Spread the love

ବାଲିଗୁଡ଼ା : ଚଳିତ ମାଟ୍ରିକ ପରୀକ୍ଷାରେ ମାଆ ଓ ପୁଅ ମିଶି ପରୀକ୍ଷା ଦେଇଥିଲେ। ଫଳ ପ୍ରକାଶ ପରେ ଆସିଛି ଭଲ ଖବର। ପୁଅ ଠାରୁ ଅଧିକ ନମ୍ବର ରଖି ମାଆ ପାସ କରିଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଲୋହରା ସାହିର ସୁଜାତା ନାୟକ ଓ ତାଙ୍କ ପୁଅ ଆୟୁଷ ନାୟକଙ୍କ କ୍ଷେତ୍ରରେ ଏଭଳି ଚିତ୍ର ସାମ୍ନାକୁ ଆସିଛି।
ମାଟ୍ରିକ୍ ପରୀକ୍ଷାରେ ସମୁଦାୟ ୬୦୦ ମାର୍କରୁ ୩୪୬ ନମ୍ବର ରଖି ବି୨ ଗ୍ରେଡ ପାଇଛନ୍ତି ସୁଜାତା। ଯେତେବେଳେ କି ପୁଅ ଆୟୁଷ ସମୁଦାୟ ୬୦୦ ମାର୍କରୁ ୨୫୮ ନମ୍ବର ସହ ଡି ଗ୍ରେଡ ପାଇଛନ୍ତି। ବିବାହ ପରେ ପାଠପଢ଼ା ଛାଡ଼ିବା ଦେଇଥିଲେ ସୁଜାତା। ଯାହାକୁ ପ୍ରାୟ ଦୀର୍ଘ ୩୦ ବର୍ଷରୁ ଅଧିକ ହେବ। ହେଲେ କଠିନ ପରିଶ୍ରମ ସୁଜାତାଙ୍କୁ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ କରିବାରେ ସଫଳତା ଦେଇଛି।
ବିବାହ ପରେ ଘର ସଂସାର ଜଞ୍ଜାଳ ବଢିବା ଯୋଗୁ ସୁଜାତା ମାଟ୍ରିକ ପରୀକ୍ଷା ଦେବା ପାଇଁ ସୁଯୋଗ ପାଇନଥିଲେ। ଆଉ ଏବେ ସେ ସୁଯୋଗ ପାଇବା ପରେ ରାଜ୍ୟ ଓପେନ ସ୍କୁଲ ସାର୍ଟିଫିକେଟ ବିଦ୍ୟାର୍ଥୀ ଭାବେ ଲାଲ ବାହାଦୂର ବିଦ୍ୟାପୀଠ ଷ୍ଟଡ଼ି ସେଣ୍ଟରରେ ନାମ ଲେଖାଇ ଥିଲେ।
ସେହିପରି ତାଙ୍କ ସାନ ପୁଅ ଆୟୁଷ ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ସେ ଚଳିତ ବର୍ଷ ତାଙ୍କ ମାଆଙ୍କ ସହ ମିଶି ମାଟ୍ରିକ ପରୀକ୍ଷା ଦେଇଥିଲେ।
ସୁଜାତା ମାଟ୍ରିକ ପାସ କରିବା ପରେ ସୁଯୋଗ ମିଳିଲେ ଉଚ୍ଚ ଶିକ୍ଷା ପାଇଁ ପଢାପଢି କରିବେ ବୋଲି ଆଶା ରଖିଛନ୍ତି। ପୁଅ ଠାରୁ ଅଧିକ ମାର୍କ ରଖି ସୁଜାତା ମାଟ୍ରିକ ପାସ କରିବା ପରେ ଏବେ ସେ ଚର୍ଚ୍ଚାରେ। ପରିବାର ଲୋକେ ମଧ୍ୟ ଏହି ଖବରକୁ ନେଇ ବେଶ ଖୁସ୍।
ସୁଜାତାଙ୍କ ସ୍ୱାମୀ ବିକ୍ରମ ନାୟକ ଜଣେ ରାଜମିସ୍ତ୍ରୀ। ରୋଜଗାର ଅଳ୍ପ ହୋଇଥିଲେ ହେଁ ଦୁଇ ପୁଅ, ଦୁଇ ଝିଅ ଓ ପତ୍ନୀଙ୍କୁ ନେଇ ବେଶ ହସଖୁସିରେ ତାଙ୍କ ପରିବାର ଚାଲେ।
ବିକ୍ରମ କହିଛନ୍ତି, ଅଭାବ ଅନାଟନ ଭିତରେ ପତ୍ନୀ ଦଶମ ପଢ଼ି ପାସ୍ କରିଥିବାରୁ ସେ ବେଶ ଖୁସି। ତେବେ ପୂରା ପରିବାର ଲୋକଙ୍କ ପାଠପଢ଼ା ଓ ଉଚ୍ଚ ଶିକ୍ଷା କରିବାକୁ ଅଧିକ ଟଙ୍କା ଆବଶ୍ୟକ। ଯାହା ଭରଣା କରିବା ସମ୍ଭବ ନୁହେଁ। ତେଣୁ ସରକାର କିଛି ସାହାଯ୍ୟ ସହଯୋଗ କଲେ ଆଗକୁ ପାଠପଢ଼ା ହୋଇପାରିବ।
ସୁଜାତା କହିଛନ୍ତି ସ୍ୱାମୀ ଓ ପିଲାମାନେ ଦଶମ ପରୀକ୍ଷା ଦେବାକୁ ଉତ୍ସାହିତ କରିବାରୁ ତାଙ୍କୁ ଏହି ସଫଳତା ମିଳିଛି। ପରିବାର ଚଳାଇବାକୁ ବହୁତ ଅର୍ଥ ଆବଶ୍ୟକ ହେଉଛି। ତେଣୁ ଅଭାବ ଭିତରେ ଆଗକୁ ପାଠପଢ଼ିବାକୁ ହେଲେ ସରକାରୀ ସହାୟତା ମିଳିବା ଜରୁରୀ। ତେବେ ଯାଇଁ ଆଗକୁ ପାଠପଢ଼ିବା ସମ୍ଭବ ହୋଇପାରିବ।

 

Leave a Reply

Your email address will not be published. Required fields are marked *