Spread the love

ଭୁବନେଶ୍ବର: ଅପରାଧୀଙ୍କ ନାର୍କୋ ପରୀକ୍ଷା ପାଇଁ ପୁଲିସ୍‌କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଓଡ଼ିଶାରେ ଖୁବ୍‌ଶୀଘ୍ର ଏହି ପରୀକ୍ଷା ହୋଇପାରିବ। ଏଥିପାଇଁ ଏସଏଫ୍‌ଏସ୍‌ଏଲ୍‌ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।
ରାଜ୍ୟରେ ଏହି ସୁବିଧା ନଥିବାରୁ ପୁଲିସକୁ ଗୁଜୁରାଟ ଓ ଦିଲ୍ଲୀ ଉପରେ ନିର୍ଭର କରିବାକୁ ପଡ଼ୁଛି। ସାରା ଦେଶରେ ମାତ୍ର ହାତଗଣତି ସ୍ଥାନରେ ଏହି ପରୀକ୍ଷଣ କରାଯାଉଥିବାରୁ ଅଭିଯୁକ୍ତଙ୍କୁ ବାହାରକୁ ପଠାଇବା ସହଜ ହେଉନାହିଁ। ନାର୍କୋ ପରୀକ୍ଷାଠାରୁ ଅଭିଯୁକ୍ତକୁ ନବା ଆଣିବା ଓ ସୁରକ୍ଷା ଦେବାରେ ଅଧିକ ଖର୍ଚ୍ଚ ହୋଇଯାଉଛି। ତେଣୁ ଓଡ଼ିଶାର ଏ ବ୍ୟବସ୍ଥା କରାଇବା ପାଇଁ ଏସଏଫ୍‌ଏସ୍‌ଏଲ୍‌ ପ୍ରସ୍ତାବ ଦେଇଛି। ରାଜ୍ୟ ସରକାର ଏ ପ୍ରସ୍ତାବରେ ମୋହର ମାରିବା ପରେ ଏସ୍‌ଏଫ୍‌ଏସ୍‌ଏଲ୍‌ ବଛାବଛା ଡାକ୍ତର ଏବଂ ଫୋରେନସିକ୍ ମନସ୍ତତ୍ତ୍ବ ବିଶେଷଜ୍ଞଙ୍କୁ ନିଯୁକ୍ତ କରିବ। ସେମାନଙ୍କୁ ତାଲିମ୍‌ ପାଇଁ ଗୁଜରାଟ ଫୋରେନସିକ୍ ସାଇନ୍ସ ଲାବରୋଟାରି କିମ୍ବା ଗାନ୍ଧୀନଗର ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭର୍ସିଟିକୁ ପଠାଯିବ।
ନାର୍କୋ ପରୀକ୍ଷା ଅଧିକ ଜଟିଳ। ଡୋଜ୍‌ରେ ସାମାନ୍ୟ ଭୁଲ୍‌ ‌ହେଲେ‌ ଅଭିଯୁକ୍ତର ଜୀବନ ଚାଲିଯାଇପାରେ କିମ୍ବା କୋମା ଭଳି ସ୍ଥିତି ଉପୁଜିପାରେ। ଏଥିପାଇଁ ପରୀକ୍ଷଣ ପୂର୍ବରୁ ବ୍ୟକ୍ତିଙ୍କ ସମ୍ମତି ନିଆଯାଇଥାଏ। ଅତ୍ୟନ୍ତ ସମ୍ବେଦନଶୀଳ ପରୀକ୍ଷଣ ହୋଇଥିବାରୁ ସେମାନେ ତାଲିମ ସରିବା ପରେ ଏଠାରେ ଅନ୍ୟମାନଙ୍କୁ ତାଲିମ୍‌ ଦେବା ସହ ନିଜେ ପରୀକ୍ଷଣ କରିବେ। ତେବେ ଏସ୍‌ଏଫ୍‌ଏସ୍‌ଏଲ୍‌ ଏହାର କ୍ଷମତା ବଢ଼ାଇବା ପାଇଁ ନାର୍କୋ ପରୀକ୍ଷା, ମସ୍ତିଷ୍କ ମ୍ୟାପିଂ ସହ ମିଥ୍ୟା ଚିହ୍ନଟ ବିଭାଗର ଉନ୍ନତୀକରଣ ପାଇଁ ପ୍ରସ୍ତାବ ଦେଇଛି।

କେବଳ ଏତିକି ‌ନୁହେଁ, ଏସ୍‌ଏଫ୍‌ଏସ୍‌ଏଲ୍‌ ଢାଞ୍ଚାରେ ଆରଏଫ୍‌ଏସ୍‌ଏଲ୍‌ଗୁଡ଼ିକର ନବୀକରଣ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। କାରଣ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ ବିଭିନ୍ନ ତଦନ୍ତକାରୀ ବା ଅନୁସନ୍ଧାନକାରୀ ବା ଗୁଇନ୍ଦା ସଂସ୍ଥା ସନ୍ଦିଗ୍ଧ କିମ୍ବା ଅଭିଯୁକ୍ତଙ୍କଠାରୁ ସତ୍ୟ ବାହାର କରିବା ପାଇଁ ତୃତୀୟ ଡିଗ୍ରି ପର୍ଯ୍ୟନ୍ତ ଚରମ ବିକଳ୍ପ ଭାବେ ଗ୍ରହଣ କରୁଛନ୍ତି। ଦିନକୁ ଦିନ ମାମଲା ସଂଖ୍ୟା ବି ବଢ଼ିବାରେ ଲାଗିଛି। ବର୍ଷକୁ ୨ଶହରୁ ଊର୍ଧ୍ବ ମିଛଧରା ପରୀକ୍ଷା ହେଉଥିବା ଜଣାପଡ଼ିଛି। ଗୋଟିଏ ପଟେ ମାମଲା ବଢ଼ୁଥିବା ବେଳେ ଅନ୍ୟପଟେ ମାନବସମ୍ବଳରେ ସମସ୍ୟା ରହିଛି। ଅନେକ ସମୟରେ ଦୂରଦୂରାନ୍ତରୁ ଆସିବା ପାଇଁ ମଧ୍ୟ ଅନିଚ୍ଛା ପ୍ରକାଶ କରୁଛନ୍ତି। ଫଳରେ ତଦନ୍ତରେ ବିଳମ୍ବ ହେଉଛି। ରାଜ୍ୟର ବ୍ରହ୍ମପୁର, ସମ୍ବଲପୁର ଓ ବାଲେଶ୍ବର ଆଦି ଜିଲ୍ଲାରେ ଥିବା ୩ଟି ଆଞ୍ଚଳିକ ଫୋରେନ୍‌ସିକ୍‌ ସାଇନ୍ସ ଲାବୋରେଟୋରି(ଆର୍‌ଏଫ୍‌ଏସ୍‌ଏଲ୍‌) କେନ୍ଦ୍ରକୁ ଏସ୍‌ଏଫ୍‌ଏସ୍‌ଏଲ୍‌ ଭଳି ସମସ୍ତ ସୁବିଧା ରହିବ। ସେଠାରେ ମିଛଧରା ପରୀକ୍ଷା, ଲ୍ୟାଡ୍‌ ଭଏସ୍‌ ଆନାଲିସିସ୍‌ ଟେଷ୍ଟ(ଏଲ୍‌ଭିଏ)ଭଳି ଅନ୍ୟ ସମସ୍ତ ପରୀକ୍ଷଣ ହେବ। ଏହି ପରୀକ୍ଷାଗୁଡ଼ିକ ସେତେ ଜଟିଳ ହୋଇନଥିବାରୁ ସମସ୍ତ ଆଞ୍ଚଳିକ କେନ୍ଦ୍ରରେ କରିବାକୁ ପ୍ରସ୍ତାବ ଦିଆଯାଇଛି।

Leave a Reply

Your email address will not be published. Required fields are marked *