Spread the love

ନୂଆଦିଲ୍ଲୀ : କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ନିକଟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କୁ ‘ବିଷାକ୍ତ ବା ବିଷଧର ସାପ’ କହିଥିବାରୁ ଏହାର ଜବାବ ମଧ୍ୟ ମୋଦି ଦେଇଛନ୍ତି। ଦୁର୍ନୀତି ପ୍ରଦଙ୍ଗରେ କଂଗ୍ରେସକୁ ସମାଲୋଚନା କରି ମୋଦି କହିଛନ୍ତି ଯେ ଦଳ ସବୁବେଳେ ୮୫% କମିସନ ସହ ଜଡ଼ିତ ରହିଛି ଓ ଏହାର ରାଜ ପରିବାର ହଜାର ହଜାର କୋଟିର ଦୁର୍ନୀତି ଘଟଣାରେ ଜାମିନ ପାଇ ବାହାରେ ବୁଲୁଛନ୍ତି। ଖଡେଗଙ୍କ ବିଷାକ୍ତ ସାପ ବୟାନ ଉପରେ ମୋଦି କହିଛନ୍ତି ଯେ ସାପ ହେଉଛି ଭଗବାନ ଶିବଙ୍କ ବେକର ସୁନ୍ଦରତା। ସାପ ବେକରେ ସଜେଇ ହୁଏ ରହିଥାଏ। ମୋଦିଙ୍କ ପାଇଁ ଦେଶର ଲୋକମାନେ ଭଗବାନ ସଦୃଶ। ସେମାନଙ୍କ ବେକ ପାଇଁ ତାଙ୍କୁ ସାପ ସହ ତୁଳନା କଲେ କିଛି ବି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।
କୋଲାର ଠାରେ ଆୟୋଜିତ ରାଲିରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଦୁର୍ନୀତି ପାଇଁ କଂଗ୍ରେସ ଓ ଏହାର ରାଜ ପରିବାର ଉପରୁ ଦେଶର ବିଶ୍ୱାସ ତୁଟି ଯାଇଛି। କଂଗ୍ରେସର ପରିଚୟ ସବୁବେଳେ ୮୫% କମିସିନ ସହ ଜଡ଼ିତ। କଂଗ୍ରେସ ଶାସନ ବେଳେ ଏହାର ବରିଷ୍ଠ ନେତା ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ କହୁଥିଲେ ଯେ ସେ ଦିଲ୍ଲୀରୁ ଟଙ୍କାଟିଏ ପଠାଉଥିବା ବେଳେ ଲୋକଙ୍କ ପାଖରେ ଏହା ପଞ୍ଚିଲା ବେଳକୁ ୧୫ ପଇସା ହୋଇଯାଇଥାଏ। କଂଗ୍ରେସ ସବୁବେଳେ ଗରିବଙ୍କ ଠାରୁ ୮୫ ପଇସା ଲୁଟ କରିଥାଏ।”
ସେ ଆହୁରି କହିଛନ୍ତି, “ଏହା ବିଜେପିର ଅଭିଯୋଗ ନୁହେଁ। ଏହା ସର୍ବସମ୍ମୁଖରେ କଂଗ୍ରେସର ପୂର୍ବତନ ପ୍ରଧାନମନ୍ତ୍ରୀ କରିଥିବା ସ୍ୱୀକାରୋକ୍ତି। ୮୫% କମିସିନ ଖାଉଥିବା କଂଗ୍ରେସ କେବେ ହେଲେ କର୍ଣ୍ଣାଟକାର ବିକାଶ କରିପାରିବ ନାହିଁ।” କର୍ଣ୍ଣାଟକାରେ କ୍ଷମତାସୀନ ବିଜେପି ବିରୋଧରେ କଂଗ୍ରେସ ୪୦% କମିସିନ ଅଭିଯୋଗ ଆଣିଥିବା ବେଳେ ଏବେ ମୋଦି ୮୫% କମିସିନ କଥା କହି ଏହାକୁ କାଉଣ୍ଟର କରିଛନ୍ତି।
