Spread the love

ଭଦ୍ରକ : କାନ୍ଦ ବୋବାଳି ଭିତରେ ଘରୁ ଉଠିଲା କୋକେଇ। ହେଲେ କୋକେଇ ନଥିଲା ଶବ। ପ୍ରତିକାତ୍ମକ ଭାବେ ଚାଉଳ ଚୁନାରେ ଶବକୁ କୋକେଇରେ ଶ୍ମଶାନ ନେଉଛନ୍ତି ପରିବାର ଲୋକ। ଆଉ ସତ୍କାର କରିଥିଲେ। ଏପରି ଚିତ୍ର ଆସିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କୋରୁଆ ଗାଁରୁ। ଘରୁ ପଳାଇବାର ୨୪ ବର୍ଷ ପରେ ନିଜ ମାଆଙ୍କୁ ଏମିତି ଶୁଦ୍ଧିକ୍ରିୟା ହୋଇଛନ୍ତି ଦୁଇ ପୁଅ।
ସ୍ୱାମୀ ଆନନ୍ଦଚନ୍ଦ୍ର ନାୟକ ଓ ତାଙ୍କର ଦୁଇ ପୁଅଙ୍କୁ ନେଇ ଲୀଳାବତୀ ନାୟକଙ୍କ ପରିବାର। ସ୍ୱାମୀ କୋଲକାତାରେ କାମ କରୁଥିବା ବେଳେ ଦୁଇ ପିଲାଙ୍କ ଲାଲନ ପାଳନରେ ଲାଗି ପଡ଼ିଥିଲେ ଲୀଳାବତୀ। ବେଶ୍‌ ହସ ଖୁସିରେ ଚାଲିଥିଲା ଲୀଳାବତୀଙ୍କ ପରିବାର। ସାନ ପୁଅ ଉମେଶଙ୍କୁ ୧୨ରୁ ୧୩ ବର୍ଷ ହୋଇଥିଲା। ସେହି ସମୟରେ ଲୀଳାବତୀ କେଉଁଆଡ଼େ ଚାଲିଗଲେ। ବହୁ ଖୋଜାଖୋଜି କଲେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲେ।
ପତ୍ନୀଙ୍କ ନିଖୋଜ ସମ୍ପର୍କରେ ଖବର ପାଇ ଗାଁରେ ପହଞ୍ଚିଥିଲେ ଆନନ୍ଦଚନ୍ଦ୍ର। ସେ ମଧ୍ୟ ନିଜ ମନର ମିତକୁ ଚାରିଆଡ଼େ ଖୋଜା ଖୋଜି କରିଥିଲେ। ହେଲେ ତାଙ୍କର ପତ୍ତା ପାଇନଥିଲେ। ପତ୍ନୀଙ୍କ ପତ୍ତା ପାଇନଥିଲେ ମଧ୍ୟ ହାର୍ ମାନିନଥିଲେ। ମନେ ମନେ ତାଙ୍କୁ ଖୋଜୁଥିଲେ ଓ ଦୁଇ ପିଲାଙ୍କ ଲାଳନ ପାଳନରେ ଲାଗି ପଡ଼ିଲେ। ପତ୍ନଙ୍କ ଫେରିବା ବାଟକୁ ଅନାଇ ଅନାଇ ୯ ବର୍ଷ ତଳେ ଆନନ୍ଦଚନ୍ଦ୍ରଙ୍କ ବିୟୋଗ ହୋଇଥିଲା। ବାପାଙ୍କ ଦେହାନ୍ତ ପରେ ଦୁଇ ପୁଅ ଶୁଦ୍ଧିକ୍ରିୟା ହୋଇଥିଲେ। ହେଲେ ମାଆ…।
୨୪ ବର୍ଷ ବିତିଲାଣି। ମାଆଙ୍କ ଖୋଜ ଖବର କିଛି ନାହିଁ। ସେ କେଉଁଠି ଓ କେମିତି ଅଛନ୍ତି? ବଞ୍ଚିଛନ୍ତି ତ? ଦୁଇ ପୁଅ ରମେଶ ଓ ଉମେଶଙ୍କ ମନରେ ଏମିତି ପ୍ରଶ୍ନ ଉଙ୍କି ମାରୁଥିଲା। ତେବେ ଏହାରି ଭିତରେ ଉମେଶ ଏକ ଖରାପ ସ୍ୱପ୍ନ ଦେଖିଥିଲେ। ଉମେଶଙ୍କ କହିବା ଅନୁସାରେ ସେ ତାଙ୍କ ମାଆଙ୍କ ମୃତଦେହ ସଂସ୍କାର କରିବାକୁ ନେଉଥିବା ସ୍ୱପ୍ନରେ ଦେଖିବାକୁ ପାଇଥିଲେ। ପରେ ସେ ଏ ନେଇ ବଡ଼ ଭାଇ ରମେଶ ଓ ବୟୋଜ୍ୟେଷ୍ଠ ଲୋକଙ୍କୁ କହିଥିଲେ। ବହୁ ବାଚାର ବିମର୍ଶ ପରେ ପୁରୀ ମୁକ୍ତିମଣ୍ଡପ ପଣ୍ଡିତଙ୍କୁ ଭେଟିଥିଲେ।
ମୁକ୍ତିମଣ୍ଡପ ପଣ୍ଡିତଙ୍କ ପରାମର୍ଶରେ ଆଜି ଶୁଦ୍ଧିକ୍ରିୟା କରିଛନ୍ତି। ସେଥିପାଇଁ ବନ୍ଧୁବାନ୍ଧବ ଓ ସମ୍ପର୍କୀୟମାନେ ଘରକୁ ଆସିଥିଲେ। ୬ ଖଣ୍ଡ ବାଉଁଶରେ ବନ୍ଧାଗଲା କୋକେଇ। ଆଉ କୋକେଇରେ ଶୋଇଲା ଲୀଳାବତୀଙ୍କ ପ୍ରତିକାତ୍ମକ ଶବ। ବନ୍ଧୁ ପରିଜନ ଉଠାଇଲେ କୋକେଇ। କାନ୍ଦବୋବାଳି ଓ ରାମ ନାମ ସତ୍ୟ ହେ… ହରି ନାମ ହତ୍ୟା ହେ … ଧ୍ୱନୀ ଭିତରେ ଶବ ଗଲା ଶ୍ମଶାନ। ଆଉ ସେଠି ଜଳିଳା ଜୁଈ। ମୁଖାଗ୍ନି ଦେଲେ ବଡ଼ପୁଅ ରମାକାନ୍ତ। ଶବ ସତ୍କାର ପରେ ଆଉ ପରିବାର ଲୋକ ଦଶାହ ଓ ଏକା ଦଶାହ କ୍ରିୟା ପାଇଁ ପ୍ରସ୍ତୁତି କରିଛନ୍ତି।

Leave a Reply

Your email address will not be published. Required fields are marked *