Spread the love

ପୁରୀ : ଚନ୍ଦନ ଯାତ୍ରା ଗଲା। ସ୍ନାନଯାତ୍ରା ବି ସରିଗଲା। ତଥାପି ଅନ୍ତ ହେଉନି ହେରିଟେଜ୍ କରିଡର ସନ୍ଦେହ। ମୁଣ୍ଡ ଉପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ହେଲେ ଏଯାଏଁ ସରି ପାରିଲାନି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାମ। ଦିନରାତି ଖୋଳା ପୋତା ସାଙ୍ଗକୁ ବିଛାଡ଼ି ହୋଇପଡ଼ିଛି ନାନା ଯନ୍ତ୍ରପାତି। ତଥାପି ଜିଲ୍ଲା ପ୍ରଶାସନ ଜୁନ୍ ୨୦ ପୂର୍ବରୁ ସାରିଦେବାକୁ ପ୍ରତିଶ୍ରୁତି ଦେଇଛି। ଏଣେ ଅଧାପନ୍ତରିଆ କାମ ଓ ମୂଳ ଡିଜାଇନରେ ମନଇଚ୍ଛା ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ଆଣି ଅସନ୍ତୋଷ ଝାଡ଼ିଛନ୍ତି ଖୋଦ୍ ପରିଚାଳନା କମିଟି ସଦସ୍ୟ।
ଏବେ ପ୍ରଶ୍ନ ରଥଯାତ୍ରା ଆଗରୁ ସରିବ ତ ଶ୍ରୀମନ୍ଦିର ଐତିହ୍ୟ କରିଡରର ବାହ୍ୟ ପ୍ରକଳ୍ପ? ବାରମ୍ବାର ନିର୍ଭର ପ୍ରତିଶ୍ରୁତି ଓ ନିଇତି ଗ୍ରାଉଣ୍ଡ ଜିରୋରେ ସମୀକ୍ଷା ପରେ ସମୀକ୍ଷା ସତ୍ତ୍ୱେ ଏବେକାର ସ୍ଥିତି ଅତି କଦ୍ଦର୍ଯ୍ୟ। ରାସ୍ତା, ଡ୍ରେନେଜ, ଇଲେକଟ୍ରିକ୍ ସିଷ୍ଟମ, ଫେବର ବ୍ଳକ ଅବା ସୌନ୍ଦର୍ଯ୍ୟକର, କେଉଁ ଗୋଟିଏ ବି ଠିକରେ ସରିନି। ଯାହାକୁ ନେଇ ଆଗରୁ ଭକ୍ତ ଓ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇ ଆସୁଥିଲେ। ଏବେ ଖୋଦ୍ ମହାପ୍ରଭୁଙ୍କ ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବି ଅସନ୍ତୋଷ ଝାଡ଼ିଲେଣି। କହୁଛନ୍ତି ରଥଯାତ୍ରା, ସୁନାବେଶ, ନୀଳାଦ୍ରି ବିଜେ ସମୟରେ ଶ୍ରୀମନ୍ଦିର ଚାରିପାଖେ ପ୍ରବଳ ଭକ୍ତଙ୍କ ସମାଗମ ହେବ।
ତେଣୁ ଅଧପନ୍ତରିଆ ପ୍ରକଳ୍ପ କାମ ଯୋଗୁଁ ଜଗା ଦର୍ଶନାର୍ଥୀ ହୀନସ୍ତା ହେବା ସୁନିଶ୍ଚିତ। ତାସହ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ବାଲିସାହି, ବାସେଳିସାହି, ଗଡନ୍ତି ଛକ ଓ ଦକ୍ଷିଣଦ୍ୱାର ରାସ୍ତା ସବୁଠି ଅଧାବିଧା କାମରେ ଲଟକିଛି। ସେସବୁ ସାହିର ଲୋକେ ବି ନାହିଁ ନଥିବା ଯନ୍ତ୍ରଣା ଭୋଗୁଛନ୍ତି। ବିଶେଷକରି ଆଉଟର ଆକସେସ୍ ରୋଡ କାମ ରଥଯାତ୍ରା ଆଗରୁ ସାରିବାକୁ ଓବିସିସି ଓ ଟାଟାକୁ ଡେଡ୍ ଲାଇନ୍ ଦିଆଯାଇଥିଲେ ବି ତାହା କାର୍ଯ୍ୟକ୍ଷମ ହେବା ନେଇ ସନ୍ଦେହ ତୁଟୁନି। ଏମିତିକି ପ୍ରକଳ୍ପ ଆରମ୍ଭ ପୂର୍ବରୁ ଯେଉଁ ଡିଜାଇନ୍ ଅନୁମୋଦନ ପାଇଁ ପରିଚାଳନା କମିଟିକୁ ଆସିଥିଲା, ସେଥିରେ ଏବେ ପରିବର୍ତ୍ତନ ଘଟିଛି ବୋଲି ଅଭିଯୋଗ ଆଣିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସହସ୍ୟ।
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି, ପ୍ରକଳ୍ପ ସ୍ଥଳରେ କଣ ତିଆରି ହେଉଛି, କଣ ଭଙ୍ଗା ଯାଉଛି ? ସେନେଇ ପରିଚାଳନା କମିଟି ସଦସ୍ୟ ବି ଅନ୍ଧାରରେ ଅଛନ୍ତି। ସବୁକିଛି ଲୁଚାଛପା ଚାଲିଛି। ସ୍ପଷ୍ଟ କରାଯାଉନି। ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ଯଦି ରଥଯାତ୍ରା ସୁଦ୍ଧା କାମ ଠିକ୍ ନ ସରେ ତେବେ ଭକ୍ତ ଅସୁବିଧା ଭୋଗିବା ସୁନିଶ୍ଚିନ୍ତ। ତେଣୁ ତୁରନ୍ତ କାମ ସରିବା ଠିକ୍ ହେବ।
ଐତିହ୍ୟ କରିଡର ପ୍ରକଳ୍ପର ବାସ୍ତବ ସ୍ଥିତି ଯାହା ଥାଉନା କାହିଁକି, ଶୀଘ୍ର ସାରିବାକୁ ପ୍ରତିଶ୍ରୁତି ଦେବାରେ କିନ୍ତୁ ଜମା ଢିଲା ଦେଉନି ଜିଲ୍ଲା ପ୍ରଶାସନ। ଗତ ୮ ତାରିଖ ଦିନ ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଓବିସିସି ଓ ଟାଟା ଅଧିକାରୀଙ୍କ ସମେତ ପରିଚାଳନା କମିଟି ସଦସ୍ୟମାନେ ପ୍ରକଳ୍ପ ସ୍ଥଳ ବୁଲି କାମ ଅନୁଧ୍ୟାନ କରିଥିଲେ। ଆଉଟର ଆକସେସ୍ ରୋଡ କାମ ରଥଯାତ୍ରା ପୂର୍ବରୁ ସରିଯିବ ବୋଲି କହିବା ସହ ସେବାଟେ ଗାଡିମଟର ଯାଆସ ଏବଂ ଭକ୍ତଙ୍କ ପାଇଁ ଟଏଲେଟ ସୁବିଧା ମିଳିଯିବ ବୋଲି କହିଥିଲେ ଜିଲ୍ଲାପାଳ ସମର୍ଥ ବର୍ମା।
ତେଣୁ ଦେଖିବାର କଥା, ଜୁନ ୨୦ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ହେଲେ ତାପୂର୍ବରୁ ପରିକ୍ରମା ପ୍ରକଳ୍ପ ଭକ୍ତଙ୍କ ସେବାରେ ଲାଗିଯିବ ନା ପୁଣି ଡେରି ହେବ, ଏବେ ତାକୁ ଅପେକ୍ଷା।

Leave a Reply

Your email address will not be published. Required fields are marked *