Spread the love

ଭୁବନେଶ୍ବର: ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ତଥା ପ୍ରାଚୀନ ଶୈବ ପୀଠ ପୁରୁଣା ଭୂବନେଶ୍ବରର କପିଳେଶ୍ୱର ମନ୍ଦିରକୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ‘ରାଷ୍ଟ୍ରୀୟ ମହତ୍ତ୍ବ’ ଘୋଷଣା କରିଛି। ଏଥିସହିତ ଏହି ମନ୍ଦିରକୁ ଏଏସ୍‌ଆଇ ଅଧୀନକୁ ଆଣିବା ସଂକ୍ରାନ୍ତରେ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି। ଏଣୁ ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ଚର୍ଚ୍ଚା ଓ ‌ଆଲୋଚନା ମୁଣ୍ଡ ଟେକିଛି। ନାନା ମୁନିଙ୍କ ନାନା ମତ ନ୍ୟାୟରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କେହି କେହି ସମର୍ଥନ କରିଥିବା ବେଳେ କେହି କେହି ଅତୀତରେ ଏଏସ୍‌ଆଇର କାର୍ଯ୍ୟଶୈଳୀକୁ ଦେଖି ସନ୍ଦିହାନ ଥିବା କହିଛନ୍ତି।

ତଥ୍ୟ ଅନୁସାରେ, ପଞ୍ଚଦଶ ଶତାବ୍ଦୀରେ ଓଡ଼ିଶା‌ର ଗଜପତି ରାଜା କପିଳେନ୍ଦ୍ର‌‌ଦେବ ନିଜେ କପିଳେଶ୍ବର ମନ୍ଦିର ନିର୍ମାଣ କରାଇଥିଲେ। ଏଥିସହ ପ୍ରଭୁ କପିଳେଶ୍ବରଙ୍କ ସେବା ଓ ପୂଜାର୍ଚ୍ଚନା ପାଇଁ କପିଳେଶ୍ବରପୁର ଶାସନ ପ୍ରତିଷ୍ଠା କରିଥିଲେ। କିନ୍ତୁ ଆଜି ଏହି ଐତିହ୍ୟପୂର୍ଣ୍ଣ ମନ୍ଦିର ଅବକ୍ଷୟମୁଖୀ। ରକ୍ଷଣାବେକ୍ଷଣ ଅଭାବରୁ ଏହି ମନ୍ଦିର ଆଉ ସୁରକ୍ଷିତ ହୋଇ ରହିନାହିଁ। କପିଳେଶ୍ବର ମନ୍ଦିର ସମେତ ବେଢ଼ାରେ ଥିବା ପ୍ରଥମ ଓ ଦ୍ବିତୀୟ କପିଳେଶ୍ବର, ମୁଖ୍ୟ ଠାକୁରାଣୀ ଚତୁର୍ଭୁଜା ଦୁର୍ଗା, ମା’ ପାର୍ବତୀ ଓ ଅନ୍ୟ ସମସ୍ତ ମନ୍ଦିରରେ ଷ୍ଟୋନ୍‌-କ୍ୟାନ୍‌ସର୍‌ ହୋଇସାରିଛି। ଫଳରେ ମନ୍ଦିରରେ ଖୋଦେଇ ହୋଇଥିବା ବିରଳ କାରୁକାର୍ଯ୍ୟ ସବୁ ଲିଭି ଗଲାଣି। ବର୍ଷ ବର୍ଷ ଧରି ଖରା, ବର୍ଷାରେ ମନ୍ଦିର ଫିକା ପଡ଼ିଗଲାଣି।
