Spread the love

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଥିବା ପାର୍କକୁ ଭ୍ରମଣ କରିବା ପାଇଁ ଯାଉଥିଲେ ସାବଧାନ! ଛକି ବସିଛି ବାଇକ ଲୁଟେରା। ଆଖି ପିଛୁଳାକେ ଲୁଟ ହୋଇଯାଇପାରେ ବାଇକ। ସୁରକ୍ଷା ବ୍ୟବସ୍ଥା ନ ଥିବା ସାଧାରଣ ପାର୍କିଂରେ ଗାଡ଼ି ରଖୁଥିଲେ ମଧ୍ୟ ସାବଧାନ।
କାରଣ ରାଜଧାନୀରୁ କୁଖ୍ୟାତ ବାଇକ ଲୁଟେରା ଗ୍ୟାଙ୍ଗ ଗିରଫ ହୋଇଛି। ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସୁକାନ୍ତ କୁମାର ରେଡ୍ଡୀ ବାଇକ୍‌କୁ ଚୋରି କରୁଥିବା ବେଳେ ଅନ୍ୟମାନେ ଏହାକୁ ଖୋଲି ବିକ୍ରି କରିବାରେ ସହାୟତା କରୁଥିଲେ। ଅନ୍ୟ ଅଭିଯୁକ୍ତମାନେ ହେଲେ ସୌମିତ୍ର ଦାସ, ଗୁନାଧର ମିରଡା, ସୋମନାଥ ଦାସ। ସମସ୍ତଙ୍କ ଘର ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳରେ। ସେମାନେ ରାଜଧାନୀର ବିଭିନ୍ନ ବସ୍ତିରେ ରହୁଥିଲେ। ଏମାନଙ୍କୁ ଧରିଛି କ୍ୟାପିଟାଲ ଥାନା ପୁଲିସ। ସେମାନଙ୍କ ଠାରୁ ୧୬ ବାଇକ ସହ ୪୦ରୁ ଅଧିକ ବାଇକ ପାର୍ଟସ ଜବତ ହୋଇଛି। ଏନେଇ ଆଜି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।
ଶ୍ରୀ ସିଂହ କହିଛନ୍ତି, ଚୋରୀ ଗାଡିଗୁଡ଼ିକରୁ ଅଭିଯୁକ୍ତମାନେ ପାଟ୍‌ସଗୁଡ଼ିକୁ ଆଗଲା ଅଲଗା କରି କବାଡିଆ ଓ ଅନ୍ୟମାନଙ୍କୁ ବିକ୍ରି କରୁଥିଲେ। କିଛି ବାଇକକୁ ଏମାନେ ଅନ୍ୟ ଜିଲ୍ଲାରେ ବିକ୍ରି କରିବାକୁ ଯୋଜନା କରିଥିଲେ। ହେଲେ ଏହା ପୂର୍ବରୁ ଏମାନେ ପୁଲିସ ହାତରେ ଧରାପଡ଼ିଛନ୍ତି। ସହଜରେ ଲକ ଖୋଲି ଯାଉଥିବା ଗାଡିକୁ ମୁଖ୍ୟ ଅଭିଯୁକ୍ତ ଟାର୍ଗେଟ କରୁଥିଲା। ୟୁନିଟ ୱାନ ହାଟ ଓ଼ ଫରେଷ୍ଟ ପାର୍କ, ବିଭିନ୍ନ ବାଇକ ପାର୍କିଂ ସ୍ଥାନକୁ ଲୁଟେରା ଟାର୍ଗେଟ କରୁଥିଲା। ପେସାରେ ସୁକାନ୍ତ ଜଣେ ମେକାନିକ । ତେଣୁ ସେ ଅନାୟସରେ ବାଇକ ତାଲାଗୁଡିକ ଖୋଲିଦେଇପାରୁଥିଲା। ଗତ ୪ ମାସ ହେବ ଏହି ଗ୍ୟାଙ୍ଗ ରାଜଧାନୀରେ ସକ୍ରିୟ ହୋଇଥିଲା। ତେଣୁ ଲୋକେ ଗାଡ଼ି ପାର୍କିଂରେ ରଖିବା ବେଳେ ଡବଲ ଲକ, ଚେନ୍ ଲକ କିମ୍ବା ଜିପିଏସ୍ ଲକ୍‌ ବ୍ୟବହାର କରନ୍ତୁ।
ସେହିପରି ଚୋରି ବାଇକ୍‌ରୁ ପାର୍ଟସ୍ ଖୋଲି ବିକ୍ରି କରିବାରେ ଭୁବନେଶ୍ୱରର କବାଡିଆଙ୍କ ଭୂମିକା ରହୁଥିବାରୁ ଆଗକୁ କବାଡ଼ିଆଙ୍କ ତିଆରି ହେବ ଡାଟା ବେସ। ଭଙ୍ଗା ସାମଗ୍ରୀ ରିସିଭ ନେଇ ତାଙ୍କ ଉପରେ ନଜର ରଖାଯାଉଥିବା କହିଛନ୍ତି ଡିସିପି ପ୍ରତୀକ ସିଂ।
ସେପଟେ ବାଇକ ଚୋର ଗ୍ୟାଙ୍ଗ ଧରାପଡ଼ିଥିବା ଖବର ପାଇବା ପରେ ଥାନାରେ ଲୋକଙ୍କ ଭିଡ ଲାଗିଛି। ଜବତ ଗାଡ଼ିଗୁଡ଼ିକ ଭିତରୁ ଲୋକେ ସେମାନଙ୍କ ଗାଡ଼ି ଖୋଜିବାରେ ଲାଗି ପଡ଼ିଛନ୍ତି।

Leave a Reply

Your email address will not be published. Required fields are marked *