Spread the love

ପୁରୀ : ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଭକ୍ତଙ୍କ ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ। କୋଟି କୋଟି ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁ ରଥରେ ବସି ଶ୍ରୀମନ୍ଦିର ଛାଡ଼ି ଜନ୍ମବେଦୀକୁ ଯିବେ। ସେଥିପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି। ଆସନ୍ତାକାଲି ହେବ ନବଯୌବନ ଦର୍ଶନ। ଜ୍ୱର ଛାଡ଼ି ଯାଇଥିବାରୁ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ। ଦୀର୍ଘ ୧୫ ଦିନ ହେବ ଠାକୁରଙ୍କ ଶ୍ରୀମୁଖ ଦର୍ଶନ କରିନଥିବାରୁ ଜମିବ ଭକ୍ତଙ୍କ ଭିଡ଼। ଏହାକୁ ଦୃଷ୍ଟିରେ ଆସନ୍ତାକାଲି ପାଇଁ ଶ୍ରୀମନ୍ଦିର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଭିଡ ନିୟନ୍ତ୍ରଣ ପାଇଁ ୬୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ସେହିପରି ରଥଯାତ୍ରା ଦିନ ୧୭୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ପୁଲିସ୍‌ ବିଭାଗ ପକ୍ଷରୁ ଜଣାପଡ଼ିଛି।
ରଥଯାତ୍ରା ପାଇଁ ପୂର୍ବ ବର୍ଷ ଭଳି ଚଳିତବର୍ଷ ରିଜର୍ଭ ପୁଲିସ ଲାଇନ୍‌ ପଡ଼ିଆରେ ରଥ ଟଣା ମକଡ୍ରିଲ୍‌ କରାଯାଇଛି। ବିଶେଷ କରି ତିନି ରଥର ସୁରକ୍ଷା, ରଥର ଇନର୍‌ ଓ ଆଉଟର କର୍ଡନ, ଜେନେରାଲ କର୍ଡନ ଦାୟିତ୍ୱରେ ଯେଉଁ ପୁଲିସ ଅଧିକାରୀ ଓ କର୍ମଚାରୀ ରହିବେ ସେମାନଙ୍କୁ ନେଇ ଏହି ମକଡ୍ରିଲ କରାଯାଇଛି। ଏଡିଜି ସଞ୍ଜୟ କୁମାର ନିଜେ ନିଜେ ଏହି ମକଡ୍ରିଲର ସମୀକ୍ଷା କରିଛନ୍ତି।
ରଥଯାତ୍ରା ଭଳି ଅବିକଳ ରଥଟଣାର ଡେମୋ କରାଯାଇଛି। ତିନୋଟି ପୁଲିସ୍‌ ଜିପକୁ ତିନୋଟି ରଥ ଭାବେ ନିଆଯାଇ କର୍ଡନ ମଧ୍ୟରେ କରାଯାଇଥିଲା ରଥଟଣା। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ଵଜ ରଥ, ପରେ ସୁଭଦ୍ରା ଦେବୀଙ୍କ ଦେବଦଳନ ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣିବା ଅଭ୍ୟାସ କରିଥିଲେ। ଭିଡ୍‌ ଭିତରେ ରଥ ଗୁଡିକ କିଭଳି ଟଣାଯିବ? ଇନର ଓ ଆଉଟଡୋର କର୍ଡନ କିଭଳି ରହିବ? ମାଜିଷ୍ଟ୍ରେଟଙ୍କ ଦ୍ୱାରା ରଥ କିଭଳି ନିୟନ୍ତ୍ରଣ କରାଯିବ ତାହାର ଅଭ୍ୟାସ ଓ ପ୍ରଶିକ୍ଷଣ ଦିଆଯାଇଛି।