ସାମାନ୍ୟ ବର୍ଷା ହେଲେ ଜଗମୋହନ, ଭଣ୍ଡାରଗୃହ, ନାଟମଣ୍ଡପ, ରୋଷଘର(ଅଛିଣ୍ଡା ପାହାଚ) ସମେତ ଗର୍ଭଗୃହରେ ପାଣି ଗଳୁଛି। ପ୍ରାୟ ସବୁ ମନ୍ଦିରରେ ବର, ଅଶ୍ବତ୍‌ଥ ଗଛ ଉଠିଗଲାଣି। ମନ୍ଦିର ବେଢ଼ାରେ ଥିବା ବାମ୍ଫିରୁ ଠାକୁରଙ୍କ ନୀତି ପାଇଁ ପାଣି ଯାଇଥାଏ। କିନ୍ତୁ ଏହି ବାମ୍ଫି ଅପରିଷ୍କାର ହୋଇ ଗଲାଣି। ମନ୍ଦିରର ଦକ୍ଷିଣ ପାର୍ଶ୍ବରେ ଥିବା ମଣିକର୍ଣ୍ଣିକା ପୁଷ୍କରିଣୀରେ ପ୍ରତିବର୍ଷ ଠାକୁର ଚନ୍ଦନ ଯାତ୍ରା ଅବସରରେ ଚାପ ଖେଳିଥାନ୍ତି। କିନ୍ତୁ ଏହି ପୁଷ୍କରିଣୀ ମଧ୍ୟ ଅବହେଳିତ ହୋଇ ପଡ଼ିଛି। ମନ୍ଦିରକୁ ଭଲ ରାସ୍ତା ନାହିଁ। ଅଣଓସାରିଆ ଗଳି ରାସ୍ତା ପାଇଁ ଏହି ପୀଠକୁ ପର୍ଯ୍ୟଟକମାନେ ଆସିବାକୁ ପସନ୍ଦ କରୁନାହାନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ମନ୍ଦିରରେ ପୂଜାପର୍ବାଣୀ ଓ ନୀତିକାନ୍ତିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ଯାହାର ଭୟଙ୍କର ପରିଣତ ପାଇଁ ଗତ ମାର୍ଚ୍ଚ ମାସରେ ଦେଖିବାକୁ ମିଳିଥିଲା। କପିଳେଶ୍ବରଙ୍କ ହାଣ୍ଡିଭଙ୍ଗା ଯାତ ହୋଇପାରିଲା ନାହିଁ କି ଫଗୁ ଦଶମୀରେ ଠାକୁରଙ୍କୁ ଅବିର ଲାଗି ହୋଇପାରିଲା ନାହିଁ। ୧୦ ଦିନ କାଳ ଠାକୁରଙ୍କୁ ବନ୍ଦୀ ହୋଇରହିବାକୁ ପଡ଼ିଲା।
ଏନେଇ ମଲିଆ ସାରସ୍ବତ ବ୍ରାହ୍ମଣ ନିଯୋଗର ସଭାପତି ଅରବିନ୍ଦ ମଲିଆ କହନ୍ତି ଯେ ୨୦୨୦ ମସିହାରେ ଏଣ୍ଡୋମେଣ୍ଟ କମିସନରଙ୍କ ଦ୍ବାରା ନୂତନ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଅଧ୍ୟକ୍ଷ ଥିବା ବେଳେ ଭୁବନେଶ୍ବର ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ବିଭିନ୍ନ ଦାୟିତ୍ବରେ ଅଛନ୍ତି। କିନ୍ତୁ ମନ୍ଦିର ପ୍ରତି କାହାର ଆନ୍ତରିକତା ନାହିଁ। ମନ୍ଦିରର ସୁରକ୍ଷା ଓ ବିକାଶ ପାଇଁ ଇନ୍‌ଟାକ୍‌, ପର୍ଯ୍ୟଟନ ବିଭାଗ, ଦେବତ୍ତୋର ବିଭାଗ ନିକଟରେ ବାରମ୍ବାର ଦାବି କରାଯାଉଛି। ଆଜି ପର୍ଯ୍ୟନ୍ତ ଓଡ଼ିଶା ପର୍ଯ୍ୟଟନ ବିଭାଗ ମନ୍ଦିରକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେଇନାହାନ୍ତି। କିଛି ବର୍ଷ ତଳେ ସଂସ୍କୃତି ମନ୍ତ୍ରୀ ଏହି ମନ୍ଦିରକୁ ପର୍ଯ୍ୟଟନ ବିଭାଗର ପ୍ରୋଟେକ୍ଟଡ୍‌ ମନୁମେଣ୍ଟରେ ସ୍ଥାନ ଦେଇଥିବା ପ୍ରଚାର କରିଥିଲେ। କିନ୍ତୁ ଏହାର କୌଣସି ନଥିପତ୍ର ଏପର୍ଯ୍ୟନ୍ତ ଦେଇପାରୁନାହାନ୍ତି।

