Spread the love

ନୂଆଦିଲ୍ଲୀ: ମହାକାଶ ଏବଂ ବ୍ରହ୍ମାଣ୍ଡ ଖୁବ୍‌ ବିସ୍ତୃତ, ଯାହା ଉପରେ ଅନବରତ ଅନୁସନ୍ଧାନ କରାଯାଉଛି। ପ୍ରତ୍ୟେକ ଦିନ ଗବେଷକ ଓ ବୈଜ୍ଞାନିକମାନେ ନୂଆ ନୂଆ ତଥା ଚମତ୍କାର ଆବିଷ୍କାରମାନ କରୁଛନ୍ତି, ଯାହା ଆମକୁ ଆଶ୍ଚର୍ଯ୍ୟ କରିଦେଇଥାଏ। କେବଳ ଏତିକି ନୁହେଁ, ସେମାନଙ୍କ ମଧ୍ୟରୁ ଅନେକ ମହାକାଶରେ ଉଦ୍ଭିଦ ବୃଦ୍ଧି ପାଇଁ ମଧ୍ୟ ଉଦ୍ୟମ କରୁଛନ୍ତି। ଅନେକ ବୈଜ୍ଞାନିକ ମହାକାଶରେ ପନିପରିବା ଫଳାଇବା ଓ ବଗିଚା କରିବାରେ ସକ୍ଷମ ହୋଇଛନ୍ତି। ନିକଟରେ ନାସା(NASA) ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରେ ଫୁଟିଥିବା ଏକ ଫୁଲର ଆଶ୍ଚର୍ଯ୍ୟଜନକ ଫଟୋ ଶେୟାର କରିଛି।
ନାସା ପୋଷ୍ଟରେ ଲେଖାହୋଇଛି, ‘‘ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରେ ଏହି ଜିନିଆକୁ କକ୍ଷ ପଥରେ ଫୁଟାଯାଇଛି। ବୈଜ୍ଞାନିକମାନେ ୧୯୭୦ ଦଶକରୁ ମହାକାଶରେ ଉଦ୍ଭିଦ ଗବେଷଣା କରୁଛନ୍ତି, କିନ୍ତୁ ନାସା ମହାକାଶଚାରୀ କେଜେଲ ଲିଣ୍ଡଗ୍ରେନ୍‌ଙ୍କ ଦ୍ବାରା ୨୦୧୫ରେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରେ ଏହି ନିର୍ଦ୍ଦିଷ୍ଟ ପରୀକ୍ଷଣ ଆରମ୍ଭ କରାଯାଇଥିଲା।’’
ଆହୁରି କୁହାଯାଇଛି ଯେ, ‘‘ଆମ ମହାକାଶ ବଗିଚା କେବଳ ଦେଖାଇବା ପାଇଁ ନୁହେଁ : କକ୍ଷପଥରେ ଉଦ୍ଭିଦ କିପରି ବିକଶିତ ହୁଏ, ତାହା ଶିଖିବା ଦ୍ବାରା ପୃଥିବୀରେ କିପରି ଫସଲ ବଢିବ ତାହା ଆମକୁ ବୁଝିବାରେ ସାହାଯ୍ୟ କରିବ। ଚନ୍ଦ୍ର, ମଙ୍ଗଳ ଏବଂ ଅନ୍ୟାନ୍ୟ ସ୍ଥାନକୁ ଦୀର୍ଘକାଳୀନ ମିଶନରେ ତାଜା ଖାଦ୍ୟର ଏହା ଏକ ମୂଲ୍ୟବାନ ଉତ୍ସ ଯୋଗାଇବ।’’
ନାସା ବୈଜ୍ଞାନିକମାନେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରେ ଅନ୍ୟାନ୍ୟ ପନିପରିବା ସହ ଲେଟ୍ୟୁସ, ଟମାଟୋ ଓ ଚିଲି ପେପର ମଧ୍ୟ ଫଳାଇଛନ୍ତି।
ଏହି ପୋଷ୍ଟ ଗୋଟିଏ ଦିନ ପୂର୍ବରୁ ହିଁ ଶେୟାର କରାଯାଇଛି। ଶେୟାର କରାଯିବା ପରେ ଏହକୁ ୭ ଲକ୍ଷରୁ ଊର୍ଦ୍ଧ୍ବ ଲାଇକ୍‌ ମିଳି ସାରିଲାଣି। ଏଥିସହ ଅନେକ କମେଣ୍ଟ ମଧ୍ୟ ମଳିଛି।
ଜଣେ ୟୁଜର ଲେଖିଛନ୍ତି, ଏହି ସୌନ୍ଦର୍ଯ୍ୟ ବଢିବାକୁ କେତେ ସମୟ ଲାଗିଲା ? ଆଉ ଜଣେ ଲେଖିଛନ୍ତି, ‘‘ଅଦ୍ଭୁତ ଓ ସୁନ୍ଦର।’’ ସେହିଭଳି ଅନ୍ୟଜଣେ ଲେଖିଛନ୍ତି, ‘‘ଅବିଶ୍ବସନୀୟ।’’

Leave a Reply

Your email address will not be published. Required fields are marked *