Spread the love

ବାଲେଶ୍ବର: ବାହାନଗା ଷ୍ଟେସନ୍‌ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧-ଅପ୍‌) ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଟ୍ରେନ୍‌ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ଅପରାହ୍ନ ପ୍ରାୟ ୭ଟା‌ ୦୫ ମିନିଟ୍‌ରେ ବାହାନଗା ଷ୍ଟେସନ୍‌ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଟେନ୍‌ ଉପରେ ଏହା ଚଢ଼ିଯାଇଥିଲା। ଫଳରେ ଟ୍ରେନ୍‌ର ୮ଟି ବଗି ରେଳଧାରଣାରୁ ତଳକୁ ଖସିପଡ଼ିଛି। ଦୁର୍ଘଟଣା ଅତି ଭୟଙ୍କର ହୋଇଥିବା ବେଳେ ଅନେକ ଯାତ୍ରୀଙ୍କ ଜୀବନ ଯାଇଥିବା ଏବଂ ଶତାଧିକ ଯାତ୍ରୀ ଆହତ ହୋଇଥିବା ଅନୁମାନ କରାଯା‌ଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରେଳବାଇ ପୁଲିସ ସହ ସ୍ଥାନୀୟ ସୋର ଓ ବାହାନଗା ପୁଲିସ ତଥା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଆହତମାନଙ୍କୁ ନିକଟସ୍ଥ ବାହାନଗା, ସ‌ୋର ଓ ବାଲେଶ୍ବର ଡାକ୍ତରଖାନା ନିଆଯାଉଛି।+

e04b26e5-a1c7-4310-ae29-9d08da458b3e
ଏହି ଘଟଣା ପରେ ଉଦ୍ଧାର କାର୍ଯ୍ୟ ଲାଗି ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି। ସ୍ବତନ୍ତ୍ର ରିଲିଫ୍ କମିସନର ବାଲେଶ୍ବର ଜିଲ୍ଲାପାଳଙ୍କୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହପରି ବାଲେଶ୍ବର ଏସପିଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ କୁହାଯାଇଛି।
ମିଳିଥିବା ସୂଚନା ଅନୁସାରେ ମାଲଗାଡ଼ିଟି ଷ୍ଟେସନ ପୂର୍ବରୁ ଥିବା ରେଳ ଫାଟକ ନିକଟରେ ଲାଇନରେ ଛିଡ଼ା ହୋଇଥିବା ବେଳେ କୋଲକାତା ଆଡ଼ୁ ଆସୁଥିବା ସୁପରଫାଷ୍ଟ ଏକ୍ସପ୍ରେସ କରମଣ୍ଡଳ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା। ରେଳଫାଟକ ବନ୍ଦ ଥିବାରୁ ଏହାର ଦୁଇ ପାର୍ଶ୍ବରେ ଲୋକ ଜମା ହୋଇଥିଲେ। ଦୁଘର୍ଟଣା ଫଳରେ ୮ଟି ବଗି ଲାଇନଚ୍ୟୁତ ହୋଇଥିଲା ଓ ଏହା ତଳେ ବହୁଯାତ୍ରୀ ଚାପି ହୋଇ ରହିଥିବା ସାମ୍ନାକୁ ଆସିଛି। ଘଟଣାସ୍ଥଳ ଅନ୍ଧାର ରହିଥିବ‌ାରୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନାହିଁ।

ଦୁର୍ଘଟଣାସ୍ଥଳରେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ହୋଇଥିବା ବେଳେ ହେଲ୍‌ପଲାଇନ୍‌ ନମ୍ବର ଜାରି ହୋଇଛି। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାରେ ପୀଡିତ ପରିବାର ଲୋକଙ୍କ ପାଇଁ ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯାଇଛି।

ହାୱଡା ହେଲ୍‌ପଲାଇନ୍‌ ନମ୍ବର ୦୩୩-୨୬୩୮୨୨୧୭,

ଖଡ଼ଗପୁର ହେଲ୍‌ପଲାଇନ୍‌ ନମ୍ବର ୮୯୭୨୦୭୩୯୨୫ ଓ ୯୩୩୨୩୯୨୩୩୯,

ବାଲେଶ୍ବର ହେଲ୍‌ପଲାଇନ୍‌ ନମ୍ବର ୮୨୪୯୫୯୧୫୫୯ ଓ ୭୯୭୮୪୧୮୩୨୨ 

ଶାଲିମାର ହେଲ୍‌ପଲାଇନ୍‌ ନମ୍ବର ୯୯୦୩୩୭୦୭୪୬।

Leave a Reply

Your email address will not be published. Required fields are marked *