Spread the love

ଇମ୍ଫାଲ : ସାମୟିକ ଶାନ୍ତି ପରେ ପୁଣିଥରେ ଅଶାନ୍ତ ହୋଇ ଉଠିଛି ମଣିପୁର। ରାଜଧାନୀ ଇମ୍ଫାଲର କିଛି ସ୍ଥାନରେ ଆଜି ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ପୁଣି ସଂଘର୍ଷ ଦେଖିବାକୁ ମିଳିଛି। ଏହାକୁ ନେଇ ଇମ୍ଫାଲର କିଛି ସ୍ଥାନରେ ପୋଡ଼ାଜଳା ଓ ଭଙ୍ଗାରୁଜା ହୋଇଛି। ଏଥିପାଇଁ ଆର୍ମି ଯବାନଙ୍କୁ ମୁତୟନ କରାଯାଇଛି। ଏଥିସହ କିଛି ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ମୈତୈ ଓ କୁକି ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଆଜି ନ୍ୟୁ ଚେକୋନରେ ପ୍ରବଳ ମାରପିଟ ହୋଇଛି। ସ୍ଥାନୀୟ ମାର୍କେଟରେ ସ୍ଥାନ ସଂରକ୍ଷଣକୁ ନେଇ ଏପରି ସଂଘର୍ଷ ଘଟିଛି। ସଂଘର୍ଷ ପରେ ଦୁଇ ସଂପ୍ରଦାୟର ଲୋକମାନେ ପରସ୍ପର ଦୋକାନରେ ନିଆଁ ଲଗାଇ ଦେଇଥିଲେ। ସ୍ଥିତି ବିଗିଡ଼ିବାରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରାଯିବା ସହ ଦିନ ୧ଟାରୁ କର୍ଫ୍ୟୁ ପୁଣି ଲାଗୁ କରାଯାଇଛି।
ଇମ୍ଫାଲରେ ଦିନ ୪ଟା ଯାଏ କର୍ଫ୍ୟକୁ କୋହଳ କରାଯାଇଥିଲେ। ତେବେ ବିଭିନ୍ନ ସ୍ଥାନରେ ସଂଘର୍ଷ ଘଟିବାରୁ କର୍ଫ୍ୟୁ ଅବଧିକୁ ହ୍ରାସ କରି ଦିଆଯାଇଛି। କର୍ଫ୍ୟୁ ଲାଗୁ ହେବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଫ୍ଲାଗମାର୍ଚ୍ଚ ଆରମ୍ଭ ହୋଇଛି। ଲୋକଙ୍କୁ ପୂର୍ବଭଳି ଘରେ ରହିବାକୁ କୁହାଯାଇଛି।
ଚଳିତ ମାସ ଆରମ୍ଭରୁ ହିଁ ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀ ଲୋକଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଛି। ମୈତୈ ସଂପ୍ରଦାୟର ଲୋକମାନେ ନିଜକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବାକୁ ଦାବି କରୁଛନ୍ତି। ହେଲେ ଏହାକୁ ଆଦିବାସୀ ଛାତ୍ର ସଙ୍ଗଠନ ‘ଆଦିବାସୀ ଏକତା ମୋର୍ଚ୍ଚା’ ବିରୋଧ କରୁଛି। ‘ଆଦିବାସୀ ଏକତା ମୋର୍ଚ୍ଚା’ ପକ୍ଷରୁ ଏହା ବିରୋଧରେ ଗୋଟିଏ ଶୋଭାଯାତ୍ରା ବାହାରିଥିବା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ।
ଉକ୍ତ ଶୋଭଯାତ୍ରା ବେଳେ ଉଭୟ ଆଦିବାସୀ ଓ ଅଣଆଦିବାସୀ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉକ୍ତ ସଂଘର୍ଷର ନିଆଁ ପୂରା ରାଜ୍ୟରେ ବ୍ୟାପିଥିଲା। ଏଥିରେ ୭୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି କେନ୍ଦ୍ର ସରକାର ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିପୁଳ ସଂଖ୍ୟାରେ ଯବାନଙ୍କୁ ମଣିପୁର ମଧ୍ୟ ପଠାଇଛନ୍ତି।

Leave a Reply

Your email address will not be published. Required fields are marked *