ବେଙ୍ଗାଲୁରୁ : କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ବିଧାନସଭା ନିର୍ବାଚନରେ ଦଳର ପ୍ରଦର୍ଶନକୁ ନେଇ ବଡ ବୟାନ ଦେଇଛନ୍ତି । ବେଙ୍ଗାଲୁରୁରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ କଂଗ୍ରେସ ଏବେଠାରୁ ପ୍ରତ୍ୟେକ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ଉଚିତ। ଏଥିସହ ଆସନ୍ତା ସାଧାରଣ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି, ମୁଁ ଆପଣ ମାନଙ୍କ ସାମ୍ନାରେ ସ୍ୱୀକାର କରୁଛି ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦଳକୁ ମିଳିଥିବା ୧୩୫ ଟି ଆସନରେ ମୁଁ ଖୁସି ନୁହେଁ । ଆମର ଫୋକସ୍ ଠିକ୍ ସ୍ଥାନରେ ରହିବା ଉଚିତ ଏବଂ ତାହା ହେଉଛି ସାଧାରଣ ନିର୍ବାଚନ । କଂଗ୍ରେସ ଏବେଠାରୁ ପ୍ରତ୍ୟେକ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ଦରକାର। ଆଉ ଏଥିପାଇଁ ଆମ ସମସ୍ତଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଏହା କେବଳ ଆରମ୍ଭ, କେବଳ ଗୋଟିଏ ବିଜୟ ପରେ ଆପଣମାନେ ସମସ୍ତେ ବସିଯିବା ଉଚିତ ନୁହେଁ ।
କର୍ଣ୍ଣାଟକରେ ୨୮ଟି ଲୋକସଭା ଆସନ ରହିଛି। ଲୋକସଭା ଆସନ ଦୃଷ୍ଟିରୁ ଏହି ରାଜ୍ୟ ଦେଶର ସପ୍ତମ ବୃହତ୍ତମ ରାଜ୍ୟ ଅଟେ । ତେଣୁ ଏଠାରେ ବିଜୟ କିମ୍ବା ପରାଜୟ ଦଳର ପ୍ରଦର୍ଶନ ଉପରେ ବଡ଼ ପ୍ରଭାବ ପକାଇଥାଏ। ୨୦୧୯ ସାଧାରଣ ନିର୍ବାଚନରେ କର୍ଣ୍ଣାଟକରେ ବିଜେପିକୁ ୨୫ଟି ଆସନ ମିଳିଥିଲା। କଂଗ୍ରେସ ଓ ଜେଡିଏସ୍ ଗୋଟିଏ ଲେଖାଏଁ ଆସନ ଜିତିପାରିଥିଲେ ।