Spread the love

ରାଉରକେଲା : ସେପଟେ ଭୟାନକ ରୂପ ଧାରଣ କରିଛି ମଣିପୁର ହିଂସା। ହେଲେ, ଏପଟେ ରାଉରକେଲାରେ ଚାଲିଥିବା ୧୩ତମ କନିଷ୍ଠ ଜାତୀୟ ବାଳକ ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ମଣିପୁରର ଖେଳାଳି। ଏତିକି ନୁହେଁ, ମାସକ ପୂର୍ବେ ମଣିପୁର ଦଳ ନିଜର ଜଣେ ତାରକା ଖେଳାଳିଙ୍କୁ ହରାଇଥିବାବେଳେ ଏବେବି ସେମାନଙ୍କ ପରିବାର ହିଂସା ଭିତରେ କାଳାତିପାତ କରୁଛନ୍ତି। ଏପରିସ୍ଥଳରେ ପ୍ରତି‌ଯୋଗିତାରେ ଯୋଗଦେବା ପାଇଁ ଖେଳାଳିମାନଙ୍କୁ କିଭଳି ସଂଘର୍ଷ କରିବାକୁ ପଡ଼ିଥିଲା, ତାହା ଏବେ ସାମ୍‌ନାକୁ ଆସିଛି।
ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଜାନୁଆରି ମାସରେ ଆୟୋଜିତ ପୁରୁଷ ହକି ବିଶ୍ବକପ୍‌ ସମୟରେ ପ୍ରେରଣାଦାୟୀ ଦୃଶ୍ୟ ଦେଖିବାକୁ ମିଳିଥିଲା। ଖେଳ ପ୍ରତି ଭଲପାଇବା ଆଗରେ ଅର୍ଥାଭାବ ହାର୍‌ ମାନିଯାଇଥିଲା। ଅର୍ଥାଭାବ ଯୋଗୁ କିଛି ପୂର୍ବତନ ହକି ଖେଳାଳି, କୋଚ୍‌ ତଥା କ୍ରାଉଡ୍‌ଫଣ୍ଡିଂ କରି ବିଶ୍ବକପ୍‌ରେ ଭାଗନେଇଥିଲା ୱେଲ୍‌ସ ଦଳ। ୱେଲ୍‌ସର ଏହି ଖେଳୁଆଡ୍‌ ମନୋଭାବ ସେତେବେଳେ ବିଶ୍ବବ୍ୟାପୀ ପ୍ରଶଂସିତ ହୋଇଥିଲା। ଏବେ ସମାନ ଦୃଶ୍ୟ ପରିଲକ୍ଷିତ ହୋଇଛି ରାଉରକେଲାରେ ଚାଲିଥିବା ୧୩ତମ କନିଷ୍ଠ ଜାତୀୟ ବାଳକ ହକି ପ୍ରତିଯୋଗିତାରେ। ଅର୍ଥାଭାବ ଯୋଗୁ ମଣିପୁର ଦଳ ମଧ୍ୟ ସମାନ ଢଙ୍ଗରେ ଅର୍ଥ ଯୋଗାଡ଼କରି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି।
ସୂଚନା ଅନୁସା‌ରେ, ବ୍ୟାପକ ହିଂସା, ପୋଡ଼ାଜଳା ଭିତରେ ଚୟନ ଶିବିର ଆୟୋଜନ ସହ ଚୂଡ଼ାନ୍ତ ଦଳ ଚୟନ କରାଯାଇଥିଲା। ଠିକ୍‌ ଏତିକିବେଳେ ଅର୍ଥାଭାବ ବିରାଟ ସମସ୍ୟାଭାବେ ଉଭା ହୋଇଥିଲା। ତେବେ,ଏହାକୁ ବେଖାତିର୍‌ କରି କୋଚ୍‌ ନେପୋଲିଅନ ସିଂହ ଚାନମାଥବାମ ଓ ମ୍ୟାନେଜର ଥିୟାମ୍‌ ରୋଶନକୁମାର ସିଂହ ଅର୍ଥ ଯୋଗାଡ଼ରେ ଲାଗିପଡ଼ିଥିଲେ। ପରେ ନିଜ ପକେଟରୁ ତଥା କିଛି ଜିଲ୍ଲାସଂଘ, ପୂର୍ବତନ ହକି ଖେଳାଳି, ହକିପ୍ରେମୀଙ୍କଠାରୁ ଚାନ୍ଦା ଆଦାୟ କରାଯାଇଥିଲା। ସମସ୍ତେ ମୁକ୍ତ ହସ୍ତରେ ଆର୍ଥିକ ସହାୟତା ବି ଦେଇଥିଲେ। ପରେ ଦଳର ୧୯ଜଣ ଖେଳାଳିଙ୍କ ସମେତ ମ୍ୟାନେଜର ରୋଶନ କୁମାର, ଇମ୍ଫାଲରୁ ବିମାନରେ ବାହାରି କୋଲକାତାରେ ପହଞ୍ଚିଥିଲେ। ସେଠାରୁ ହାୱଡ଼ା ଲୋକମାନ୍ୟ ତିଲକ ଏକ୍ସ‌ପ୍ରେସ୍‌ରେ ବସି ରାଉରକେଲାରେ ପହଞ୍ଚିଥିଲେ। ଏ ବାବଦକୁ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ବ୍ୟୟ ହୋଇଛି। ପ୍ରତିଯୋଗିତା ଆସନ୍ତା ୨୨ ତାରିଖରେ ଶେଷ ହେବାପରେ ପୁଣି ମଣିପୁର ଦଳ ନିଜ ଘର ଅଭିମୁଖେ ବାହୁଡ଼ିଯିବ। ସେତେବେଳେ ମଧ୍ୟ ଏହି ଅର୍ଥାଭାବ ଲାଗି ରହିବ। କାରଣ ଫେରିବା ପାଇଁ ପାଖରେ ଯେତିକି ଅର୍ଥ ମହଜୁଦ ରହିଛି, ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଦଳର ଜଣେ ସଦସ୍ୟ କହିଛନ୍ତି।
ମ୍ୟାନେଜର ରୋଶନ କୁମାର କହିଛନ୍ତି, ‘ ଦଳ ବହୁ ବାଧାବିଘ୍ନ ପାର କରି ରାଉରକେଲାରେ ପହଞ୍ଚିଛି। ଅର୍ଥାଭାବ ଗୋଟିଏସମୟରେ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଉପରେ ପ୍ରଶ୍ନଚିହ୍ନ ଲଗାଇଥିଲା। କିନ୍ତୁ ପୂର୍ବତନ ଖେଲାଳି, ହକିପ୍ରେମୀ, ଖୋଦ୍‌ ଖେଳାଳିଙ୍କଠାରୁ ଅର୍ଥ ଆଦାୟ କରି ଏହି ସମସ୍ୟାକୁ ଦୂର କରାଯାଇପାରିଛି।’ ‘ ତେବେ ଏହି ସମସ୍ୟା ପୂରା ଦୂର ହୋଇନି। ଜନ୍ମମାଟିରେ ଚାଲିଥିବା ହିଂସାକୁ ଭୁଲି ପ୍ରତିଯୋଗିତାରେ ମନୋନିବେଶ କରିବାକୁ ଖେଳାଳିଙ୍କୁ ପରାମର୍ଶ ଦେଇଛୁ। କିନ୍ତୁ, ଆଜିକାର ଡିଜିଟାଲ ଯୁଗରେ ଏହା ସମ୍ଭବ ହେଉନି। ତେବେ ଏହି ଦୁଃଖ ଖେଳ ପ୍ରତି ନକାରାତ୍ମକ ପ୍ରଭାବ ପକାଇପାରିନି। ପ୍ରତିଯୋଗିତାରେ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି ଓ ଓଡ଼ିଶା ବିପକ୍ଷ ମ୍ୟାଚ୍‌ରେ ଆହୁରି ଉନ୍ନତ ପ୍ରଦର୍ଶନ କରିବ,’ ବୋଲି ଆ​ମେ ଆଶାବାଦୀ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ମଣିପୁର ତାର ପ୍ରଥମ ମ୍ୟାଚ୍‌ର ଜମ୍ମୁ ଓ କଶ୍ମୀରକୁ ୧୬-୧ ଗୋଲ୍‌ରେ ପରାସ୍ତ କରିଛି। ସେହିଭଳି ଶୁକ୍ରବାର ଖେଳିଥିବା ଦ୍ବିତୀୟ ମ୍ୟାଚ୍‌ରେ ଗୁଜୁରାଟକୁ ସଂପୂର୍ଣ୍ଣ ଏକତରଫାଭାବେ ୧୯-୦ ଗୋଲ୍‌ରେ ପରାସ୍ତ କରିଛି। ଦଳ ତାର ଶେଷ ଲିଗ୍‌ ମ୍ୟାଚ୍‌ ଓଡ଼ିଶା ବିପକ୍ଷରେ ଖେଳିବ।

Leave a Reply

Your email address will not be published. Required fields are marked *