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ଵତନ୍ତ୍ର ଟ୍ରାଫିକ୍‌ ମୋବିଲିଟି ପ୍ଲାନ୍ ପ୍ରସ୍ତୁତ ହୋଇଛି। ଏହା ସୋମବାର ମଧ୍ୟରାତ୍ରରୁ ଲାଗୁ ହୋଇ ୨୧ ତାରିଖ ଯାଏଁ ବଳବତ୍ତର ରହିବ। ସେହିପରି ସନ୍ଧ୍ୟାଦର୍ଶନ, ବାହୁଡ଼ା, ସୁନାବେଶ ଓ ଅନ୍ୟ ଦିନରେ ଭିଡ଼କୁ ଦେଖି ଟ୍ରାଫିକ ବ୍ୟବସ୍ଥା ହେବ। ଆଜି ରିଜର୍ଭ ପୁଲିସ ଲାଇନ୍‌ରେ ଟ୍ରାଫିକ ଦାୟିତ୍ୱରେ ଥିବା ଏଡିଜି ଅମିତାଭ ଠାକୁର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପୁରୀ ସହର ଭିତରେ ଦୁଇଟି ଓ ବାହାରେ ଏହିପରି ଟ୍ରାଫିକ୍‌ ବ୍ୟବସ୍ଥା ୩ ଭାଗରେ ବିଭକ୍ତ ହେବ। ଭୁବନେଶ୍ୱର ଓ କୋଣାର୍କ ପଟୁ ଆସୁଥିବା ଚାରି ଚକିଆ ଗାଡି ତାଳବଣିଆ ଓ ଗ୍ରୀଡ୍‌ ଷ୍ଟେସନ ଛକ ଓ ବ୍ରହ୍ମଗିରି ପଟୁ ଆସିଥିବା ଚାରି ଚକିଆ ଗାଡ଼ି ଫ୍ଲୋରିସ୍‌ ଇଣ୍ଡିଆରେ ପାର୍କିଂ କରିବ। ସହରକୁ ୧୪ଟି ଜୋନ୍‌ ଓ ୨୯ ଟି ସେକ୍ଟରରେ ବିଭକ୍ତ କରାଯାଇଛି। ଦୁଇ ଚକିଆ ଗାଡ଼ି ପାର୍କିଂ ପାଇଁ ୨୪ଟି ପାର୍କିଂ ସ୍ଥଳ ଚିହ୍ନଟ ହୋଇଛି। ୨୪ ଘଣ୍ଟିଆ ଟ୍ରାଫିକ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରିବ। ଗ୍ରୀନ୍‌ କରିଡ଼ର ସହ ଜରୁରୀକାଳୀନ ସେବା, ରଥଯାତ୍ରାରେ ନିୟୋଜିତ ଅଧିକାରୀ, ସେବାୟତ ଓ ସହରବାସୀଙ୍କ ପାଇଁ ଟ୍ରାଫିକ ବ୍ୟବସ୍ଥା କରାଯାଇଛି ବୋଲି ଅମିତାଭ ଠାକୁର କହିଛନ୍ତି।
ରଥଯାତ୍ରା ପାଇଁ ଚଳିତ ବର୍ଷ ରେଳବାଇ ପୁଲିସ ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଛି। ରେଳ ଷ୍ଟେସନରେ ପ୍ରଥମ ଥର ପାଇଁ ବ୍ୟବହୃତ ହେବ ଫେସ୍‌ ରେକଗିନେସନ୍‌ ସିଷ୍ଟମ(Face Recognition System)। ଏହା ଦ୍ୱାରା ପକେଟମାରଙ୍କୁ ଧରିବା ସୁବିଧା ହେବ। ଯାତ୍ରୀଙ୍କ ସୁରକ୍ଷା ଓ ଭିଡ ନିୟନ୍ତ୍ରଣ ପାଇଁ ଅଧିକ କଣ୍ଟ୍ରୋଲ ରୁମ୍, ଡ୍ରୋନ୍‌ ସହ ପର୍ଯ୍ୟାପ୍ତ ଆରପିଏଫ୍ ଓ ଜିଆରପି ପୁଲିସ ମୁତୟନ ହେବେ। ଏହାଛଡ଼ା ସାଧା ପୋଷାକଧାରୀ ପୁଲିସ, ସିସିଟିଭି କ୍ୟାମେରା ଓ ସମନ୍ୱିତ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ।
ସେହିପରି ତଟ ସୁରକ୍ଷାରେ ହେଲିକ୍ୟାପ୍ଟର, ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଫାଷ୍ଟ ପାଟ୍ରୋଲିଂ ଭେଇକିଲ କାର୍ଯ୍ୟ କରିବ। ପାରାଦୀପରେ ଫାଷ୍ଟ ଇଣ୍ଟରସେପ୍ଟର ବୋଟ ମୁତୟନ ରହିବ। ପେଣ୍ଠକଟାରେ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ। ତଟରକ୍ଷୀ ବାହିନୀ ଓ ଭାରତୀୟ ନୌସେନା ବୈଷୟିକ ଟିମ୍‌ ଓ ଗୁଇନ୍ଦା ସୂଚନା ପାଇଁ ସାଗର ମିତ୍ରର ମଧ୍ୟ ସହାୟତା ନିଆଯାଇଛି।

Leave a Reply

Your email address will not be published. Required fields are marked *