Spread the love

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଦେଖା କରିବା ପରେ ହଠାତ୍‌ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି ତାଙ୍କ ବେଲାରୁଷ ପ୍ରତିପକ୍ଷ ଆଲେକ୍ସଜାଣ୍ଡର ଲୁକାଶେଙ୍କୋ। ତାଙ୍କୁ ମସ୍କୋର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ରିପୋର୍ଟ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁସାରେ, ଲୋକାଶେଙ୍କୋ ବର୍ତ୍ତମାନ ମସ୍କୋର ସେଣ୍ଟ୍ରାଲ କ୍ଲିନିକାଲ ହସ୍ପିଟାଲରେ ରହିଛନ୍ତି। ସ୍ୱତନ୍ତ୍ର ଡାକ୍ତର ଟିମ ତାଙ୍କର ଚିକିତ୍ସା କରୁଛନ୍ତି। ତଥାପି ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
୨୦୨୦ ବେଲାରୁଷ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବାଲେୟ ଟସେପକାଲୋ ପ୍ରଥମେ ଏସମ୍ପର୍କରେ ସୂଚନା ଦେଇଥିଲେ। ତାଙ୍କ ଟିମ ଏହି ସୂଚନା ପାଇଛି। ଏବେ ଏହା ସହ ଜଡ଼ିତ ଅଧିକ ତଥ୍ୟ ଯୋଗାଡ଼ କରାଯାଉଛି। ଲୁକାଶେଙ୍କୋ ଓ ପୁଟିନ ରୁଦ୍ଧଦ୍ୱାର ବୈଠକ କରିଥିଲେ।
ବୈଠକ ସରିବା କ୍ଷଣି ଉକ୍ତ ରୁମରେ ହିଁ ଲୋକାଶେଙ୍କୋ ଅବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ତୁରନ୍ତ ମସ୍କୋର ସେଣ୍ଟ୍ରାଲ କ୍ଲିନିକାଲ ହସ୍ପିଟାଲକୁ ନିଆଯାଇଥିଲା। ଏବେ ବି ସେ ହସ୍ପିଟାଲରେ ରହିଛନ୍ତି। ଖବର ପାଇ ବେଲାରୁଷର ଗୋଟିଏ ସ୍ୱତନ୍ତ୍ର ଡାକ୍ତରୀ ଟିମ ମସ୍କୋ ଯାଇଛନ୍ତି। ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ବୋଲି ଗୋଟିଏ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ବାଲେୟ କହିଛନ୍ତି।
ମେ’ ୯ରେ ମସ୍କୋର ରେଡ ସ୍କ୍ୱାଏରରେ ଆୟୋଜିତ ବିଜୟ ଦିବସ ଉତ୍ସବରେ ଲୁକାଶେଙ୍କୋ ନଜର ଆସିଥିଲେ। ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ଖବର ପ୍ରକାଶ ପାଇବାରେ ଲାଗିଛି। ଏହି ଖବର ତୀବ୍ର ହେବାରୁ ଲୁକାଶେଙ୍କୋ ନିଜେ ଏହାକୁ ଖଣ୍ଡନ କରିଥିଲେ ଓ ସେ ମରିବାକୁ ଯାଉ ନଥିବା ମଧ୍ୟ କହିଥିଲେ।

Leave a Reply

Your email address will not be published. Required fields are marked *