Spread the love

ଚେନ୍ନାଇ : ଭାରତରେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏବେ ଦେଶରେ ସମୁଦାୟ ମଧୁମେହ ରୋଗୀଙ୍କ ସଂଖ୍ୟା ୧୦.୧ କୋଟିରୁ ଅଧିକ ହେଲାଣି। ୨୦୧୯ରେ ଦେଶରେ ୭ କୋଟି ଲୋକ ଏହି ରୋଗରେ ପୀଡ଼ିତ ଥିବାବେଳେ ଗତ ୪ ବର୍ଷ ମଧ୍ୟରେ ସେମାନଙ୍କ ସଂଖ୍ୟା ୪୪ ପ୍ରତିଶତ ବୃଦ୍ଧି ଘଟିଛି। ବ୍ରିଟେନର ମେଡିକାଲ ଜର୍ଣ୍ଣାଲ ଲାନସେଟ୍‌ରେ ପ୍ରକାଶ ପାଇଥିବା ଆଇସିଏମ୍‌ଆର୍‌ ଅନୁଧ୍ୟାନରୁ ଏହା ଜଣାଯାଇଛି।
କିଛି ବିକଶିତ ରାଜ୍ୟରେ ମଧୁମେହ ରୋଗୀଙ୍କ ସଂଖ୍ୟାରେ ସ୍ଥିରତା ରହିଛି। କିନ୍ତୁ ଅଧିକାଂଶ ରାଜ୍ୟରେ ଏହା ଚିନ୍ତଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଯେଉଁସବୁ ରାଜ୍ୟରେ ଏହାର ମାତ୍ରା ବଢ଼ିବାରେ ଲାଗିଛି ସେଠାରେ ସରକାରଙ୍କ ଜରୁରୀ ପଦକ୍ଷେପ ଆବଶ୍ୟକ ହୋଇପଡ଼ିଛି ବୋଲି ଅନୁଧ୍ୟାନରେ କୁହାଯାଇଛି। ଏହାବ୍ୟତୀତ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଯେ ଦେଶରେ ୧୩.୬ କୋଟି ଲୋକ ବା ମୋଟ ଜନସଂଖ୍ୟାର ୧୫.୩ ପ୍ରତିଶତ ଲୋକ ମଧୁମେହ ରୋଗର ପୂର୍ବ ପର୍ଯ୍ୟାୟରେ ରହିଛନ୍ତି।
ରାଜ୍ୟଗୁଡ଼ିକୁ ଦେଖିଲେ ଗୋଆରେ ସର୍ବାଧିକ ୨୬.୪ ପ୍ରତିଶତ ଲୋକ ‌ମଧୁମେହରେ ପୀଡ଼ିତ। ଏହା ପଛକୁ ପୁଡ଼ୁଚେରିରେ ୨୬.୩ ପ୍ରତିଶତ ଏବଂ କେରଳରେ ୨୫.୫ ପ୍ରତିଶତ ଲୋକ ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି। ସର୍ବାଧିକ ପ୍ରଭାବିତ ୧୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଚଣ୍ଡୀଗଡ଼ (୨୦.୪%), ଦିଲ୍ଲୀ (୧୭.୮%), ତାମିଲନାଡ଼ୁ (୧୪.୪%), ପଶ୍ଚିମବଙ୍ଗ (୧୩.୭%), ସିକ୍କିମ (୧୨.୮%), ପଞ୍ଜାବ (୧୨.୭%) ଏବଂ ହରିୟାଣା ୧୨.୪%) ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନ ମଧ୍ୟରେ ରହିଛନ୍ତି। ତେବେ ଜାତୀୟ ସ୍ତରରେ ହାରାହାରି ୧୧.୪ ପ୍ରତିଶତ ଲୋକଙ୍କୁ ମଧୁମେହ ହୋଇଛି।
ଆଗାମୀ ଦିନରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଏବଂ ଅରୁଣାଚଳ ପ୍ରଦେଶରେ ଆଗାମୀ ଦିନରେ ମଧୁମେହ ରୋଗ ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଇବ ବୋଲି ଉକ୍ତ ଅନୁଧ୍ୟାନରେ ସତର୍କ କରାଇ ଦିଆଯାଇଛି। ଉତ୍ତର ପ୍ରଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ୪.୮ ପ୍ରତିଶତ ରହିଛି, ଯାହାକି ଦେଶରେ ସବୁଠୁ କମ୍। କିନ୍ତୁ ଏଠାରେ ୧୮ ପ୍ରତିଶତ ଲୋକ ମଧୁମେହର ପୂର୍ବ ପର୍ଯ୍ୟାୟରେ ଅଛନ୍ତି। ତେଣୁ ଆଗାମୀ ଦିନରେ ୟୁ‌ପିରେ ମଧୁମେହ ରୋଗୀଙ୍କ ସଂଖ୍ୟାବୃଦ୍ଧି ଆଶଙ୍କା ଅଧିକ ରହିଛି। ଜୀବନଶୈଳୀରେ ପରିବର୍ତ୍ତନ ନଆଣିଲେ ମଧୁମେହ ରୋଗର ପୂର୍ବ ପର୍ଯ୍ୟାୟରେ ଥିବା ବ୍ୟକ୍ତିମାନେ ଏହି ରୋଗରେ ପଡ଼ିବା ଆଶଙ୍କା ଅଧିକ ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *