ରତିପକ୍ଷ ଓକିଲ କିଭଳି ପ୍ରଶ୍ନ ପଚାରିବ ଏବଂ ଏହି ପ୍ରଶ୍ନର କିଭଳି ଜବାବ ରଖାଯିବ, ସେ ସଂପର୍କରେ ବି ସାକ୍ଷୀଙ୍କୁ ତାଲିମ ଦିଆଯାଉଥିଲା। ଏହା ସହିତ ପୁଲିସ ସୁରକ୍ଷା ବଳୟରେ ସାକ୍ଷୀଙ୍କୁ ଧାର୍ଯ୍ୟ ତାରିଖରେ କୋର୍ଟରେ ହାଜର କରାଯାଉଥିଲା। ୨୦୧୭ରୁ ୨୦୨୨ ଯାଏ ଏଭଳି ଶୈଳୀରେ ଅଭିଯାନ ଜୋରଦାର କରାଯାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। କ୍ରମାଗତ ଭାବେ ଏହି ଧାରା ଜାରି ନ ରହିବାରୁ ଧଳସାମନ୍ତଙ୍କ ବିରୋଧରେ ପୁଲିସ ସାମନାରେ ସାକ୍ଷୀ ଦେଇଥିବା ବ୍ୟକ୍ତିମାନେ ଏବେ ଅସୁରକ୍ଷିତ ମନେ କରୁଛନ୍ତି।
ଅନ୍ୟପଟେ ଧଳସାମନ୍ତ ଭାଇଙ୍କ ଖାସ୍ ସହଯୋଗୀମାନେ ଏବେ ଜେଲ୍ ବାହାରେ। ମାମଲାକୁ ପ୍ରଭାବିତ କ୍ଷେତ୍ରରେ ଏମାନଙ୍କର ଯେ ସମ୍ପୃକ୍ତି ନଥିବ ଏକଥାକୁ ବି ଏଡ଼ାଇ ଦିଆଯାଇପାରିବ ନାହିଁ। ମାଛୁଆ ବଜାରର ଚନ୍ଦନ ବେହେରା, ସିଡିଏ ସେକ୍ଟର ୭ର ଲଲନ ଗୁପ୍ତା ଓରଫ ଲାଲା ଦୁଇ ଜଣ ଫାରୁକ ମାମଲାରେ ଜେଲ୍ ଯାଇଥିଲେ। ଏବେ ଜେଲରୁ ବାହାରି ଖୋଲାରେ ବୁଲୁଛନ୍ତି। ଦିଵାନ ବଜାରର ଆଝାର, ଵାସିମ୍ ଓରଫ ସେକ୍ ଅବଦୁଲ୍ ଵାସିମ୍ ଓ ରହିମ ବାବୁ ବି ଜେଲ୍ ବାହାରକୁ ଆସିଲେଣି। ଫାରୁକ ହତ୍ୟା ମାମଲାରେ ଲଲନ, ଵାସିମ୍, ରହିମଙ୍କ ସିଧାସଳଖ ସମ୍ପର୍କ ଥିଲା। ଧଳସାମନ୍ତ ଭାଇ ଵାସିମ୍ ଓ ରହିମ୍ ବାବୁଙ୍କ ମାଧ୍ୟମରେ ଫାରୁକଙ୍କୁ ୩୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିବା ଅଭିଯୋଗ ହୋଇଥିଲା। ମାଛୁଆ ବଜାରର ଚନ୍ଦନ ବେହେରା ବି ଫାରୁକ୍ ମାମଲାରେ ଜେଲ୍ ଯାଇଥିଲା। ସିଏ ବି ଏବେ ବାହାରେ। ବାଲିଯାତ୍ରା ସମୟରେ ଗାଡ଼ି ପାର୍କିଂ ପାଇଁ ଟେଣ୍ଡର ହାତେଇବାରେ ଚନ୍ଦନ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କୁହାଯାଏ। ଧଳସାମନ୍ତ ଭାଇଙ୍କ ଡାହଣ ହାତ କୁହାଯାଉଥିବା ଖାନନଗରର ଶରତ ସାହୁ ବାଲିଘାଟଗୁଡ଼ିକ ନିଜ ନିୟନ୍ତ୍ରଣରେ ରଖିଥାଏ। ଧଳସାମନ୍ତ ଭାଇଙ୍କ ଅତି ନିକଟତର କୁହାଯାଉଥିବା ଶରତ ଜେଲ୍ ବାହାରେ ବୁଲୁଛି। ସିଡିଏର ଜିତୁ ବି ଏବେ ଜେଲ୍ ବାହାରେ ରହିଛି। ଏମାନଙ୍କ ଭଳି ଅନେକ ଧଳସାମନ୍ତ ସହଯୋଗୀ ଜେଲ୍ ବାହାରେ ଥିବା ବେଳେ ସାକ୍ଷୀମାନଙ୍କ ମଧ୍ୟରେ ଭୟ ହଟାଇବା ଦିଗରେ ପୁଲିସ କେତେ ଦୂର ସଫଳ ହୋଇ ପାରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।