ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ପରେ ଶୁକ୍ରବାର ଅର୍ଥାତ ଆଜି ରିପୋର୍ଟ ପ୍ରକାଶ ପାଇଛି। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟାରେ ଗତବର୍ଷଠାରୁ ୧୪୮୩ ବୃଦ୍ଧି ପାଇଛି। ଗତବର୍ଷ ଏଠାରେ ୧,୩୦,୭୯୬ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧,୩୨,୨୭୯ କୁ ବୃଦ୍ଧି ପାଇଛି। ରାଜନଗର ଡିଏଫ୍ଓ ଭରଦରାଜ ଗାଓଁକରଙ୍କ ସୂଚନା ମୁତାବକ, ଗତ ୩ ତାରିଖରୁ ୫ ତାରିଖ ଯାଏଁ ୩ ଦିନ ଧରି ଭିତରକନିକାର ମଠଆଡିଆ, ଲକ୍ଷ୍ମୀପ୍ରସାଦଡିଆ, ଦୁର୍ଗାପ୍ରସାଦଡିଆରେ ପକ୍ଷୀ ଗଣନା କରାଯାଇଥିଲା। ବନ ବିଭାଗର ୪ଟି ଟିମ୍ ପକ୍ଷୀ ଗଣନା କରିଥିଲେ।
ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ୧୦ ପ୍ରକାର ପକ୍ଷୀଙ୍କ ସମାଗମ ହୋଇଛି। ପକ୍ଷୀଗୁଡ଼ିକ ମଧ୍ୟରେ ଗେଣ୍ଡାଳିଆ, ରାଣୀବଗ, ମଝିଆ ବଗ, ଛୋଟ ବଗ, ଖଇରା ବଗ, ମାଟିଆ ବଗ, ପାଣିକୁଆ, ଅନ୍ଧାରିଆ ବଗ, କାପରଖାଇ, ଦା ବେଣ୍ଟିଆ ପ୍ରଭୃତି ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ମା’ ପକ୍ଷୀମାନେ ବସାରେ ଅଣ୍ଡା ଦେଇ ଛୁଆ ଫୁଟାଇବା ପରେ ସେମାନଙ୍କୁ ସାଙ୍ଗରେ ଧରି ଅକ୍ଟୋବର ଶେଷ ସୁଦ୍ଧା ଆସିଥିବା ସ୍ଥାନକୁ ଫେରି ଯାଇଥାନ୍ତି। ମୌସୁମୀର ଆଗମନରେ ଏହି ପକ୍ଷୀମାନେ ଖାଦ୍ୟ ସଂଗ୍ରହ, ବଂଶ ବିସ୍ତାର ଓ ଭିତରକନିକାରେ ରହିଯାଇଥିବା ବିଦେଶାଗତ ପକ୍ଷୀମାନଙ୍କ ସହ ବନ୍ଧୁତ୍ୱ ସ୍ଥାପନ ପାଇଁ ଦେଶୀୟ ପକ୍ଷୀମାନେ ଏଠାକୁ ଛୁଟି ଆସନ୍ତି।