Spread the love

ବାଲେଶ୍ୱର : ଦିନ କୁ ଦିନ ବଢି ଚାଲିଛି ଲୁଟେରାଙ୍କ ପ୍ରାଦୁର୍ଭାବ । ରାଜରାସ୍ତାରେ ଯାଉଥିବା ବେଳେ ସେମାନଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ମୋବାଇଲ, ବାଇକ କିମ୍ବା କୌଣସି ଅନ୍ୟାନ୍ୟ ଜିନିଷକୁ ଲୁଟ କରୁଥିଲେ ଲୁଟେରା । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। ଏନେଇ ପୋଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ୫ ଜଣ ହାଇୱେ ଲୁଟେରାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ବାଲେଶ୍‌ର ଏସ ପି ସାଗରିକା ନାଥ ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ହାଇୱେରେ ଯାତ୍ରୀଙ୍କ ନିଦ ହଜେଇ ଥିବା ଏକ ଲୁଟେରା ଗ୍ଯାଙ୍ଗର ପରଦାଫାସ କରିଛନ୍ତି ।

ଏହି ଗ୍ଯାଙ୍ଗରେ ଆହୁରି ୩ ଜଣକ ସଂପୃକ୍ତି ରହିଥିବା ବେଳେ ଜାତୀୟ ରାଜପଥରେ ଏହି ଗ୍ଯାଙ୍ଗର ସଦସ୍ଯ ମାନେ ଲୋକଙ୍କୁ ମାରଣାସ୍ତ୍ର ଦେଖେଇ ଭୟବିତ କରି ଲୁଟ୍‌ କରୁଥିଲେ। ଏହି ଗ୍ଯାଙ୍ଗର ପ୍ରାଦୁର୍ଭାବ ଦିନ କୁ ଦିନ ବୃଦ୍ଧି ଯୋଗୁଁ ବାଲେଶ୍ଵର ଏସପିଙ୍କ ନିର୍ଦ୍ଦେଶରେ ସଦର ଏସ ଡି ପି ଓ ଡ଼ଃ ଶଶାଙ୍କ ଶେଖର ବେଉରିଆଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ଡକାୟତ ମାନଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ୍‌। ଗିରଫ ୫ ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ବେଳେ ଗିରଫ ଅଭିଯୁକ୍ତ ଗଜେନ୍ଦ୍ର ଦାସ ନାମରେ ସର୍ବାଧିକ ୧୪ ଟି ମାମଲା, ଧର୍ମେନ୍ଦ୍ର ପରିଡ଼ା ନାମରେ ୯ ଟି ମାମଲା, ରିପୁନ୍‌ ଜେନା ନାମରେ ୮ ଟି ମାମଲା , ସୂର୍ଯ୍ଯକାନ୍ତ ଦାସ ନାମରେ ୩ ଟି ମାମଲା ଓ ଆକାଶ ଲେଙ୍କା ନାମରେ ୨ଟି ମାମଲା ରହିଛି।

ଲୁଟେରା ମାନଙ୍କୁ ଗିରଫ କରିବା ପରେ ସେମାନଙ୍କ ନିକଟରୁ ଗୋଟିଏ ଚାରି ଚକିଆ ମାଲବାହି ଗାଡ଼ି ସହ ସହିତ ଏକ ପାୱାର ଟ୍ରିଲାର ମେସିନ କୁ ଉଦ୍ଧାର କରିଛି ପୋଲିସ। ଏହାସହ ଲୁଟ୍‌ ହୋଇଥିବା ଗୋଟିଏ ବୁଲେଟ, ସେହିପରି ଦୁଇଟି ସ୍କୁଟି, ୧୬ଟି ମୋବାଇଲ, ଗୋଟିଏ ଟାବଲେଟ, ୨ଟି ପେନଡ୍ରାଇଭ, ଏଟିଏମ କାର୍ଡ, ୪ଟି ପର୍ସ, ଲାପଟପ ବ୍ଯାଗ, ବ୍ଲୁ ଟୁଥ ଇଅରଫୋନ ଭଳି ଚୋରି ସାମଗ୍ରୀ ଉଦ୍ଧାର କରିଛି ପୋଲିସ। ତେବେ ଏହି ଗ୍ଯାଙ୍ଗ ର ଆହୁରି ୩ ଅଭିଯୁକ୍ତ ଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଶୀଘ୍ର ଗିରଫ କରାଯିବ ବୋଲି ବାଲେଶ୍ଵର ଏସ୍‌ ପି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *