Spread the love

ରାୱଲପିଣ୍ଡି : ପୁଣେସ୍ଥିତ ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଡିଆର୍‌ଡିଓ)ର ବୈଜ୍ଞାନିକ ପ୍ରଦୀପ କୁରୁଲକର ଜଣେ ପାକିସ୍ତାନୀ ସୁନ୍ଦରୀଙ୍କ ଜାଲରେ ଫସି ଦେଶର ପ୍ରତିରକ୍ଷା ସଂକ୍ରାନ୍ତ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଶତ୍ରୁ ଦେଶକୁ ପ୍ରଦାନ କରିଛନ୍ତି। ପ୍ରଦୀପଙ୍କ ଭଳି ପୂର୍ବରୁ ଅନେକ ପ୍ରତିରକ୍ଷା ଅଧିକାରୀ ହନି ଟ୍ରାପ୍‌ରେ ଫସି ଅତ୍ୟନ୍ତ ଗୋପନୀୟ ତଥ୍ୟକୁ ସେୟାର କରିଛନ୍ତି। ଭାରତରୁ ଗୁରୁତ୍ବପୂର୍ଣ୍ଣ ସାମରିକ ସୂଚନା ପାଇବା ପାଇଁ ପାକିସ୍ତାନ ଏହି ମାଧ୍ୟମର ବହୁଳ ବ୍ୟବହାର ଗତ କିଛିବର୍ଷ ହେଲା କରିଆସୁଛି।
ତେବେ ଏହି ହନି ଟ୍ରାପ୍ କ’ଣ ଏବଂ ତାହାକୁ ପାକିସ୍ତାନ କିଭଳି ପରିଚାଳନା କରୁଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପାକିସ୍ତାନ ସେନାର ମୁଖ୍ୟାଳୟ ହେଉଛି ରାୱଲପିଣ୍ଡି। ସେଠାରେ ଫାତିମା ଜିନ୍ନା ମହିଳା ବିଶ୍ବବିଦ୍ୟାଳୟ ରହିଛି। ସେଠାରେ ହନି ଟ୍ରାପ ପାଇଁ ବଛା ଯାଇଥିବା ମହିଳାଙ୍କୁ ତାଲିମ ଦିଆଯାଇଥାଏ। ଏହି ବିଷୟ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ୨୦୧୯ରେ ପ୍ରଥମ ଥର ଲାଗି ବିଶ୍ବବିଦ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ସ୍ପେସାଲିଷ୍ଟ ପଦବି ପାଇଁ ଏକ ବିଜ୍ଞାପନ ଜାରି ହୋଇଥିଲା।
ହନି ଟ୍ରାପ ଶବ୍ଦ ପ୍ରଥମ ଥର ପାଇଁ ୧୯୭୪ ମସିହାରେ ବ୍ରିଟିସ ଲେଖକ ଜନ ଲେ କେରି ତାଙ୍କର ଏକ ଗୁଇନ୍ଦା ଉପନ୍ୟାସରେ କରିଥିଲେ। ତେବେ ପ୍ରଥମ ବିଶ୍ବଯୁଦ୍ଧ ସମୟରେ ବିଶ୍ବର ପ୍ରଥମ ହନି ଟ୍ରାପ ମାମଲା ସାମ୍ନାକୁ ଆସିଥିଲା। ସେତେବେଳେ ମାତା ହାରି ଫ୍ରାନ୍ସ ସୈନିକଙ୍କୁ ନିଜର ସୌନ୍ଦର୍ଯ୍ୟ ଜାଲରେ ଫସାଉଥିଲେ। ଭାରତ କଥା ଦେ‌ଖିଲେ ଏଭଳି ଘଟଣା ପ୍ରଥମେ ୧୯୮୦ ମସିହାରେ ସାମ୍ନାକୁ ଆସିଥିଲା। ‌ସେହି ସମୟରେ ଭାରତର ଗୁଇନ୍ଦା ସଂସ୍ଥା ‘ର’ର ଅଧିକାରୀ କେବି ଉନ୍ନିକୃଷ୍ଣନ ହନି ଟ୍ରାପର ଶିକାର ହୋଇଥିଲେ। କୌଣସି ବିଶେଷ ବା ଗୁରୁତ୍ବପୂର୍ଣ୍ଣ ସୂଚନା ପାଇବା ପାଇଁ ସୁନ୍ଦରୀ ମହିଳାମାନଙ୍କ
