Spread the love

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚାରୋଟି ରାଜ୍ୟରେ ଦଳର ନୂଆ ସଭାପତି ନିଯୁକ୍ତ କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ପଞ୍ଜାବ,ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ଆନ୍ଧ୍ର ପ୍ରଦେଶରେ ଦଳ ନୂଆ ସଭାପତି ନିଯୁକ୍ତ କରିଛି।
ପଞ୍ଜାବ ବିଜେପି ସଭାପତି ଭାବେ ସୁନୀଲ ଜାଖରଙ୍କୁ ନିଯୁକ୍ତି ମିଳିଛି। ସେହିପରି କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କୁ ତେଲେଙ୍ଗାନା ବିଜେପିର ସଭାପତି ଭାବେ ନିଯୁକ୍ତି ମିଳିଛି। ବାବୁଲାଲ ମାରାଣ୍ଡିଙ୍କୁ ଝାଡ଼ଖଣ୍ଡ ବିଜେପିର ସଭାପତି କରାଯାଇଛି। ଓଡ଼ିଶା ବିଜେପିର ପ୍ରଭାରୀ ଥିବା ଡି. ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ର ପ୍ରଦେଶ ବିଜେପିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି।
ଏହା ବ୍ୟତୀତ ଓବିସି ନେତା ଏଟିଲା ରାଜେନ୍ଦ୍ରଙ୍କୁ ତେଲେଙ୍ଗାନରେ ଦଳର ନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ କରାଯାଇଛି। ଆଗକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଦଳ ଏଟିଲାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛି। ସେହିଭଳି ଅବିଭାଜିତ ଆନ୍ଧ୍ର ପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀଙ୍କୁ ଦଳର ଜାତୀୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଭାବେ ନିଯୁକ୍ତି ଦେଇଛି।
ପଞ୍ଜାବରେ ଦଳ ଅଶ୍ୱନୀ ଶର୍ମାଙ୍କ ସ୍ଥାନରେ ସୁନୀଲ ଜାଖରଙ୍କୁ ନିଯୁକ୍ତି ଦେଇଥିବା ବେଳେ ଝାଡ଼ଖଣ୍ଡରେ ଦୀପକ ପ୍ରକାଶଙ୍କ ସ୍ଥାନରେ ବାବୁଲାଲ ମାରାଣ୍ଡିଙ୍କୁ ନିଯୁକ୍ତି ଦେଇଛି।
ଗତ ବର୍ଷ ମେ’ ମାସରେ ସୁନୀଲ ଜାଖର କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ସେହିପରି ଏଟିଲା ରାଜେନ୍ଦ୍ର ବିଆରଏସ୍ ଛାଡ଼ି ବିଜେପିରେ ମିଶିଛନ୍ତି।ଏଟିଲା ରାଜେନ୍ଦ୍ର ହେଉଛନ୍ତି ତେଲେଙ୍ଗାନାର ପ୍ରଥମ ଅର୍ଥ ମନ୍ତ୍ରୀ। ସେ ତାଙ୍କ ରାଜନୀତିକ କ୍ୟାରିୟର କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ବିଆର୍‌ଏସ୍‌ରୁ ଆରମ୍ଭ କରିଥିଲେ ଓ ୨୦୨୧ ପର୍ଯ୍ୟନ୍ତ ତାଙ୍କ ସହିତ ରହିଥିଲେ।

Leave a Reply

Your email address will not be published. Required fields are marked *