Spread the love

ଭୁବନେଶ୍ବର: ଦିନକ ପରେ (୨୦୨୩ ମେ’ ୧୮) ବହୁ ପ୍ରତୀକ୍ଷିତ ହାୱଡ଼ା-ପୁରୀ-ହାଓଡ଼ା ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଉଦ୍‌ଘାଟନ ହେବ। ‌ଦେଶର ଅନ୍ୟତମ ଦ୍ରୁତଗାମୀ ଟ୍ରେନ୍‌ ପ୍ରଥମ ଥର ପାଇଁ ଓଡ଼ିଶାରୁ ଚଳାଚଳ କରିବାକୁ ଯାଉଥିବାରୁ ଯାତ୍ରୀଙ୍କ ମନରେ ଉତ୍ସାହ ଦେଖାଯାଇଛି। ଯେଉଁ ଯାତ୍ରୀମାନେ ଅନେକ ସମୟରେ ହାଓଡ଼ା ଯାତ୍ରା କରୁଛନ୍ତି, ସେମାନଙ୍କର ଖୁସି ଦୁଇଗୁଣ ବଢ଼ିଯାଇଛି। ଏହି ଟ୍ରେନ୍‌ର ଉଦ୍‌ଘାଟନ ନେଇ ଭାରତୀୟ ରେଳବାଇ ତରଫରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ରେଳବାଇ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଟ୍ରେନ୍‌ ନମ୍ବର ୨୨୮୯୫ (ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌) ହାୱଡ଼ା ଠାରୁ ସକାଳ ୬ଟା ୧୦ରୁ ବାହାରି ପୁରୀରେ ମଧ୍ୟାହ୍ନ ୧୨ଟା ୩୫ରେ ପହଞ୍ଚିବ। ଏହି ଯାତ୍ରା ସମୟରେ ଖଡ଼ଗପୁରରେ ୭ଟା ୪୦, ବାଲେଶ୍ବରରେ ୯ଟା ୩, ଭଦ୍ରକରେ ୯ଟା ୪୦, ଯାଜପୁର-କେନ୍ଦୁଝରରୋଡରେ ୧୦ଟା ୭, କଟକରେ ୧୦ଟା ୫୦, ଭୁବନେଶ୍ବରରେ ୧୧ଟା ୨୦ ଓ ଖୋର୍ଦ୍ଧାରୋଡରେ ୧୧ଟା ୪୨ ମିନିଟରେ ପହଞ୍ଚିବ।
ସେହିପରି ଟ୍ରେନ୍‌ ନମ୍ବର ୨୨୮୯୬ (ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌) ୫୦୨ କିଲୋମିଟର ଗତି କରିବା ପାଇଁ ପୁରୀରୁ ଅପରାହ୍‌ଣ ୧ଟା ୫୦ରେ ଯାତ୍ରା ଆରମ୍ଭ କରିବ। ଖୋର୍ଦ୍ଧାରୋଡରେ ୨ଟା ୨୩, ଭୁବନେଶ୍ବରରେ ୨ଟା ୪୫, ଯାଜପୁର-‌କେନ୍ଦୁଝରରୋଡରେ ୪ଟା ୩, ଭଦ୍ରକରେ ୪ଟା ୩୩, ବାଲେଶ୍ବରରେ ୫ଟା ୧୩ ଓ ଖଡ଼ଗପୁରରେ ୬ଟା ୪୨ରେ ପହଞ୍ଚିବ। ଉଭୟ ଅପ୍‌ ଓ ଡାଉନ୍‌ ଟ୍ରେନ୍‌ ଭୁବନେଶ୍ବର ଷ୍ଟେସନରେ ୪ ମିନିଟ ଓ ଅନ୍ୟ ଷ୍ଟେସନଗୁଡ଼ିକରେ ୨ ମିନିଟ ଲେଖାଏଁ ଅଟକିବ। ଗୁରୁବାର ବ୍ୟତୀତ ସପ୍ତାହର ଅନ୍ୟ ୬ ଦିନ ଏହି ଟ୍ରେନ୍‌ ନିୟମିତ ଭାବେ ଚାଲିବ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଭର୍ଚୁଆଲ ମାଧ୍ୟମରେ ପୁରୀ ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଶୁଭାରମ୍ଭ କରିବେ। ଉଦ୍‌ଘାଟିତ ହେବା ପରେ ଏହା ହାୱଡ଼ା ଅଭିମୁଖେ ବାହାରିବ। ୧୬ଟି କୋଚ୍‌ ବିଶିଷ୍ଟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ରେଳବାଇର ଦକ୍ଷିଣପୂର୍ବ ଡିଭିଜନ୍‌ ଅଧୀନରେ ଚଳାଚଳ କରିବ। ଉଦ୍‌ଘାଟନ ପରେ ‘ଆପ୍‌’ ଅଥବା ‘ୱେବ୍‌ସାଇଟ୍‌’ ମାଧ୍ୟମରେ ଟିକେଟ୍‌ କିଣାଯାଇ ପାରିବ। ଏଥିରେ ଥିବା ‘ଚେୟାର୍‌କାର୍‌’ ଟିକେଟ୍‌ର ମୂଲ୍ୟ ୧୫୯୦ ଟଙ୍କା ଏବଂ ‘ଏକ୍ଜିକ୍ୟୁଟିଭ୍‌ ଚେୟାର୍‌’ ଟିକେଟ୍‌ର ମୂଲ୍ୟ ୨୯୦୦ ଟଙ୍କା ରଖାଯାଇଛି। ଉଭୟ ହାୱଡ଼ା ଓ ପୁରୀରୁ ମେ ୨୦ ତାରିଖ ଦିନଠାରୁ ସପ୍ତାହକୁ ୬ ଦିନ ଏହି ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’ ନିୟମିତ ଚଳାଚଳ କରିବ।

Leave a Reply

Your email address will not be published. Required fields are marked *