Spread the love

ନୂଆଦିଲ୍ଲୀ : ଏଣିକି ମହିଳା କର୍ମଚାରୀଙ୍କୁ ପୂଜାପାଠ କରିବା ନିମନ୍ତେ ମିଳିବ ସମୟ। ୮ ଘଣ୍ଟାର ଅଫିସ୍‌ ଟାଇମ୍‌ରୁ ୨ ଘଣ୍ଟା ସେମାନେ କରି ପାରିବେ ଠାକୁରଙ୍କ ପୂଜା। ଏଥିନିମନ୍ତେ ମାସର ୩ଟି ଶୁକ୍ରବାର ମିଳିବ ୨ ଘଣ୍ଟାର ସ୍ପେଶାଲ ଛୁଟି।
ଶୁକ୍ରବାର ସକାଳ ୮ଟା ୪୫ରୁ ୧୦ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ସେମାନେ ନିଜ ଘରେ ପୂଜା କରି ଅଫିସ ଯାଇପାରିବେ। ଏପରି ଏକ ଘୋଷଣା କରିଛନ୍ତି ପୁଡୁଚେରୀ ସରକାର।
ସରକାରଙ୍କ ତରଫରୁ ପ୍ରକାଶିତ ବିଜ୍ଞପ୍ତିରେ ଏ ନେଇ ସବିଶେଷ ସୂଚନା ଦିଆଯାଇଛି। ବିଜ୍ଞପ୍ତି ଅନୁଯାୟୀ, କେବଳ ମହିଳା କର୍ମଚାରୀ ଥିବା କାର୍ଯ୍ୟାଳୟ ପାଇଁ ଏହି ନିୟମ ଲାଗୁ ହେବ। ହେଲେ କାମ ଯେପରି ପ୍ରଭାବିତ ନ ହେବ ସେଥିନିମନ୍ତେ ପାଳି କରି ସମସ୍ତ ମହିଳା କର୍ମଚାରୀଙ୍କୁ ଏହି ଛୁଟି ଦିଆଯିବ। ସେହିପରି ହସ୍ପିଟାଲ, ଥାନା ଓ ଶିକ୍ଷାନୁଷ୍ଠାନ ଆଦି କ୍ଷେତ୍ରରେ ନିୟୋଜିତ ମହିଳାଙ୍କୁ ଏଥିରୁ ବାଦ୍ ଦିଆଯାଇଛି।
ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ଡିଏମ୍‌କେ ତୀବ୍ର ସମାଲୋଚନା କରିଛି। ପୁଡ଼ୁଚେରୀ ଲୋକଙ୍କ ଉପରେ ରାଜ୍ୟ ସରକାର ଆରଏସ୍‌ଏସ୍‌ ବିଚାରଧାରା ଲଦି ଦେଉଥିବା ଡିଏମ୍‌କେ ଅଭିଯୋଗ କରିଛି।
ବିରୋଧୀଙ୍କ ପକ୍ଷରୁ କୁହାଯାଇଛି, ସରକାରଙ୍କ ଏପରି ନିୟମ ଯୋଗୁ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସ୍ଥିତି ଦୁର୍ବଳ ହେବ। ସେମାନେ ନିଜ କାମ ଅପେକ୍ଷା ଘର ତଥା ପୂଜାପାଠ ନିମନ୍ତେ ଅଧିକ ଆଗ୍ରହ ପ୍ରକାଶ କରିବେ। ଫଳରେ ସେମାନଙ୍କ କାମ ପ୍ରଭାବିତ ହେବ ଓ ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ। ସରକାର ମହିଳାଙ୍କୁ ସଶକ୍ତ କରିବା ପରିବର୍ତ୍ତେ ଏପରି ଯୋଜନା ଲାଗୁ କରି ସେମାନଙ୍କ କାର୍ଯ୍ୟ ଦକ୍ଷତାକୁ ହ୍ରାସ କରୁଛନ୍ତି।

Leave a Reply

Your email address will not be published. Required fields are marked *