କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାଫଳ ଗୁରୁବାର ଦିନ ପ୍ରକାଶ ପାଇଛି। ମାଟ୍ରିକ ପରୀକ୍ଷାର ରେଗୁଲାର୍ ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୬.୪୦ ପ୍ରତିଶତ ରହିଥିବା ବେଳେ ଏକ୍ସରେଗୁଲାର୍ ଓ ପତ୍ରମାଧ୍ୟମ ପରୀକ୍ଷାଫଳକୁ ଏକାଠି ନେଲେ ସାମଗ୍ରିକ ପାସ୍ ହାର ୯୬.୧୯ ପ୍ରତିଶତ ରହିଛି। ଚଳିତ ବର୍ଷ ଓଡ଼ିଆ ମାଧ୍ୟମ ଦଶମ ପରୀକ୍ଷା ପାସ୍ ହାର୍ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡ ପାସ୍ ହାରକୁ ଟପିଯାଇଛି। ୨୦୨୨ରେ ମାଟ୍ରିକ ପାସ୍ ହାର ୯୦.୮୮ ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ପାସ ହାର ୫ ପ୍ରତିଶତରୁ ଅଧିକ ବଢି ଯାଇଛି। କିନ୍ତୁ ଗତବର୍ଷ ତୁଳନାରେ ଏ-୧ ଗ୍ରେଡ୍ରେ ପାସ୍ କରିଥିବା ପିଲାଙ୍କ ସଂଖ୍ୟା ୩୯୬୧ କମି ଯାଇଛି। ୨୦୨୨ରେ ୮୧୧୯ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ ପାଇଥିବା ବେଳେ ଚଳିତ ବର୍ଷ ତାହା ୪୧୫୮ ରହିଛି। ଚଳିତ ବର୍ଷ ଛାତ୍ରଙ୍କ ପାସ୍ ହାର ୯୫.୭୫ ପ୍ରତିଶତ ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର୍ ୯୭.୦୫ ପ୍ରତିଶତ ରହିଛି। ଚଳିତ ବର୍ଷ କୌଣସି ସ୍କୁଲ୍ ଶୂନ ପାସ୍ ତାଲିକାରେ ନଥିବା ବେଳେ ୩୨୨୨ଟି ସ୍କୁଲରେ ସମସ୍ତେ ପାସ୍ କରିଛନ୍ତି।
କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମାଟ୍ରିକ୍ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରି ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷା ଫଳାଫଳ ସଂପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଅଶ୍ବଥି ଏସ୍, ବୋର୍ଡ ସଭାପତି ରାମାଶିଷ ହାଜରା, ବୋର୍ଡ ସଂପାଦକ ସୁମିତା ସରକାର, ଉପସଭାପତି ଡକ୍ଟର ନିହାର ରଂଜନ ମହାନ୍ତି, ପରୀକ୍ଷା ନିୟନ୍ତ୍ରକ ସୁସ୍ମିତା ସାହୁଙ୍କ ସମେତ ପରୀକ୍ଷା କମିଟି ସଦସ୍ୟ, ବୋର୍ଡର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ ଓ ସଚିବ ଦେଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ମାଟ୍ରିକ ବାର୍ଷିକ ପରୀକ୍ଷାରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରି ପରୀକ୍ଷା ଦେବାର ସୁଯୋଗ ପାଇବେ। ଏବଂ ୨୦୨୪ ବର୍ଷ ପାଇଁ ଆଉ ଏସ୍ଏ-୧, ଏସ୍ଏ-୨ ନକରି ପୁଣି ପୁରୁଣା ଢଙ୍ଗରେ ହୁଏତ ଗୋଟିଏ ବାର୍ଷିକ ପରୀକ୍ଷା କରାଯିବ। କିନ୍ତୁ ବାର୍ଷିକ ପରୀକ୍ଷା ସଂପର୍କରେ ଖୁବଶୀଘ୍ର ବୋର୍ଡ ପକ୍ଷରୁ ସ୍ପଷ୍ଟ କରି ଦିଆଯିବ। ଯେଉଁ ଛାତ୍ରଛାତ୍ରୀଙ୍କର ନମ୍ବରରେ କୌଣସି ଅସନ୍ତୋଷ ରହିଥିବ ସେମାନେ ମେ ୨୩ ତାରିଖରୁ ବୋର୍ଡରେ ଆବେଦନ କରି ପାରିବେ। ମାଟ୍ରିକ ଛାତ୍ରଛାତ୍ରୀ ଅନଲାଇନ୍ରେ ଆବେଦନ କରିବେ ଏବଂ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ଅଫଲାଇନରେ ଆବେଦନ କରିବେ।
ପରୀକ୍ଷା ଫଳାଫଳ ଅନୁଯାୟୀ ରାଜ୍ୟର ୮୯୪୫ଟି ବିଦ୍ୟାଳୟର ମୋଟ ୫ ଲକ୍ଷ ୩୨ହଜାର ୭୪୬ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୫ଲକ୍ଷ ୨୧ହଜାର ୪୪୪ ଜଣ ପରୀକ୍ଷା ଦେଇଥିଲେ। ୧୧ହଜାର ୩୦୨ଜଣ ଅନୁପସ୍ଥିତ ଥିଲେ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ଲକ୍ଷ ୧୨ହଜାର ୪୬୦ଜଣ ପାସ୍ କରିଛନ୍ତି। ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ୍ ହାର୍ ୯୬.୪୦ ପ୍ରତିଶତ ରହିଥିବା ବେଳେ ଏକ୍ସ-ରେଗୁଲାର ପାସ୍ ହାର୍ ୭୩.୪୧ ପ୍ରତିଶତ, ପତ୍ରବିନିମୟ ରେଗୁଲାର୍ ପାସ୍ ହାର ୮୧.୮୯ ଓ ପତ୍ରବିନିମୟ ଏକ୍ସରେଗୁଲାର ପାସ୍ ହାର ୭୭.୭୮ପ୍ରତିଶତ ରହିଛି। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ଗ୍ରେଡ୍ରେ ୪୧୫୮ ଜଣ, ଏ-୨ଗ୍ରେଡ୍ରେ ୨୯ହଜାର ୮୫୫ଜଣ, ବି-୧ରେ ୭୭ ହଜାର ୭୬୨ ଜଣ, ବି-୨ରେ ୧ଲକ୍ଷ ୧୯ହଜାର ୧୨୦ଜଣ, ସି-ଗ୍ରେଡ୍ରେ ୧ଲକ୍ଷ ୨୨ ହଜାର ୨୭୧ଜଣ, ଡି ଗ୍ରେଡ୍ରେ ୯୫ହଜାର ୯୩୪ଜଣ, ଇ-ଗ୍ରେଡ୍ରେ ୬୨ହଜାର ୭୯୧ଜଣ ଜଣ ପାସ୍ କରିଛନ୍ତି। ଏଫ୍ ଗ୍ରେଡ୍ ବା ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮୫୮୫। ପରୀକ୍ଷାରେ କପି କରି ୩୯୯ ଜଣ ମାଲ୍ପ୍ରାକ୍ଟିସ ହୋଇଛନ୍ତି। ରେଗୁଲାରରେ ୨ ଲକ୍ଷ ୫୧ ହଜାର ୨୯୮ ଜଣ ଛାତ୍ର ଓ ୨ ଲକ୍ଷ ୫୭ହଜାର ୧୦୬ ଜଣ ଛାତ୍ରୀ ପାସ୍ କରିଛନ୍ତି।
