Spread the love

ନୂଆଦିଲ୍ଲୀ : BYJUର ସିଇଓ ବାଇଜୁ ରବୀନ୍ଦ୍ରନଙ୍କ ବେଙ୍ଗାଲୁରୁ ସ୍ଥିତ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆଜି ଚଢ଼ାଉ କରାଯାଇଛି। ବୈଦେଶିକ ପାଣ୍ଠି ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଛି।
ବାଇଜୁ ରବୀନ୍ଦ୍ରନ ଓ ତାଙ୍କ କମ୍ପାନୀ ‘ଥିଙ୍କ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ ଲିମିଟେଡ୍‌’ ବିରୋଧରେ ବୈଦେଶିକ ବିନିମୟ ପରିଚାଳନା ଆଇନ (FEMA)ରେ ଥିବା ବ୍ୟବସ୍ଥା ଅନୁସାରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ତାଙ୍କ ବେଙ୍ଗାଲୁରୁ ସ୍ଥିତ ଘର ଓ ଦୁଇଟି ଅଫିସରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଇଡି ଅନେକ ଗୁଡ଼ିଏ ସନ୍ଦେହଜନକ କାଗଜପତ୍ର ଓ ତଥ୍ୟ ଜବତ କରିଥିବା ଜଣାପଡ଼ିଛି।
ଇଡି ପକ୍ଷରୁ କୁହାଯାଇଛି ଯେ ଏହି ଚଢ଼ାଉ ବେଳେ ଜଣାପଡ଼ିଲା ଯେ ତାଙ୍କ କମ୍ପାନୀରେ ୨୦୧୧ରୁ ୨୦୨୩ ମଧ୍ୟରେ ପ୍ରାୟ ୨୮ ହଜାର କୋଟି ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ହୋଇଛି। ଏହି ସମୟ ମଧ୍ୟରେ କମ୍ପାନୀ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ନାମରେ ବିଭିନ୍ନ ବିଦେଶୀ ସଂସ୍ଥାକୁ ପ୍ରାୟ ୯୭୫୪ କୋଟି ଟଙ୍କା ପଠାଇଛି। ସେହିପରି ତାଙ୍କ କମ୍ପାନୀ ୨୦୨୦-୨୧ ଆର୍ଥିକ ବର୍ଷ ଠାରୁ ଆଉ ଫାଇନାନସିଆଲ ଷ୍ଟେଟମେଣ୍ଟ ପ୍ରସ୍ତୁତ କରି ନାହିଁ କି ଆକାଊଣ୍ଟ ଅଡିଟ କରି ନାହିଁ।
ଅନେକ ଅଭିଯୋଗ ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି। ଇଡି ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ବାଇଜୁ ରବୀନ୍ଦ୍ରନଙ୍କୁ ଅନେକ ଥର ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା। କିନ୍ତୁ ସେ କେବେ ବି ହାଜର ହୋଇ ନଥିଲେ।
ଅନ୍ୟପକ୍ଷରେ ବାଇଜୁ ପକ୍ଷରୁ କୁହାଯାଇଛି ଯେ ଏହାକ ଏକ ରୁଟିନ୍ ତଦନ୍ତ, ଯାହାକୁ ଫେମା ଅଧୀନରେ କରାଯାଇଛି। ଯାଞ୍ଚ ବେଳେ କମ୍ପାନୀ ପକ୍ଷରୁ ଇଡିଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯାଇଛି। ସେମାନେ ଦାବି କରିଥିବା ସମସ୍ୟ ତଥ୍ୟ ସେମାନଙ୍କୁ ଦିଆଯାଇଛି।

Leave a Reply

Your email address will not be published. Required fields are marked *