ସେବାୟତ ଶିବରାମ ମଲିଆ ଓ ଜୟପ୍ରସାଦ ମଲିଆ ଅନୁରୂପ ଭାବେ ଅଭିଯୋଗ କରି କହନ୍ତି ଯେ ଦୀପ ତଳ ଅନ୍ଧାର ଭଳି ଏହି ଐତିହ୍ୟକୁ ସରକାର ଅଣଦେଖା କରି ଆସୁଛନ୍ତି। ତେଣୁ ଏଏସ୍‌ଆଇ ଅଧୀନକୁ ମନ୍ଦିର ଗଲେ, ଏସବୁ ସମସ୍ୟାର ସମା‌ଧାନ ହୋଇଯିବ ବୋଲି ସେମାନେ ସକାରାତ୍ମକ ମତ ପୋଷଣ କରିଛନ୍ତି।

ତେବେ ଗବେଷକ ଅନୀଲ୍‌ ଧୀର ଭିନ୍ନ ମତ ପୋଷଣ କରିଛନ୍ତି। ସେ କହିଛନ୍ତି ଯେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମର ବହୁ ପୂର୍ବରୁ ଏନେଇ ଉଦ୍ୟମ ଆରମ୍ଭ ହୋଇଛି। ୧୦ ବର୍ଷ ତଳୁ ଏହି ମନ୍ଦିର ସମେତ ଅନ୍ୟ ୩୦ଟି ମନ୍ଦିରକୁ ଏଏସ୍‌ଆଇ ନେବାକୁ ଆମେ ଚିଠି ଲେଖି ଆସିଛୁ। ଏବେ କେବଳ ରାଜନୈତିକ ଡ୍ରାମା ଚାଲିଛି। ଓଡ଼ିଶାର ୮୬ଟି ଐତିହ୍ୟ ଏଏସ୍‌ଆଇ ଅଧୀନରେ ରହିଛି। ପୁରୀ ମନ୍ଦିର, ଲିଙ୍ଗରାଜ ମନ୍ଦିରରେ ଏଏସ୍‌ଆଇ କିଛି ବି ଆଖିଦୃଶିଆ କାମ କରୁନାହିଁ। ଏହି ସବୁ ମନ୍ଦିର ବହୁତ ଖରାପ ସ୍ଥିତିରେ ରହିଛି। ତେଣୁ କପିଳେଶ୍ବର ମନ୍ଦିରକୁ ଏଏସ୍‌ଆଇ ନେଲେ ଯେ ଗୋଟେ ବିରାଟ ବଡ଼ ପରିବର୍ତ୍ତନ ହେବ, ସେ ଆଶା କ୍ଷୀଣ। ୨୧୮ ଟି ଐତିହ୍ୟକୁ ରାଜ୍ୟ ଆର୍‌କୋଲୋଜି ଏବଂ କୋଣାର୍କ ମନ୍ଦିର ୱାର୍ଲ୍ଡ ହେରିଟେଜ୍‌ ସାଇଟ୍‌ରେ ସ୍ଥାନ ପାଇଛି। ଏହାବାଦ୍‌ ଓଡ଼ିଶାର ୨୨ଟି ଜିଲ୍ଲାର ୭, ୩୦୦ ମନ୍ଦିର ଲିଷ୍ଟ କରାଯାଇଛି। ଯାହା ୩ ଶହ ବର୍ଷ ତଳର। ଓଡ଼ିଶାରେ ପ୍ରାୟ ୧୨ ହଜାର ଐତିହ୍ୟ କୀର୍ତ୍ତିରାଜି ରହିଛି। ଏହାକୁ ଉଭୟ କେନ୍ଦ୍ର ଓ ରାଜ୍ୟ କେବେ ସୁରକ୍ଷା‌ ଦେବେ ବୋଲି ଶ୍ରୀ ଧୀର ପ୍ରଶ୍ନ ଉଠାଇଛନ୍ତି।

Leave a Reply

Your email address will not be published. Required fields are marked *