ଦ୍ବାରା ରୋମାଣ୍ଟିକ ସଂପର୍କ ସ୍ଥାପନ କରିବାକୁ ସାଧାରଣତଃ ହନି ଟ୍ରାପ କୁହାଯାଇଥାଏ। ଜବରଦସ୍ତ ତଥ୍ୟ ହାସଲ କରିବା କିମ୍ବା ବ୍ଲାକମେଲ୍ କରିବା ଲାଗି ମଧ୍ୟ ଏହି ପନ୍ଥା ଗ୍ରହଣ କରାଯାଏ। ପାକିସ୍ତାନର ଆଇଏସଆଇ ମହିଳାମାନଙ୍କୁ ଏଥିପାଇଁ ତାଲିମ ଦେଇଥାଏ। ରାୱଲପିଣ୍ଡି, କରାଚି ଏବଂ ହାଇଦ୍ରାବାଦରେ ଉକ୍ତ ତାଲିମ ପ୍ରଦାନ କରାଯାଇଥାଏ। ସୋସିଆଲ ମିଡିଆ ହେଉଛି ଏହି ଅସ୍ତ୍ର ବ୍ୟବହାରର ଏକ ପ୍ରମୁଖ ମାଧ୍ୟମ।
ଏକ ରିପୋର୍ଟ ଅନୁଯାୟୀ, ଆଇଏସଆଇ ଏଥିପାଇଁ ଏକାଧିକ କଲ ସେଣ୍ଟର ସ୍ଥାପନ କରିଛି। ସେହି କଲ ସେଣ୍ଟରଗୁଡ଼ିକରୁ ପାକିସ୍ତାନୀ ଝିଅମାନେ ସେମାନଙ୍କୁ ଭାରତୀୟ ହିନ୍ଦୁ ଝିଅର ବେଶଭୂଷା ଏବଂ ସାଙ୍ଗିଆ ଆଦିର ମିଛ ପରିଚୟ ଦେଇ ଭାରତର ‌ଯବାନଙ୍କୁ ଫସାଇବାକୁ ପ୍ରୟାସ କରୁଛନ୍ତି। ଏହି ଭୟଙ୍କର କାର୍ଯ୍ୟ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବି ବ୍ୟବହାର କରାଯାଉଛି। ଉକ୍ତ କାର୍ଯ୍ୟରେ ଜଡ଼ିତ ଝିଅମାନେ ସେମାନଙ୍କର ନକଲି ପ୍ରୋଫାଇଲ ପ୍ରସ୍ତୁତ କରି ଯବାନଙ୍କ ସହିତ ସଂପର୍କ ସ୍ଥାପନ କରିଥାନ୍ତି। ସେମାନଙ୍କ ଟାର୍ଗେଟରେ ଅଛନ୍ତି ଭାରତୀୟ ଯବାନ, କର୍ମଚାରୀ ଏବଂ ଅଧିକାରୀ। ସେମାନଙ୍କ ସହିତ ଏହି ଝିଅ ଓ ମହିଳାମାନେ ସେକ୍ସଷ୍ଟିଙ୍ଗ୍‌ର ଭରପୂର ପ୍ରୟୋଗ କରି ଗୁରୁତ୍ବପୂର୍ଣ୍ଣ ସୂଚନା ହାତେଇବାକୁ ଉଦ୍ୟମ କରିଥାନ୍ତି। ପାକିସ୍ତାନରେ ଦିନକୁ ଜଣେ ମହିଳାଙ୍କୁ ୫୦ଟି ପ୍ରୋଫାଇଲ ସମ୍ଭାଳିବା ତାଲିମ ଦିଆଯାଇଥାଏ।

Leave a Reply

Your email address will not be published. Required fields are marked *