Spread the love

କୋଟିଆ : ଓଡ଼ିଶାରେ ଆବାସ ଯୋଜନାରେ ନିର୍ମାଣ ହେଉଥିବା ପକ୍କା ଘରେ ଲାଗିବ କାହାର ଲୋଗୋ? ଏହାକୁ ନେଇ ରାଜ୍ୟରେ ଅନେକ ସମୟରେ ଦୁଇ ରାଜନୈତିକ ଦଳ- ବିଜେଡି ଓ ବିଜେପି ମଧ୍ୟରେ କନ୍ଦଳ ଦେଖିବାକୁ ମିଳେ। ହେଲେ ଏହାରି ଭିତରେ କୋଟିଆରେ ଆବାସ ଯୋଜନାର ତିଆରି ହୋଇଥିବା ଘରେ ଆନ୍ଧ୍ରପ୍ରଦେଶ ଷ୍ଟିକର ମାରି ପଳାଇ ଯାଇଛି। ଖାଲି ଷ୍ଟିକର ମାରି ନାହାନ୍ତି, ଆନ୍ଧ୍ର ପ୍ରଦେଶର ଅଧିକାରୀମାନେ ସେଠାରେ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜନ କରିଥିଲେ।
କୋଟିଆର ତଳସେମ୍ବି ଓ ଉପରସେମ୍ବି ଗାଁରେ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଘର ନିର୍ମାଣ କରିଥିଲେ। ତିଆରି ହୋଇଥିବା ଘରର ଡାହାଣ ପାର୍ଶ୍ୱରେ ବିଜୁ ପଟ୍ଟନାୟକ ଫଟୋ ଥିବା ‘ବିଜୁ ପକ୍କା ଘର’ ଲୋଗୋ ଲାଗିଛି। ଆଉ ବାମ ପାର୍ଶ୍ୱରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଫଟୋ ଥିବା ଷ୍ଟିକର ଲାଗିଛି। ଆନ୍ଧ୍ର ଅଧିକାରୀମାନେ ଏହି ଦୁଇ ଗାଁରେ ବୁଲି ବୁଲି ଘରେ ଘରେ ଜଗନ ଷ୍ଟିକର ଲଗାଇଛନ୍ତି। ଓଡ଼ିଶା ସରକାରଙ୍କ ଲୋଗୋ ଥିବା ସତ୍ତ୍ୱେ ଆନ୍ଧ୍ର ଷ୍ଟିକର ମାରିଥିବା ଦେଖିବାକୁ ମିଳିଛି। ଏଥିସହ ସର୍ଭେ କରିଥିବା ଜଣାପଡ଼ିଛି।
ସେହିପରି ଆଜି ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆର ଉପରଗଞ୍ଜେଇପଦର ଗାଁରେ ମାଗଣାରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଗାଁ ଲୋକମାନେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଶିବିରକୁ ଯାଇଥିବା ଦେଖିବାକୁ ମିଳିଛି। ମେଡିକାଲ୍‌ ଚେକ୍‌ଅପ୍‌ ପରେ ଗାଁ ଲୋକଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଛି। ପାର୍ବତୀପୁରମ ମାନ୍ୟତା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବା ଜଣାପଡ଼ିଛି।
ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ଆସି ଷ୍ଟିକର ମାରିଲେ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଚାଲିଗଲେ। ହେଲେ କୋରାପୁଟ୍‌ ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଜାଣିପାରିଲା ନାହିଁ। ଏଠି ପ୍ରଶ୍ନ ଉଠୁଛି, କୋରାପୁଟ୍‌ ପ୍ରଶାସନ କେଉଁଠି ଓ କାହାକୁ ଜଗିଛି? ସୀମାରେ ଜଗିବା କାର୍ଯ୍ୟ କେବଳ ଲୋକ ଦେଖାଣିଆ ନୁହେଁ ତ?

Leave a Reply

Your email address will not be published. Required fields are marked *