ଅନ୍ୟପଟେ ଚଳିତ ବର୍ଷ ୩୭୦୬ ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୨୯୩୭ ପାସ୍ କରିଛନ୍ତି। ପାସ୍ ହାର ୫୨.୭୩ ପ୍ରତିଶତ ରହିଛି। ସେମାନଙ୍କ ମଧ୍ୟରେ ୧୭୬୮ଜଣ ଛାତ୍ର ଓ ୧୧୬୯ ଜଣ ଛାତ୍ରୀ ରହିଛନ୍ତି। ଏ-୧ରେ କେହି ନଥିବା ବେଳେ ଏ-୨ରେ ୧୧ଜଣ, ବି-୧ରେ ୧୦୦ ଜଣ, ବି-୨ରେ ୨୩୫ଜଣ, ସି-ଗ୍ରେଡ଼ରେ ୪୬୯ଜଣ, ଡିରେ ୬୫୨ ଜଣ, ଇ ରେ ୯୪୦ଜଣ ପାସ୍ କରିଛନ୍ତି। କପି କରି ୨ଜଣ ଏମ୍ପି ହୋଇଛନ୍ତି।
ପତ୍ରବିନିମୟ ରେଗୁଲାରରେ ୧୨୨୫ ଜଣ ପରୀକ୍ଷା ଦେଇଥିବା ବେଳେ ୧୦୪୯ଜଣ ପାସ୍ କରିଛନ୍ତି। ପାସ୍ ହାର ୮୧.୮୯ ପ୍ରତିଶତ ରହିଛି। ସେଥିରୁ ୫୩୨ ଜଣ ଛାତ୍ର ଓ ୫୧୭ ଜଣ ଛାତ୍ରୀ। ଏ-୧ରେ କେହି ନଥିବା ବେଳେ ଏ-୨ରେ ୬ଜଣ ପାସ୍ କରିଛନ୍ତି। ସେହିପରି ବି-୧ରେ ୯୫, ବି-୨ରେ ୧୩୫, ସି ରେ ୧୮୯, ଡି ରେ ୨୬୮, ଇ ରେ ୩୫୬ ଜଣ ପାସ୍ କରିଛନ୍ତି।
ପତ୍ରବିନିମୟ ଏକ୍ସ-ରେଗୁଲାର ବର୍ଗରେ ୭୮ଜଣ ପରୀକ୍ଷା ଦେଇଥିବା ବେଳେ ୭୦ ଜଣ ପାସ୍ କରିଛନ୍ତି। ପାସ୍ ହାର ରହିଛି ୭୭.୭୮ ପ୍ରତିଶତ। ସେମାନଙ୍କ ମଧ୍ୟରେ ଛାତ୍ର ୩୫ଜଣ ଓ ଛାତ୍ରୀ ୩୫ଜଣ ଅଛନ୍ତି। ଏମାନଙ୍କ ମଧ୍ୟରୁ ସି ରେ ୨ଜଣ, ଡି ରେ ୮ ଜଣ, ଇ ରେ ୨୧ ଜଣ ଓ ୩୯ଜଣ କମ୍ପାର୍ଟମେଣ୍ଟାଲ୍ରେ ପାସ୍ କରିଛନ୍ତି।
ଜିଲ୍ଲା ଭିତ୍ତିରେ ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ୍ ହାର କଟକ ଓ ଜଗତସିଂହପୁରରେ ସର୍ବାଧିକ (୯୭.୯୯ପ୍ରତିଶତ) ରହିଛି। ମାଲକାନଗିରିର ପାସ୍ ହାର ସର୍ବନିମ୍ନ ୯୨.୬୮ପ୍ରତିଶତ, ନବରଙ୍ଗପୁରର ପାସ୍ ହାର ୯୩.୯୮ପ୍ରତିଶତ, କେନ୍ଦୁଝର ପାସ୍ ହାର୍ ୯୪.୭୧ ପ୍ରତିଶତ ରହିଛି। ସେହିପରି ରାୟଗଡ଼ା, କୋରାପୁଟ, ନୂଆପଡା, ମୟୁରଭଞ୍ଜ, ଢ଼େଙ୍କାନାଳ ଜିଲ୍ଲାର ପାସ୍ ହାର୍ ୯୫ପ୍ରତିଶତରୁ ଅଧିକ ରହିଥିବା ବେଳେ ଅବଶିଷ୍ଟ ସବୁଜିଲ୍ଲାର ପାସ୍ ହାର ୯୬ ପ୍ରତିଶତରୁ ଅଧିକ ରହିଛି। ସେହିପରି ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୭୫୦ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ ପାଇଥିବା ବେଳେ ନୂଆପଡ଼ାରେ ସବୁଠୁ କମ୍ ୫ଜଣ ପିଲା ଏ-୧ ଗ୍ରେଡ୍ ପାଇଛନ୍ତି।