Spread the love

ଜୟପୁର : ‘ମୁଁ ନିଜକୁ ରାବଣ ବୋଲି ସ୍ୱୀକାର କରୁଛି। ହେଲେ ତୁମେ ତ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ପରି ବ୍ୟବହାର ଦେଖାଅ। ଗରିବ ଲୋକଙ୍କୁ ଶୋଷଣ କରି ସେମାନଙ୍କ ଟଙ୍କାରେ ନିଜ ସାମ୍ରାଜ୍ୟ ଛିଡ଼ା କରୁଛ। ଯଦି ତୁମେ ସେମାନଙ୍କ କଷ୍ଟ ଅର୍ଜିତ ଧନ ଫେରାଇ ଦେବ, ତା’ହେଲେ ଆମେ ମାନି ଯିବୁ ଯେ ତୁମେ ସତରେ ରାମଚନ୍ଦ୍ରଙ୍କ ଫଲୋଅର ଓ ଆମେ ରାବଣଙ୍କ ଅନୁଗାମୀ।’
କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ରାବଣ ବୟାନ ଉପରେ ଏମିତି କଡ଼ା ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଗତକାଲି ଗେହଲଟ ତାରାନଗରରେ ଏକ ସଭାରେ ଯୋଗ ଦେଇ ଗଜେନ୍ଦ୍ର ସିଂଙ୍କୁ ଟାର୍ଗେଟ କରି କହିଥିଲେ, ବିଜେପି କର୍ଣ୍ଣାଟକରେ ଧୂଳି ଚାଟିବ। ସେଥିପାଇଁ ଏବେଠୁ ବିଳିବିଳେଇ ଦେଉଛି। ଶେଖାୱତ ମୋତେ ରାବଣ ବୋଲି ସମ୍ବୋଧନ କରିଛନ୍ତି। ମୋର ସେଥିରେ କିଛି ଯାଏ ଆସେ ନାହିଁ। ଲୋକ ସ୍ଥିର କରିବେ ମୁଁ ରାବଣ ନା ଜନସେବକ।
ସେ କହିଥିଲେ, ଶେଖାୱତ ଜଣେ କେନ୍ଦ୍ର ମନ୍ତ୍ରୀ ହୋଇଥିବା ସତ୍ତ୍ୱେ ନିଜର କିଛି ଘନିଷ୍ଠ ଲୋକଙ୍କ ସହ ମିଶି ବହୁ ଲୋକଙ୍କୁ ଲୁଟିଛନ୍ତି। ସେମାନଙ୍କ ଟଙ୍କାରେ ସେ ନିଜର ବିଶାଳ କମ୍ପାନୀ ଛିଡ଼ା କରାଇଛନ୍ତି। ସେହି ଲୋକେ ମୋ’ ପାଖକୁ ଆସି ନିଜ ଗୁହାରି ଜଣାଇଥିବା ବେଳେ ସେମାନଙ୍କ ଆଖିରୁ ଲୁହ ଝରି ପଡ଼ୁଥିଲା। ଏହି ମାମଲାରେ ଶେଖାୱତଙ୍କ ବହୁ ଘନିଷ୍ଠ ସହଯୋଗୀ ଏବେ ଜେଲ୍‌ରେ ଅଛନ୍ତି। ଏହି ମାମଲାରେ ଶେଖାୱତ ବି ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି। ତୁରନ୍ତ ସେ ଗରିବ ଲୋକଙ୍କ ଟଙ୍କା ଫେରସ୍ତ କରନ୍ତୁ।
ଏନେଇ ସ୍ୱର ଉଠାଇବାକୁ ମୋ’ ନାଁରେ ଦିଲ୍ଲୀରେ ମାନହାନୀ କେସ୍‌ ରୁଜୁ ହୋଇଛି। ଏହାକୁ ସ୍ୱାଗତ କରୁଛି। ଏହାଦ୍ୱାରା ଉକ୍ତ ଗରିବ ପରିବାର ପ୍ରତି ନ୍ୟାୟପାଳିକଙ୍କ ଧ୍ୟାନ ଯିବ ଓ ସେମାନେ ନିଜ ଟଙ୍କା ଫେରି ପାଇବେ ବୋଲି କହିଛନ୍ତି ଗେହଲଟ।
କିଛି ଦିନ ପୂର୍ବେ ଏକ ସଭାରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଥିଲେ ଯେ, ରାବଣ ରୂପୀ ଗେହଲଟଙ୍କୁ ଶେଷ କରିବାକୁ ପଡ଼ିବ। ଖୁବଶୀଘ୍ର ଏହି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିବ।

Leave a Reply

Your email address will not be published. Required fields are marked *