Spread the love

ବେଙ୍ଗାଲୁରୁ : କର୍ଣ୍ଣାଟକା ବିଧାନସଭାକୁ ୪ ଥର ନିର୍ବାଚିତ ହୋଇଥିବା ବିଜେପି ଜାତୀୟ ସାଧାରଣ ସମ୍ପାଦକ ସିଟି ରବି ଏଥର ପରାସ୍ତ ହୋଇଛନ୍ତି। ସେ ଚିକମାଗାଲୁର ଆସନରୁ ପ୍ରାର୍ଥୀ ହୋଇଥିଲେ। ବିଜେପିର ଜଣେ ହେଭିୱେଟ ଭାବେ ପରିଚିତ ରବି ଏଥର ମଧ୍ୟ ନିର୍ବାଚନ ଜିତିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ତାଙ୍କୁ ପ୍ରାୟ ୮ ହଜାର ଭୋଟରେ କଂଗ୍ରେସର ଏଚ୍‌ଡି ତମୈୟା ପରାସ୍ତ କରି ଦେଇଛନ୍ତି।
ଟ୍ୱିଟ କରି ସିଟି ରବି ପରାଜୟକୁ ସ୍ୱୀକାର କରିଛନ୍ତି। ନିର୍ବାଚନ ବେଳେ ବିଜେପିର ଅନ୍ୟତମ ବରିଷ୍ଠ ନେତା ୟେଦ୍ୟୁରପ୍ପାଙ୍କ ସହ ତାଙ୍କର ତିକ୍ତତା ଚାଲିଥିଲା। ଏପରି କି ୟେଦ୍ୟୁରପ୍ପାଙ୍କୁ ତାଙ୍କ ସମର୍ଥକମାନେ ଘେରି ଯାଇ ଏକଦା ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ଆଜି ସେ ପରାସ୍ତ ହେବା ବିଜେପି ପାଇଁ ବଡ଼ ଝଟକା। କାରଣ ସେ ଭୋକ୍କାଲିଗା ସଂପ୍ରଦାୟର। ଆରଏସଏସ୍‌ ସହ ମଧ୍ୟ ସେ ଜଡ଼ିତ ଥିଲେ।
ସିଟି ରବି କହିଛନ୍ତି, “ମୁଁ ମୋର ପରାଜୟକୁ ସ୍ୱୀକାର କରୁଛି। ମୁଁ ହୃଦୟର ସହ ବିଜେପିର ଚିକମାଗାଲୁର କାର୍ଯ୍ୟକର୍ତ୍ତା ଓ ଚିକମାଗାଲୁର ଲୋକଙ୍କୁ ଧନ୍ୟବାଦ ଜଣାଉଛି। ସେମାନେ ମୋତେ ଦୀର୍ଘ ବର୍ଷ ହେଲା ସମର୍ଥନ କରି ଆସିଛନ୍ତି। ମୁଁ ସମସ୍ତ ବିଜୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଉଛି ଓ ଆଗାମୀ ଦିନ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଉଛି।”
ଆଉ ଏକ ଟ୍ୱିଟରେ ସେ ନିଜର ପରାଜୟ ବିଜେପି ଠାରୁ ଅଲଗା କରି ଦେଖାଇବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, “ବିଧାନାସଭା ନିର୍ବାଚନରେ ଆଜିର ପରାଜୟ ଆମର ବ୍ୟକ୍ତିଗତ କ୍ଷତି। ଏହା ଆମ ବିଚାରଧାରାର ପରାଜୟ ନୁହେଁ। ଆମେ ଆଗାମୀ ଦିନରେ ଏହାର ତର୍ଜମା କରିବୁ ଓ ଆମର ତ୍ରୁଟିକୁ ସୁଧାରିବୁ। ସୁବର୍ଣ୍ଣ କର୍ଣ୍ଣାଟକା ଗଠନ ପାଇଁ ଆମର ଉଦ୍ୟମ ଜାରି ରିହବ। ଆମକୁ ସମର୍ଥନ ଦେଇଥିବାରୁ କାନ୍ନାଡିଗାମାନଙ୍କୁ ଧନ୍ୟବାଦ।”
ରବି ହେଉଛନ୍ତି କର୍ଣ୍ଣାଟକା ବିଜେପିର ଜଣେ ଚର୍ଚ୍ଚିତ ଚେହେରା। ସେ ତୃଣମୂଳସ୍ତରରୁ କାମ କରି ଦଳର ଜାତୀୟ ସାଧାରଣ ସମ୍ପାଦକ ହୋଇଛନ୍ତି। ସେ ଗୋଆ, ମହାରାଷ୍ଟ୍ର ଓ ତାମିଲନାଡୁ ବିଜେପିର ପ୍ରଭାରୀ ରହିଛନ୍ତି। ସେ କର୍ଣ୍ଣାଟକାରେ ବିଜେପିର ପ୍ରଚାର ଦାୟିତ୍ୱରେ ବି ରହିଥିଲେ।

Leave a Reply

Your email address will not be published. Required fields are marked *