Spread the love

ଭୁବନେଶ୍ବର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଆଲୋଚନା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଯେଉଁଥିରେ ଆସନ୍ତା ନିର୍ବାଚନରେ ବିଜେଡିର ଭୂମିକା କିପରି ରହିବ ଓ ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବା ନେଇ ଚାଲିଥିବା ଆଲୋଚନା କେତେଦୂର ଠିକ୍ ସେ ବାବଦରେ ନବୀନ ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ଆବଶ୍ୟକତା ନେଇ ଆଲୋଚନା ହୋଇଥିଲା। ବିଶେଷ ଭାବେ ପୁରୀରେ ଶ୍ରୀଜଗନ୍ନାଥ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ କାମ ସାରିବା ନେଇ ଆଲୋଚନା ହୋଇଥିଲା। ଯାତ୍ରୀ ଓ ବିମାନ ସଂଖ୍ୟା ବୃଦ୍ଧି ଯୋଗୁ ଭୁବନେଶ୍ବର ଏୟାରପୋର୍ଟ ଉପରେ ଅଧିକ ଚାପ ପଡ଼ୁଛି। ତେଣୁ ଶ୍ରୀଜଗନ୍ନାଥ ଏୟାରପୋର୍ଟ କାମ ସାରିବାକୁ ପ୍ରଧାନମନ୍ତ୍ରୀ ସହଯୋଗ ଲୋଡ଼ା ଯାଇଥିଲା। ଏହି ଏୟାରପୋର୍ଟ ପାଚେରୀ ପାଇଁ ଚିହ୍ନଟ କାମ ସରିଯାଇଛି। ଏହା ଜାଣିବା ପରେ ପ୍ରଧାନମନ୍ତ୍ରୀ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି।
ସେହିପରି ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଭେଟ ଓ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟ ବେଳେ କୌଣସି ରାଜନୈତିକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇନି। ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ପଚାରିବାରେ ସେ କହିଛନ୍ତି, ଏବେ ନୁହେଁ। ଏହି ସାମ୍ମୁଖ୍ୟରେ ଆମେ ନାହୁଁ।
ଆଗାମୀ ନିର୍ବାଚନରେ ବିଜେଡି ଲୋକସଭା ଓ ବିଧାନସଭା ଆସନରେ ଏକାକି ଲଢ଼ିବ କି ପଚାରିବାରେ ସେ କହିଛନ୍ତି, ସର୍ବଦା ଏହା ଆମର ମୁଖ୍ୟ ନୀତି ରହିଆସିଛି।
ସେପଟେ ନବୀନ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ସେଠାରେ ଅନ୍ୟ ରାଜନୈତିକ ଦଳ ମୁଖ୍ୟଙ୍କ ସହ ଭେଟିବା ନେଇ ଆଲୋଚନା ହେଉଥିଲା। ହେଲେ ଆଜି ଏଭଳି କୌଣସି ରାଜନୈତିକ ଭେଟଘାଟ ନ ଥିବା ସେ ସ୍ପଷ୍ଟ କରିଛନ୍ତି।
ସେହିପରି ଭାରତ ନେଟ୍ ଫେଜ୍ ଟୁରେ ଓଡ଼ିଶାକୁ ଅନ୍ତର୍ଭୁକ୍ତ କରି ପଞ୍ଚାୟତଗୁଡ଼ିକୁ ମାଗଣାରେ ସାମିଲ କରିବା, ବ୍ୟାକିଂ ସେବାରୁ ବଞ୍ଚିତ ପଞ୍ଚାୟତ ଗୁଡ଼ିକରେ ତୁରନ୍ତ ଏହି ସେବା ଉପଲବ୍ଧ କରିବା ଓ ରାଜ୍ୟରେ ଅସମ୍ପୂର୍ଣ୍ଣ ଜାତୀୟ ରାଜପଥ ଗୁଡ଼ିକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ବି ପ୍ରଧାନମନ୍ତ୍ରୀଙ୍କ ନିକଟରେ ନବୀନ ଦାବି ରଖିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *