ନୂଆଦିଲ୍ଲୀ: ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର ଶନିବାର ରାତିରେ ଚେନ୍ନାଇ ସୁପର୍ କିଙ୍ଗ୍ସ-କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍ ପରେ ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ନିଜ ଛାତିରେ ଜର୍ସି ଉପରେ ଅଟୋଗ୍ରାଫ୍ ନେବା ପରେ ଏବେ ଆଉ ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଗାଭାସ୍କର ନିଜ ଜୀବନର ଶେଷ ଦୁଇ ଇଚ୍ଛା ପ୍ରକଟ କରିଛନ୍ତି। ‘ଜୀବନର ଶେଷ ମୁହୂର୍ତରେ ମୁଁ ଯଦି ୨ ମିନିଟ୍ ପାଏ ଦୁଇଟି ଅବିସ୍ମରଣୀୟ ମୁହୂର୍ତକୁ ଦେଖିବାକୁ ଚାହିଁବି। ଗୋଟିଏ ହେଉଛି ୧୯୮୩ ମସିହାରେ କପିଳ ଦେବ ବିଶ୍ବକପ୍ ଟ୍ରଫି ତୋଳି ଧରିବା ଏବଂ ଦ୍ବିତୀୟଟି ୨୦୧୧ ବିଶ୍ବକପ୍ ଫାଇନାଲ୍ରେ ମହେନ୍ଦ୍ର ସିଂହ ଧୋନି ବିଜୟୀ ଛକା ମାରିବା ପରେ କିଭଳି କଚଟିରେ ବ୍ୟାଟ୍ ଘୁରାଇଥିଲେ। ଏହି ଦୁଇଟି ମୁହୂର୍ତକୁ ଦେଖିପାରିଲେ ମୁଁ ଖୁସିରେ ଓ ଶାନ୍ତିରେ ମରିପାରିବି’।