Spread the love

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଏବେ ବିଭିନ୍ନ ଜିଲ୍ଲାକୁ ଗସ୍ତରେ ଯାଇ ସଭାସମିତି କରି ସାଧାରଣ ଲୋକଙ୍କୁ ଭେଟୁଥିବାବେଳେ ରାଜ୍ୟ ବିଜେପି ଏହାକୁ କଡ଼ା ଭାଷାରେ ସମାଲୋଚନା କରିଛି । ଫାଇଭ-ଟି ସଚିବ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବା ପୂର୍ବରୁ ତାଙ୍କର ମଂଚ ବାନ୍ଧିବା ଓ ସଭାକୁ ଲୋକ ଆଣିବା ଦାୟିତ୍ୱରେ ବିଜେଡିର ସାଂସଦ ଓ ବିଧାୟକମାନେ ରହିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ସିଧାସଳଖ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ଯେ, ଓଡ଼ିଶାରେ ଗତ କିଛି ଦିନ ହେବ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ଦେଖିବା ପାଇଁ ମିଳୁଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ରହି ତାଙ୍କ ବ୍ୟକ୍ତିଗତ ସହାୟକଙ୍କୁ ରାଜ୍ୟର ବିକାଶର କାମ ଦେଇଥିବା ଦେଖିବାକୁ ମିଳୁଛି ।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ବୁଲି ଜନସାଧାରଣଙ୍କୁ ଅବଗତ କରାଉଛନ୍ତି ଯେ, ‘ଲୋକଙ୍କ କଥାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଁଚାଇବା ପାଇଁ ଆପଣଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ମୋତେ ପଠାଇଛନ୍ତି’ ସାମ୍ବିଧାନିକ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟକୁ ଦେଖିବା ପାଇଁ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଓ ସରପଂଚ ଜନସାଧାରଣଙ୍କ ସମସ୍ୟା ବୁଝିବା ପାଇଁ ରହିଥାନ୍ତି । ଓଡ଼ିଶାରେ କିନ୍ତୁ ଏହାର ବିପରୀତ ତଥା ବିରଳ ଘଟଣା ଦେଖିବାକୁ ମିଳୁଛି । ସାଂସଦ ଓ ବିଧାୟକମାନେ ବ୍ୟକ୍ତିଗତ ସହାୟକଙ୍କ ପାଇଁ ମଂଚ ବାନ୍ଧିବା ଠାରୁ ଲୋକ ଯୋଗାଡ଼ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଶ୍ରୀ ସମୀର ମହାନ୍ତି ଟ୍ୱିଟ୍ କରି କହିଛନ୍ତି ।

Leave a Reply

Your email address will not be published. Required fields are marked *