ମୋଦି କହିଛନ୍ତି, ବିଜେପି ସରକାର ପଠାଉଥିବା ଶତପ୍ରତିଶତ ଟଙ୍କା ଏବେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି। ଗଲା ୯ ବର୍ଷ ମଧ୍ୟରେ ଡିଜିଟାଲ ଭାରତର ଶକ୍ତି ମାଧ୍ୟମରେ ୨୯ ଲକ୍ଷ କୋଟି ଟଙ୍କା ଗରିବଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି। ଯଦି ୮୫% କମିସିନ ଖାଉଥିବା କଂଗ୍ରେସ ରହିଥାଆନ୍ତା, ତା’ହେଲେ ଲୋକଙ୍କ ପାଖରେ ୨୪ ଲକ୍ଷ କୋଟି ଟଙ୍କା ପହଞ୍ଚି ପାରି ନଥାଆନ୍ତା। ବିଜେପି ୯ ବର୍ଷ ହେଲା କ୍ଷମତାକୁ ଆସିଛି ଓ ସବୁ କିଛି ବନ୍ଦ କରିଛି। ଏହାପୂର୍ବରୁ କଂଗ୍ରେସ ନେତାମାନେ କେମିତି ଲକ୍ଷ ଲକ୍ଷ କୋଟି ଟଙ୍କା ନିଜ ଆକାଉଣ୍ଟରେ ଜମା କରୁଥିଲେ, ସେକଥା ସମସ୍ତେ ଭାବନ୍ତୁ ବୋଲି ମୋଦି କହିଛନ୍ତି।
କଂଗ୍ରେସ ତାଙ୍କ ବିରୋଧରେ ଘୃଣା ଭାବକୁ ଦୈନିକ ବଢ଼ାଇ ଚାଲିଥିବା ମଧ୍ୟ ମୋଦି କହିଛନ୍ତି। ସେ କହିଛନ୍ତି, “ମୋ ବିରୋଧରେ ସେମାନେ ଆକ୍ରମଣକୁ ବୃଦ୍ଧି କରିଛନ୍ତି। ବର୍ତ୍ତମାନ କଂଗ୍ରେସର ଲୋକମାନେ ଧମକ ଦେଉଛନ୍ତି। ସେମାନେ କହୁଛନ୍ତି ମୋଦି ତେରି କବର ଖୋଦେଗି। ବର୍ତ୍ତମାନ କର୍ଣ୍ଣାଟକା ନିର୍ବାଚନରେ କଂଗ୍ରେସର ବଡ଼ ପ୍ରସଙ୍ଗ ହେଲା ସାପ ଓ ଏହାର ବିଷ।
ଭଗବାନ ଶଙ୍କର ବେକରେ ସାପ ସୁନ୍ଦରତା ବଢ଼ାଏ। ଦେଶର ଲୋକମାନେ ମୋ ପାଇଁ ଭଗବାନ ଈଶ୍ୱର ରୂପରେ ରହିଛନ୍ତି। ସେମାନେ ମୋ ପାଇଁ ଶିବଙ୍କ ରୂପରେ ରହିଛନ୍ତି। ତେଣୁ ଲୋକଙ୍କ ବେକର ସୁନ୍ଦରତା ବଢ଼ାଉଥିବା ସାପ ହେବାକୁ ମୁଁ ପସନ୍ଦ କରେ। ମୁଁ ଭଲ ଭାବେ ଜାଣିଛି ଯେ ସନ୍ଥ ଓ ଶଙ୍କରଙ୍କ ଭୂମିରେ ରହୁଥିବା କର୍ଣ୍ଣାଟକାର ଲୋକମାନେ ନିଜ ଭୋଟ ବଳରେ କଂଗ୍ରେସକୁ ଉପଯୁକ୍ତ ଜବାବ ଦେବେ। ମେ’ ୧୦ରେ କଂଗ୍ରେସ ପ୍ରତି ଥିବା ଲୋକଙ୍କ ରାଗ ଭୋଟ ଦ୍ୱାରା ପ୍ରତିଫଳିତ ହେବ।”

Leave a Reply

Your email address will not be published. Required fields are marked *