Spread the love

ମିରଟ: ଶୁକ୍ରବାର ସକାଳ ପ୍ରାୟ ୫ଟା ବେଳେ ଉତ୍ତର ପ୍ରଦେଶର ହାପୁର ଜିଲ୍ଲା ଅନ୍ତର୍ଗତ ସିଦ୍ଧପୀଠ ଚଣ୍ଡୀ ମନ୍ଦିର ପରିସରରେ ନମାଜ ପଢ଼ିବା ଅଭିଯୋଗରେ ଶନିବାର ଦିନ ହାପୁର ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ମନ୍ଦିର କମିଟିର ଅନ୍ୟତମ କାର୍ଯ୍ୟକର୍ତ୍ତା ସତ୍ୟନାରାୟଣ ଅଗ୍ରୱାଲ୍‌ ଉକ୍ତ ବ୍ୟକ୍ତିଙ୍କ ନାଁ’ରେ କୋଟ୍‌ୱାଲି ନଗର ଥାନାରେ ‘ଏଫ୍‌ଆଇଆର୍‌’ରେ ଦେଇଥିବା କଥା ‘ନିଉଜ୍‌ ଏଜେନ୍‌ସି ପିଟିଆଇ’ ରିପୋର୍ଟ କରିଛି।

ହାପୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଭିଷେକ ବର୍ମା କହିଛନ୍ତି ଯେ, ଶୁକ୍ରବାର ସକାଳେ ମନ୍ଦିରରେ ନମାଜ ପଢ଼ିଥିବା ଅଭିଯୁକ୍ତ ହେଉଛନ୍ତି ଅନ୍‌ୱାର୍‌। ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଫୁଟେଜ୍‌ ଯାଞ୍ଚ କରିବା ପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା।ତାଙ୍କୁ ବୁଲନ୍ଦସହର ରୋଡ୍‌ରୁ ଗିରଫ କରି ପଚରା ଉଚରା କରାଯାଉଛି।

ସେଦିନ ସକାଳେ ପ୍ରଭାତ ଆରତି ପାଇଁ ମନ୍ଦିରରେ ଉପସ୍ଥିତ ଥିବା ଭକ୍ତମାନେ ବି କହିଛନ୍ତି ଯେ, ଅଭିଯୁକ୍ତ ମନ୍ଦିର ପ୍ରାଙ୍ଗଣରେ ଖଣ୍ଡେ କପଡ଼ା ବିଛାଇ ନମାଜ ପଢ଼ିଲେ। କିନ୍ତୁ, ପୂଜକ ତାଙ୍କୁ ବାଧା ଦେଇଥିଲେ ଓ ପରେ ଅଭିଯୁକ୍ତଙ୍କୁ ମନ୍ଦିର ପରିସର ବାହାରକୁ ନିଆଯାଇଥିଲା।

ମନ୍ଦିରରେ ନମାଜ ପଢ଼ିଥିବା ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ସ୍ଥାନୀୟ ‘ବିଜେପି’ ନେତାମାନେ ଦାବି କରିଛନ୍ତି। ସହରରେ ଥିବା ମନ୍ଦିରମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଠୋର କରିବା ଲାଗି ହାପୁର ବିଧାୟକ ବିଜୟପାଲ ଆଧତି ମଧ୍ୟ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ନମାଜ ପାଠ ହୋଇଥିବାରୁ ଶନିବାର ସକାଳେ ଭକ୍ତମାନେ ଗଙ୍ଗାଜଳ ସିଞ୍ଚନ କରି ମନ୍ଦିରକୁ ଶୁଦ୍ଧ କରିଥିଲେ। ପରେ ସନ୍ଧ୍ୟା ବେଳକୁ ବ୍ରଜଘାଟରୁ ଗଙ୍ଗାଜଳ ଆଣି ମନ୍ଦିର ଶୋଧନ କରାଯାଇଥିଲା।

Leave a Reply

Your email address will not be published. Required fields are marked *