Spread the love

ଭୁବନେଶ୍ବର: ରାଜ୍ୟର ଘରୋଇ ଡାକ୍ତରଖାନାଗୁଡ଼ିକରେ ସିଜରିଆନ ଡେଲିଭରି ବୃଦ୍ଧି ଘଟିଛି। ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରୁଛି। ଏହାର ଅଡ଼ିଟ ପାଇଁ ପରିବାର କଲ୍ୟାଣ ବିଭାଗ ସମସ୍ତ ସିଡ଼ିଏମଓକୁ ଚିଠି ଲେଖିଛି। କ୍ରାଇଟେରିଆକୁ ମାନି ଘରୋଇ ଡାକ୍ତରଖାନାଗୁଡିକ ସିଜରିଆନ ଡେଲିଭରି କରୁଛନ୍ତି ନା ନିୟମ ବାହାରକୁ ଯାଇ ସିଜରିଆନ ଡେଲିଭରି କରୁଛନ୍ତି ତାହାର ଅଡ଼ିଟ କରାଯିବ। ଆସନ୍ତା ମେ’ ମାସ ୧ ତାରିଖ ଠାରୁ ଏହି ଅଡ଼ିଟ ପ୍ରକ୍ରିୟା ଆରମ୍ଭ ହେବ। ଯେଉଁ ଘରୋଇ ଡାକ୍ତରଖାନା ସିଜରିଆନ ଡେଲିଭରି କରୁଛନ୍ତି, କାହିଁକି କରୁଛନ୍ତି ସେ ନେଇ ଏଡ଼ିଏମଓ ସିଡ଼ିଏମଓଙ୍କୁ ରିପୋର୍ଟ ଦେବେ। ଅଡ଼ିଟ ପାଇଁ ନୋଡ଼ାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ଯେଉଁମାନେ ନିୟମ ବାହାରକୁ ଯାଇ ସିଜରିଆନ ଡେଲିଭରି କରୁଛନ୍ତି ସେମାନଙ୍କ କଥା ବିଚାର କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।
ରିପୋର୍ଟ ଅନୁଯାୟୀ ରାଜ୍ୟର ଘରୋଇ ଡାକ୍ତରଖାନାଗୁଡିକରେ ସିଜରିଆନ ଡେଲିଭରି ୭୦.୭ ପ୍ରତିଶତ ରହିଛି। ଏହି କ୍ରମରେ ଜାତୀୟ ହାର ରହିଛି ୪୭.୪ ପ୍ରତିଶତ। ୨୦୧୫-୧୬ରେ ଓଡ଼ିଶାର ଘରୋଇ ଡାକ୍ତରଖାନାରେ ସିଜରିଆନ ଡେଲିଭରି ୫୩.୭ ପ୍ରତିଶତ ଥିଲା। ଗତ କିଛି ବର୍ଷ ହେବ ଘରୋଇ ଡାକ୍ତରଖାନାରେ ସିଜରିଆନ ଡେଲିଭରି କେସ ବଢୁଛି। ସରକାରୀ ଡାକ୍ତରଖାନାରେ ସିଜରିଆନ ଡେଲିଭରି କେସ ୧୫.୬ ପ୍ରତିଶତ ରହିଛି। ଜାତୀୟ ସ୍ତରରେ ଏହି ସଂଖ୍ୟା ୧୫.୫ ପ୍ରତିଶତ ରହିଛି। ମୋଟାମୋଟି ସରକାରୀ ଓ ଘରୋଇ ଡାକ୍ତରଖାନାରେ ସିଜରିଆନ ଡେଲିଭରି କେସ ୨୧.୫ ପ୍ରତିଶତ ରହିଥିବା ବେଳେ ଜାତୀୟସ୍ତରରେ ୨୧.୬ ପ୍ରତିଶତ ରହିଛି। ନିୟମ ଅନୁଯାୟୀ ୮୫ ରୁ ୯୦ ପ୍ରତିଶତ ନର୍ମାଲ ଡେଲିଭରି ହେବା କଥା।

Leave a Reply

Your email address will not be published. Required fields are marked *