Spread the love

ଭୁବନେଶ୍ବର : ରାଜ୍ୟ ଶାସନର ଡୋର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିୟନ୍ତ୍ରଣରେ ନାହିଁ। କୌଣସି କଥା ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ କିମ୍ବା ନିଷ୍ପତ୍ତି ନେବାର କ୍ଷମତା ବି ନାହିଁ । ଜୟଲଳିତାଙ୍କ ଅସୁସ୍ଥତାରେ ଶାସନର ଡୋରି ଅଲଗା ଲୋକ ସମ୍ଭାଳୁ ଥିଲେ, ଏବେ ଓଡ଼ିଶାରେ ସେହିଭଳି ସ୍ଥିତି ହୋଇଯାଇଛି। ଆଜି ଏଭଳି କଡ଼ା ଭାଷାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ଟାର୍ଗେଟ୍ କରିଛି। ଆଉ ବିଜେପିର ଏହି ଶାଣିତ ଆକ୍ଷେପକୁ ନେଇ ବିଜେଡି ବିଚଳିତ ହୋଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ବ୍ୟକ୍ତିଗତସ୍ତରରେ ଆକ୍ଷେପ କରିବାକୁ ପଛାଇ ନାହିଁ ।
ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସାକ୍ଷାତ ପ୍ରସଙ୍ଗକୁ ନେଇ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେପି ନେତା ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ନିଷ୍ପତ୍ତି ନେବାର ଅଧିକାର ଛଡ଼ାଇ ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ହାତରେ ନା ରାଜ୍ୟ ଶାସନର ନିଷ୍ପତ୍ତି ଅଛି ନା ଦଳର ନିଷ୍ପତ୍ତି ନେବାର କ୍ଷମତା ଅଛି । ତେଣୁ ଯିଏ ନିଷ୍ପତ୍ତି ନେଉଛନ୍ତି ତାଙ୍କୁ ନୀତିଶ ଭେଟିଲେ ଫଳ ଭଲ ହେବ । କୌଣସି କଥା ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ କିମ୍ବା ନିଷ୍ପତ୍ତି ନେବାର କ୍ଷମତା ବି ନାହିଁ । ରାଜ୍ୟ ଶାସନ ନବୀନ ବାବୁଙ୍କ ନିୟନ୍ତ୍ରଣରେ ନାହିଁ । ଜୟଲଳିତାଙ୍କ ଅସୁସ୍ଥତାରେ ଶାସନ ଡୋରି ଅଲଗା ଲୋକ ସମ୍ଭାଳୁଥିଲେ । ଏବେ ଓଡ଼ିଶାରେ ସେଭଳି ସ୍ଥିତି ହୋଇଯାଇଛି । ଶାସନରେ ହେଉ ଅବା ଦଳୀୟ ହେଉ କୌଣସି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଉନାହାନ୍ତି । ନିଷ୍ପତ୍ତିଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନ୍ୟମାନେ କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ଶ୍ରୀ ହରିଚନ୍ଦନଙ୍କ ଟିପ୍ପଣୀ ଉପରେ କଡ଼ା ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ତୁମ୍ଭନାଥ ପଣ୍ଡା କହିଛନ୍ତି ଯେ, ବିଜେପିର କୁହାଳିଆ ନେତା ନିଜେ ଏପର୍ଯ୍ୟନ୍ତ ୱାର୍ଡମେମ୍ବର ଜିତି ପାରିନାହାନ୍ତି। ରାଜନୀତିରେ ସାବାଳକ ହୋଇନଥିବା ନେତାଙ୍କୁ ଲୋକେ ଗୁରୁତ୍ୱ ଦିଅନ୍ତି ନାହିଁ । ଓଡ଼ିଶାରେ କେଉଁ ମଡେଲ ଚାଲିଛି ତା’ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ନାହିଁ । ସେ ସବୁବେଳେ ଓଡ଼ିଶାବିରୋଧୀ ମନ୍ତବ୍ୟ ଦେଇ ଆସିଛନ୍ତି । ଗଣମାଧ୍ୟମରେ ରାଜନୀତିକ ବକ୍ତବ୍ୟ ରଖିବା ପାଇଁ ବିଜେପିରେ ସାଂସଦ ଓ ବିଧାୟକ କେହି ନାହାନ୍ତି । ସେଥିପାଇଁ ଜୁନିୟର ନେତାଙ୍କୁ ଛାଡ଼ିନଥାନ୍ତେ । ଓଡ଼ିଶା ବିଜେପିକୁ ସେ ସତର୍କ କରାଇବା ସହ ଏଭଳି ନେତାଙ୍କଠୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ନହେଲେ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡ଼ିବ । ପୃଥ୍ୱୀରାଜଙ୍କୁ ବ୍ୟକ୍ତିଗତ ଟାର୍ଗେଟ୍ କରି ବିଜେଡି କହିଛି ଯେ ଖୁବଶୀଘ୍ର ଆନ୍ଧ୍ରରେ ଫୌଜଦାରୀ ମାମଲା ରୁଜୁ ହେବାକୁ ଯାଉଛି । ବିଧାନ ପରିଷଦ ସଦସ୍ୟ କରାଇବାକୁ କହି ଅର୍ଥ ଆଦାୟ ହୋଇଛି । ଆନ୍ଧ୍ର ବିଧାନପରିଷଦ ସଦସ୍ୟ କରାଇ ଦେବାକୁ କହି ଲୋକଙ୍କୁ ଠକିଛନ୍ତି । ମିଛ କହି ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରାଯାଉଛି । କେଳେଙ୍କାରୀକୁ ନେଇ ଫୌଜଦାରୀ ମାମଲା ରୁଜୁ ହେବାକୁ ଯାଉଛି । ଏଥିରେ ସମ୍ପୃକ୍ତ ଲୋକେ ଖୁବଶୀଘ୍ର ଗିରଫ ହେବା ସମ୍ଭାବନା ରହିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ଅନ୍ୟପକ୍ଷରେ ବିଜେଡିର ଏଭଳି ବ୍ୟକ୍ତିଗତ ଅଭିଯୋଗ ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି ବିଜେପି । ପୃଥ୍ୱୀରାଜ ହରିଚନ୍ଦନଙ୍କ ବିରୁଦ୍ଧରେ ବିଜେଡି ଆଣିଥିବା ଅଭିଯୋଗର ପ୍ରମାଣ ଦେବାକୁ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଦାବି କରିଛନ୍ତି । ସେ କହିଛନ୍ତି ଯେ, ପୃଥ୍ୱୀରାଜଙ୍କ ବିରୁଦ୍ଧରେ ଅତ୍ୟନ୍ତ ଅଶାଳୀନ, ଅବାନ୍ତର ଓ ସମ୍ପୂର୍ଣ୍ଣ ମିଥ୍ୟା ଆଧାରରେ ଏକ ଆରୋପ ବିଜେଡି ଲଗାଇଛି । ଆନ୍ଧ୍ରରେ ଅର୍ଥ କାରବାରରେ ବିଜେପି ନେତାଙ୍କ ନାଁରେ ଫୌଜଦାରୀ ମକଦ୍ଦମା ହେବ ବୋଲି ଏକ ସମ୍ପୂର୍ଣ୍ଣ ମିଥ୍ୟ ବିବୃତ୍ତି ନେଇ ବିଜେଡି ରାଜନୀତିକ ଶିଷ୍ଟାଚାରର ସୀମା ସରହଦ ପାର କରିଯାଇଛି । ରାଜ୍ୟରେ ହେଉଥିବା ବିଭିନ୍ନ ଭ୍ରଷ୍ଟାଚାର ଓ ସରକାରଙ୍କ ଲୋକ ବିରୋଧୀ ପଦକ୍ଷେପକୁ ପୃଥ୍ୱୀରାଜ ଅତ୍ୟନ୍ତ କଠୋରତାର ସହ ସମାଲୋଚନା କରି ଓଡ଼ିଶା ଲୋକଙ୍କ ଆଗରେ ଉପସ୍ଥାପନ କରୁଥିବାରୁ ବିଜେଡିକୁ ଘାରିଥିବା ଶଶିକଳା ସିଣ୍ଡ୍ରୋମର ପରିଚାଳକ ବାବୁମାନଙ୍କୁ ବହୁ କଷ୍ଟ ହେଉଛି ଓ ଯେଉଁଥିପାଇଁ ତାଙ୍କର ମାଉଥପିସମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ମିଥ୍ୟ ବିବୃତ୍ତି ଦେବା ଆରମ୍ଭ କରିଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

Leave a Reply

Your email address will not be published. Required fields are marked *