Spread the love

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ଆଟିଗାଁ ଆର୍‌ଆଇ ଅଫିସର ଅସ୍ଥାୟୀ ପିଅନ ଛାୟାକାନ୍ତ ଦଣ୍ଡସେନା ହତ୍ୟା ମାମଲାର ବିଚାର କରି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଶନିବାର ତାଙ୍କ ରାୟ ଶୁଣାଇଛନ୍ତି। ଏହି ମାମଲାରେ ଆଟିଗାଁର ମହିଳା କୁଚିତା ଦଣ୍ଡସେନା, ତାଙ୍କ ତିନିପୁଅ ରାଧୁ ଦଣ୍ଡସେନା, ପୀତ ଦଣ୍ଡସେନା ଓ ଯଦୁ ଦଣ୍ଡସେନାଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ସରକାରୀ ଓକିଲଙ୍କ ସୂଚନା ଅନୁସାରେ, ୧୪.୬.୨୦୧୮ ତାରିଖ ଦିନ ଆଟିଗାଁ ଆର୍‌ଆଇ ଅଫିସ ନିକଟ ସରକାରୀ ଜମିକୁ ଅନଧୀକୃତ ଭାବେ ଅକ୍ତିଆର କରି କୁଚିତା, ରାଧୁ, ପୀତ ଓ ଯଦୁ ଘର ତିଆରି ପାଇଁ ନିଅଁ ଖୋଳୁଥିଲେ। ଏହା ଦେଖି ଛାୟାକାନ୍ତ କାମ ବନ୍ଦ କରିବାକୁ କହି ଆର୍‌ଆଇଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ରାଗିଯାଇ ରାଧୁଙ୍କ ହାତକୁ ତାଙ୍କ ମା’ କୁଚିତା ଏକ ଟାଙ୍ଗିଆ ବଢ଼େଇ ଦେଇଥିଲେ। ଛାୟାକାନ୍ତଙ୍କୁ ରାଧୁ ଟାଙ୍ଗିଆରେ ହାଣିବା ସମୟରେ ତାଙ୍କ ଦୁଇଭାଇ ପୀତ ଓ ଯଦୁ ଛାୟାକାନ୍ତଙ୍କ ଦୁଇହାତକୁ ଧରି ରଖିଥିଲେ। ଜୁନାଗଡ଼ ଥାନା ପୁଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଶନିବାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କର ଉପରୋକ୍ତ ରାୟ ଶୁଣାଇବା ସହ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ଏକବର୍ଷ କାରାଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ମାମଲା ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *