Spread the love

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଇମୋଶନାଲ ଚିଠିରେ ତରଳି ଫସିଗଲେ ତିହାର ଜେଲ୍‌ ନଂ-୭ର ସୁପରିଣ୍ଟେଣ୍ଡେଣ୍ଟ । ଏବେ ତାଙ୍କୁ ଜାରି ହୋଇଛି କାରଣ ଦର୍ଶାଓ ନୋଟିସ ।
ଗତ ମେ’ ୧୧ ତାରିଖରେ ଆପ୍‌ ବିଧାୟକ ସତ୍ୟେନ୍ଦ୍ର ଜୈନ ତିହାର ଜେଲ୍‌ ନଂ -୭ ସୁପରିଣ୍ଟେଣ୍ଡେଣ୍ଟ ନିକଟକୁ ଏକ ଚିଠି ଲେଖିଥିଲେ। ଉକ୍ତ ଚିଠିରେ ସେ ଉଲ୍ଲେଖ କରିଥିଲେ,‘ଜେଲ୍‌ ସେଲ୍‌ରେ ଖୁବ୍‌ ଏକୁଟିଆ ଅନୁଭବ କରୁଛି। ଲୋକଙ୍କ ସହ ମିଳାମିଶା କରି ପାରୁ ନ ଥିବାରୁ ମୁଁ ମାନସିକ ଅବସାଦରେ ରହୁଛି। ତେଣୁ ମୋ’ ସେଲ୍‌ରେ କଏଦୀଙ୍କ ସଂଖ୍ୟା ବଢ଼ାନ୍ତୁ । ’
ମାନସିକ ଅବସାଦରେ ମୁକୁଳିବାକୁ ମନୋଚିକିତ୍ସକଙ୍କ ନିକଟରେ ଚିକିତ୍ସିତ ହେଉଥିବା ନିଜ ଚିଠିରେ ଉଲ୍ଲେଖ କରିଥିଲେ ସତ୍ୟେନ୍ଦ୍ର ଜୈନ । ସେମାନେ ତାଙ୍କୁ ଏକୁଟିଆ ନ ରହିବାକୁ ପରାମର୍ଶ ଦେବା ସହ ସାମାଜିକ ଚଳପ୍ରଚଳ ବଢ଼ାଇବାକୁ ପରାମର୍ଶ ଦେଇଥିବା ଆପ୍‌ର ଏହି ବିଧାୟକ ନିଜ ଚିଠିରେ ଉଲ୍ଲେଖ କରିଥିଲେ।
ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଏପରି ଭାବୁକପୂର୍ଣ୍ଣ ଚିଠିରେ ତରଳି ତିହାର ଜେଲ୍‌ ନଂ -୭ ସୁପରିଣ୍ଟେଣ୍ଡେଣ୍ଟ ତୁରନ୍ତ ଅନ୍ୟ ସେଲ୍‌ରୁ ୨ କଏଦୀଙ୍କୁ ତାଙ୍କ ସେଲ୍‌କୁ ଟ୍ରାନ୍ସଫର କରିଥିଲେ। କିନ୍ତୁ ତିହାର ଜେଲ୍‌ କର୍ତ୍ତୃପକ୍ଷ ଏହା ଜାଣିବା ପରେ ତୁରନ୍ତ ଉକ୍ତ ୨ କଏଦୀଙ୍କୁ ତାଙ୍କୁ ପୁରୁଣା ସ୍ଥାନକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜେଲ୍‌ ନଂ-୭ର ସୁପରିଣ୍ଟେଣ୍ଡେଣ୍ଟଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରିଛନ୍ତି।
ସମ୍ପୃକ୍ତ ସୁପରିଣ୍ଟେଣ୍ଡେଣ୍ଟ ଜେଲ୍‌ ପ୍ରଶାସନକୁ ଅବଗତ ନ କରି ଏପରି ପଦକ୍ଷେପ ନେଇଥିଲେ। ଏହା ନିୟମ ବିରୁଦ୍ଧ ହୋଇଥିବା ବେଳେ ତାଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରାଯାଇଛି। ଏନେଇ ସମ୍ପୃକ୍ତ ସୁପରିଣ୍ଟେଣ୍ଡେଣ୍ଟଙ୍କ ପ୍ରତିକ୍ରିୟା ମିଳିପାରିନି।
ସୂଚନାଯୋଗ୍ୟ, ପୂର୍ବରୁ ସତ୍ୟେନ୍ଦ୍ରଙ୍କ ସହ ୩ ଜଣ କଏଦୀ ରହୁଥିଲେ। ମାତ୍ର ସେ ସେମାନଙ୍କ ଦ୍ୱାରା ମସାଜ ସହ ଯାବତୀୟ କାମ କରାଉଥିଲେ। ଏହି ସବୁ ଘଟଣା ସିସିଟିଭିରେ ରେକର୍ଡ ହୋଇ ଭାଇରାଲ ହେବା ପରେସତ୍ୟେନ୍ଦ୍ର ଜୈନଙ୍କ ସେଲ୍‌ରୁ ସମସ୍ତଙ୍କୁ ହଟାଇ ଦିଆଯାଇଥିଲା। ଏପରିକି ତାଙ୍କ ସେଲ୍‌ରେ ଦିଆଯାଇଥିବା ଚେୟାର, ଟେବୁଲ ବି ବାହାର କରି ନିଆଯାଇଥିଲା। ଜେଲ୍‌ର ତତ୍କାଳୀନ ମୁଖ୍ୟ ସନ୍ଦୀପ ଗୋଏଲଙ୍କ ସହାୟତାରେ ସତ୍ୟେନ୍ଦ୍ର ଜୈନ ଯାବତୀୟ ସୁଖ ସୁବିଧା ଉପଭୋଗ କରୁଥିବା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
ଅପରପକ୍ଷେ, ତିହାର ଜେଲ୍‌ରେ ଗ୍ୟାଙ୍ଗୱାର କଥା ସବୁବେଳେ ଶୁଣିବାକୁ ମିଳୁଥିବା ବେଳେ କିଛି ଦିନ ପୂର୍ବ ଗ୍ୟାଙ୍ଗଷ୍ଟର ଟିଲୁ ମର୍ଡର କେସ୍‌ ଯୋଗୁ ବଦନାମୀ ମୁଣ୍ଡାଇ ଥିଲା ଜେଲ୍‌ ପ୍ରଶାସନ। ଏପରି ସ୍ଥିତିରେ ଜେଲ୍‌ ପ୍ରଶାସନର ଅଗୋଚରରେ ସତ୍ୟେନ୍ଦ୍ର ଜୈନଙ୍କ ସେଲ୍‌କୁ କିପରି ୨ କଏଦୀଙ୍କୁ ପଠାଗଲା ତାହାର ତନାଘନା ଆରମ୍ଭ ହୋଇଛି। ଏପରିକି ଏହାଦ୍ୱାରା ସତ୍ୟେନ୍ଦ୍ର ଜୈନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

Leave a Reply

Your email address will not be published. Required fields are marked *