Spread the love

ଇମ୍ଫାଲ : ଆଦିବାସୀ ଓ ମୈତୈ ସଂପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ଭୟଙ୍କର ସଂଘର୍ଷ ଯୋଗୁ ମଣିପୁର ସ୍ଥିତି ସାଂଘାତିକ ହୋଇଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ହିଂସାକାଣ୍ଡ ଯୋଗୁ ସ୍ଥିତି ଅଣାୟାତ୍ତ ହେବାରେ ଲାଗିଛି। ସ୍ଥିତିକୁ ଦେଖି ଆଜି ରାଜ୍ୟପାଳ ଶୁଟ ଆଟ ସାଇଟ୍‌ ବା ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଥମେ ଏହି ଶୁଟ ଆଟ ସାଇଟ୍‌ ପ୍ରସ୍ତାବ ମଣିପୁର ଗୃହ ବିଭାଗ ପକ୍ଷରୁ ରାଜ୍ୟପାଳଙ୍କ ପାଖକୁ ପଠା ଯାଇଥିଲା। ରାଜ୍ୟପାଳ ସ୍ଥିତିକୁ ଦେଖି ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏଥିସହ ସବୁ ଲୋକଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ମେ’ ୩ ତାରିଖରେ ଆଦିବାସୀଙ୍କ ପକ୍ଷରୁ ଗୋଟିଏ ଶୋଭାଯାତ୍ରା କରାଯାଉଥିଲା। ଏହି ସମୟରେ ସେମାନଙ୍କ ଉପରେ ମୈତୈ ସଂପ୍ରଦାୟର ଲୋକମାନେ ଆକ୍ରମଣ କରିଥିଲେ। ଫଳରେ ମଣିପୁରର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଦେଖାଯାଇଥିଲା। ସ୍ଥିତିକୁ ଦେଖି ୧୪୪ ଧାରା ଲାଗୁ କରାଯିବା ସହ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି।
ତଥାପି ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିବାରୁ ରାଜ୍ୟପାଳ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ସବୁ ଡିଭିଜନାଲ ମାଜିଷ୍ଟ୍ରେଔ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ/ ସ୍ପେଶାଲ ମାଜିଷ୍ଟ୍ରେଟଙ୍କୁ ବିଶେଷ କ୍ଷେତ୍ରରେ ଓ ସ୍ଥିତିକୁ ଦେଖି ଶୁଟ ଆଟ ସାଇଟ ନିର୍ଦ୍ଦେଶ ଦେବାର ଅଧିକାର ପ୍ରଦାନ କରିଛନ୍ତି। ଏଥିସହ ସ୍ଥିତିକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ପାଇଁ ଆବଶ୍ୟକ ସବୁ ପ୍ରକାରର ପଦକ୍ଷେପ ନେବାକୁ ମଧ୍ୟ ସେ କହିଛନ୍ତି।
ସ୍ଥିତିକୁ ଦେଖି ମଣିପୁରରେ ଆର୍ମି ଓ ଆସାମ ରାଇଫଲର ୫ କଲମ ଯବାନଙ୍କୁ ମୁତୟନ କରାଯାଇଛି। ଆଉ ୧୪ କଲମ ଯବାନଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି। ହିଂସା କ୍ଷତିଗ୍ରସ୍ତ ଅଞ୍ଚଳରୁ ଇତି ମଧ୍ୟରେ ୯ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳରେ ରଖାଯାଇଛି। ଏବେ ଲୋକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରହିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମୈତୈ ସଂପ୍ରଦାୟର ଲୋକମାନେ ନିଜକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବାକୁ ଦାବି କରୁଛନ୍ତି। ହେଲେ ଏହାକୁ ଆଦିବାସୀ ଛାତ୍ର ସଙ୍ଗଠନ ‘ଆଦିବାସୀ ଏକତା ମୋର୍ଚ୍ଚା’ ବିରୋଧ କରୁଛି। ବୁଧବାର ‘ଆଦିବାସୀ ଏକତା ମୋର୍ଚ୍ଚା’ ପକ୍ଷରୁ ଏହା ବିରୋଧରେ ଗୋଟିଏ ଶୋଭାଯାତ୍ରା ବାହାରିଥିବା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ।
ଉକ୍ତ ଶୋଭଯାତ୍ରା ବେଳେ ଉଭୟ ଆଦିବାସୀ ଓ ଅଣଆଦିବାସୀ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌କୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ତଥାପି ବିଭିନ୍ନ ଜିଲ୍ଲାରେ ଏହାକୁ ନେଇ ପୋଡ଼ାଜଳା ଦେଖିବାକୁ ମିଳିଛି। ରାଜ୍ୟର ମୋଟ ଜନସଂଖ୍ୟାର ୫୩% ହେଉଛନ୍ତି ମୈତୈ ସଂପ୍ରଦାୟର ଲୋକ। ସେମାନେ ନିଜକୁ ମଣିପୁରର ଆଦିମ ଅଧିବାସୀ ବୋଲି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *