Spread the love

ହାଇଦ୍ରାବାଦ : ପରୀକ୍ଷା ଫଳ ପ୍ରକାଶିତ ହେବାର ୨ ଦିନ ମଧ୍ୟରେ ଜୀବନ ହାରିଲେଣି ୧୦ ଛାତ୍ରଛାତ୍ରୀ। ଏପରି ଚାଞ୍ଚଲ୍ୟକର ଘଟଣା ଆନ୍ଧ୍ରପ୍ରଦେଶରେ ଘଟିଛି। ଯୁକ୍ତ ୨ ପ୍ରଥମ ଓ ଦ୍ୱିତୀୟ ବର୍ଷ ପରୀକ୍ଷାରେ ଫେଲ୍‌ ହେବାରୁ କୋମଳମତି ଛାତ୍ରଛାତ୍ରୀ ଏଭଳି ଚରମ ପଦକ୍ଷେପ ନେବାକୁ ପଛାଉ ନାହାନ୍ତି। ଏହାକୁ ନେଇ ସମଗ୍ର ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।
ଆନ୍ଧ୍ରପ୍ରଦେଶରେ ଚଳିତ ବର୍ଷ ଯୁକ୍ତ ୨ ପ୍ରଥମ ବର୍ଷରେ ପାସ୍‌ ହାର ୬୧% ଥିବା ବେଳେ ଦ୍ୱିତୀୟ ବର୍ଷ ପାସ୍‌ହାର ୭୨% ରହିଛି।
ଜଗନ୍ନାଥମ ବାଣୀ ନାମ୍ନୀ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଗୋଟିଏ ପେପରରେ ଫେଲ୍‌ ହୋଇଥିଲେ। ଗତ ଗୁରୁବାର ରେଜଲ୍ଟ ବାହାରିଥିବା ବେଳେ ତାଙ୍କ ପରିବାର ଲୋକେ ସେ ରହୁଥିବା ହଷ୍ଟେଲରେ ପହଞ୍ଚି ତାଙ୍କୁ ବୁଝାସୁଝା କରିଥିଲେ। ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେବା ନିମନ୍ତେ ସେମାନେ ତାଙ୍କୁ କହି ଫେରିଥିଲେ। ହେଲେ ଶୁକ୍ରବାର ହଷ୍ଟେଲ ରୁମ୍‌ରୁ ଉଦ୍ଧାର ହୋଇଥିଲା ତାଙ୍କ ଝୁଲନ୍ତା ମୃତଦେହ।
ବାଣୀଙ୍କୁ ତାଙ୍କ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକମାନେ ଅନ୍ୟ ପିଲାଙ୍କ ସମ୍ମୁଖରେ ଆକ୍ଷେପ କରିଥିବାରୁ ସେ ଏପରି ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।
ସେହିପରି ବି. ତରୁଣ ନାମକ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର ଚଳିତ ପରୀକ୍ଷାରେ ବହୁ ବିଷୟରେ ଫେଲ୍‌ ହୋଇଛନ୍ତି। ତେଣୁ ମାନସିକ ଭାରସାମ୍ୟ ହରାଇ ସେ ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଛନ୍ତି। ଏହାବାଦ ଏ. ଅଖିଲାଶ୍ରୀ, ତୁଲାସୋ ଥାରୁନ, ବି ଜଗଦୀଶ ନାମକ ବିଶାଖାପାଟଣମର ୩ ଛାତ୍ର ଫାଶୀ ଲଗାଇ ନିଜ ଜୀବନ ହାରିଛନ୍ତି। ଚିତ୍ତୋରର ୨ ଛାତ୍ର ବି ପରୀକ୍ଷାରେ ଭଲ କରି ନ ପାରିବାରୁ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଛନ୍ତି ।
ଏହାବାଦ ଅନନ୍ତପୁର ଜିଲ୍ଲାର ଜଣେ ଛାତ୍ରୀ ନଦୀକୁ ଡେଇଁ ପଡ଼ିଥିବା ବେଳେ କୀଟନାଶକ ପିଇ ଜଣେ ଛାତ୍ର ମୃତ୍ୟୁମୁଖରେ ପଡ଼ିଛନ୍ତି। ଏହାବାଦ ଆହୁରି କିଛି ଛାତ୍ରଛାତ୍ରୀ ପରୀକ୍ଷାରେ ଫେଲ୍‌ ହେବା କାରଣରୁ ନିଜ ଜୀବନକୁ ଶେଷ କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *