Spread the love

ପୁରୀ : ଶ୍ରୀମନ୍ଦିରରେ ନୀତିକାନ୍ତି ବିଳମ୍ବ ଯୋଗୁଁ ଭକ୍ତ ଛଟପଟ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ପ୍ରଚଣ୍ଡ ଖରାରେ ସିଝି ବଡ ଦାଣ୍ଡରେ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡୁଛି। ସରକାରଙ୍କ ଦାୟିତ୍ୱହୀନତାରୁ ଭକ୍ତ ଭୋଗୁଛି କଷ୍ଟ। ଶ୍ରୀମନ୍ଦିରରୁ ମରିଚିକୋଟ ଛକ ଯାଏଁ ଭକ୍ତଙ୍କ ଲମ୍ବା ଲାଇନ୍ ହେଉଛି। ପିଲାଛୁଆ ଓ ବୃଦ୍ଧ ବାପା-ମାଆଙ୍କୁ ନେଇ ଡହଳବିକଳ ହେଉଛନ୍ତି ଭକ୍ତ। ଖାଲି ପାଦରେ ପିଲାଙ୍କୁ କାଖେଇ ଘଂଟା ଘଂଟା ଧରି ଅପେକ୍ଷା କରିଛନ୍ତି ଶହ ଶହ ଶ୍ରଦ୍ଧାଳୁ। ତାତିରେ କଲବଲ ହୋଇଗଲେଣି। କିଏ ମହାରାଷ୍ଟ୍ରରୁ ଆସିଛି ତ କିଏ ପଶ୍ଚିମବଙ୍ଗ ଓ ଛତିଶଗଡରୁ। ପୂରା ପରିବାରକୁ ସାଙ୍ଗରେ ନେଇ ଧାଇଁ ଆସିଛନ୍ତି କାଳିଆ ଦର୍ଶନ କରିବାକୁ। ହେଲେ ଶ୍ରୀକ୍ଷେତ୍ରରେ ଯେମିତି ଏତେ ସହଜ ନୁହେଁ ମହାପ୍ରଭୁଙ୍କ ଦର୍ଶନ। ଖରାରେ ପାଦ ଜଳିଯାଉଛି, ମୁଣ୍ଡ ଝାଇଁ ମାରିଯାଉଛି, ତାରି ଭିତରେ ଦର୍ଶନ ପାଇଁ ଡହଳ ବିକଳ ଭକ୍ତ। ରବିବାରିଆ ଭିଡ ଭିତରେ କାହାର ମୁଣ୍ଡ ବୁଲାଇ ଦେଉଛି ତ, କିଏ ବ୍ୟାରିକେଡ୍ ଭିତରେ ଅଣନିଶ୍ୱାସୀ ହୋଇପଡୁଛନ୍ତି। ଭିଡ ଭିତରୁ ହ୍ୱିଲ ଚେୟାରରେ ଭକ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ବି କରାଯାଉଛି।
ମନ୍ଦିର ପ୍ରଶାସନର ଏଭଳି ଦର୍ଶନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ। ସରକାରୀ ବିଧିବ୍ୟବସ୍ଥାକୁ ସମାଲୋଚନା କରି ନିଶ୍ୱାସ ପକାଉଛନ୍ତି। ଶ୍ରୀଜିଉଙ୍କ ନୀତିକାନ୍ତି ତ୍ୱରାନ୍ୱିତ କରିବା ଉପରେ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଛନ୍ତି ଶ୍ରଦ୍ଧାଳୁ।
ଶ୍ରୀମନ୍ଦିର ତିନି ଦ୍ୱାରରେ ପ୍ରବେଶ କଟକଣା ଥିବାରୁ ସିଂହଦ୍ୱାରରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ ଜମୁଛି ଏବଂ ମହାପ୍ରଭୁଙ୍କ ଦର୍ଶନରେ ବହୁ ବିଳମ୍ବ ହେଉଛି। ମନ୍ଦିର ପ୍ରଶାସନର ଏଭଳି ଦର୍ଶନ ବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତମାନେ।
ଶ୍ରୀକ୍ଷେତ୍ରରେ କାହିଁକି ଶୃଙ୍ଖଳିତ ହେଉନି ଦର୍ଶନ ? ଏମିତି କେତେ ଦିନ ଡହଳ ବିକଳ ହୋଇ ଦର୍ଶନ କରିବେ ଭକ୍ତ ? ସୂଚନା ଅନୂସାରେ, ବିଳମ୍ବିତ ରାତିରେ ଶ୍ରୀଜିଉଙ୍କ ପହୁଡ ପଡୁଛି। ଫଳରେ ସକାଳୁ ଦ୍ୱାରଫିଟା ନୀତି ଏବଂ ମଙ୍ଗଳ ଆରତୀ ବିଳମ୍ବ ହେଉଛି। ଯାହାର ପ୍ରଭାବ ପଡୁଛି ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ। ମନ୍ଦିରରେ ନୀତିକାନ୍ତି ବିଳମ୍ବ ହେବା ଯୋଗୁଁ ଭକ୍ତ ଘଂଟା ଘଂଟା ଧରି ଖରାରେ ସିଝୁଛି। ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ଭକ୍ତ ଭିଡ଼ ବଢ଼ୁଥିବାରୁ ପ୍ରଶାସନକୁ ଏହାର ସ୍ଥାୟୀ ସମାଧାନ କରିବାକୁ ପଡ଼ିବ। ଭକ୍ତ ଏଭଳି କଷ୍ଟ ପାଇବା ଆଦୌ ଠିକ୍‌ ନୁହେଁ।
ପୁରୀ ଏସପି କନଓ୍ୱର ବିଶାଳ ସିଂ କହିଛନ୍ତି, ନୀତି ମୁତାବକ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଓ ବାହାରକୁ ଛଡ଼ା ଯାଉଛି। ଗହଳି ନିୟନ୍ତ୍ରଣ ନିମନ୍ତେ ସବୁ ପ୍ରକାର ଚେଷ୍ଟା କରାଯାଉଛି।

Leave a Reply

Your email address will not be published. Required fields are marked *