ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ଚୀନ ଲଗାତାର ନିଜର ସାମରିକ ଭିତ୍ତିଭୂମି ବଢ଼ାଇଚାଲିଛି । ଗତ ଡିସେମ୍ବରରେ ତୱାଙ୍ଗରେ ପ୍ରବେଶ କରିବାକୁ ବିଫଳ ଉଦ୍ୟମ ପରେ ଚୀନ୍ ପୁଣି ଥରେ ନିଜର ପ୍ରକୃତ ରୂପ ଦେଖାଇଛି । ଚୀନ ସେନା ପକ୍ଷରୁ ଅରୁଣାଚଳ ପ୍ରଦେଶ ସମ୍ମୁଖ ଏଲଏସି ନିକଟରେ ଏକ ନୂତନ ହାଇ-ଫ୍ରିକ୍ୱେନ୍ସି ରାଡାର ସିଷ୍ଟମ ସ୍ଥାପନ କରିଛି। ଏହି ନୂଆ ହାଇ ଫ୍ରିକ୍ୱେନ୍ସି ରାଡାରକୁ ଚୀନ ଭାରତୀୟ ସୀମା ଭିତରେ ଭାରତୀୟ ସେନାର ପ୍ରସ୍ତୁତି ଓ ଗତିବିଧି ଉପରେ ନଜର ରଖିବା ପାଇଁ ବ୍ୟବହାର କରିପାରିବ ।
ସାଟେଲାଇଟ ଫଟୋରୁ ଏହି ରାଡାର ସିଷ୍ଟମ ସ୍ପଷ୍ଟଭାବେ ଦେଖାଯାଉଛି । ଏହା ଏଲଏସିର ବହୁତ ନିକଟରେ ଲଗାଯାଇଛି । ନିକଟରେ ଡୋକଲାମକୁ ଦଖଲ କରିବା ଉଦ୍ଦେଶ୍ୟରେ ଭୁଟାନ ଭିତରେ ଥିବା ଭାରତୀୟ ସୀମା ନିକଟରେ ଚୀନ ୧୦ ସାମରିକ ବ୍ୟାରେକ୍ ନିର୍ମାଣ କରିଛି । ଭାରତ ବାରମ୍ବାର ଚୀନ୍ ସହ ଆଲୋଚନା ମାଧ୍ୟମରେ ଏଲଏସି ବିବାଦର ସମାଧାନ କରିବାକୁ ଚାହୁଁଛି, କିନ୍ତୁ ଚୀନ୍ ପ୍ରତିଥର ଧୋକା ଦେଉଛି। ଗୋଟିଏ ପଟେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନ୍ ନିଜର ସେନା ଅଭ୍ୟାସ ବଢ଼ାଉଥିବା ବେଳେ ଅନ୍ୟପଟେ ବାୟୁ ସମରାଭ୍ୟାସ ମଧ୍ୟ ବଢ଼ାଉଛି। ଏହାର ସାମରିକ ଘାଟିର ଏଲଏସି ନିକଟରେ ନୂତନ ନିର୍ମାଣ ସହିତ ଏବେ ନୂଆ ରାଡାର ସିଷ୍ଟମ ଲଗାଯାଉଛି । ଏହା ଫଳରେ ଏଲଏସିରେ ଉତ୍ତେଜନା କମିବ କଣ ଦିନକୁ ଦିନ ବଢିଚାଲିଛି ।