Spread the love

ଭୁବନେଶ୍ବର: ଭାରତୀୟ ରେଳବାଇର ସେମି ଦ୍ରୁତଗାମୀ ଟ୍ରେନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ନେଟ୍‌ୱର୍କରେ ଖୁବ ଶୀଘ୍ର ଓଡ଼ିଶା ଯୋଡ଼ି ହେବାକୁ ଯାଉଛି। ଏହି ଟ୍ରେନ୍‌ ଆଗାମୀ କିଛି ମାସ ମଧ୍ୟରେ ପୁରୀରୁ ହାୱଡା ମଧ୍ୟରେ ଚାଲିବ। ଶୁକ୍ରବାର (ଏପ୍ରିଲ ୨୮)ରେ ବନ୍ଦେ ଭାରତ ପରୀକ୍ଷାମୂଳକ ଯାତ୍ରା ହେବ। ଏହି ଟ୍ରେନ୍‌ ହାୱଡ଼ା ଷ୍ଟେସନ୍‌ରୁ ସକାଳ ୬ଟା୧୦ ମିନିଟରେ ବାହାରିବ। ଦିନ ୧୧ଟା ୨୨ରେ ଭୁବନେଶ୍ୱର ରେଳ ଷ୍ଟେସନ ପହଞ୍ଚିବ। ୨ ମିନିଟର ରହଣୀ ପରେ ପୁରୀ ବାହାରିବ। ଦିନ ୧୨ଟା ୩୫ରେ ପୁରୀ ପହଞ୍ଚିବ।
ବର୍ତ୍ତମାନ ପରିପ୍ରେକ୍ଷୀରେ ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ସର୍ବାଧିକ ଦ୍ରୁତଗତିରେ ଯାଇପାରୁଥିବା ଟ୍ରେନ୍‌। ଏହି ଟ୍ରେନ୍‌ ଘଣ୍ଟା ପିଛା ସର୍ବାଧିକ ୧୬୦ କିମି ବେଗରେ ଗତି କରିପାରୁଛି।
ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁରୀରେ କିଛି ସମୟ ରହିବା ପରେ ଅପରାହ୍ନ ୧ଟା ୫୦ରେ ହାୱଡା ଅଭିମୁଖେ ବାହାରିବ। ରାତି ୮ଟା ୩୦ରେ ଏହି ଟ୍ରେନ ହାୱଡା ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରୀକ୍ଷାମୂଳକ ଯାତ୍ରା ସଫଳ ହେଲାପରେ ଆସନ୍ତା ମେ’ ମାସ ଦ୍ବିତୀୟ ସପ୍ତାହରୁ ଜନସାଧାରଣଙ୍କ ପାଇଁ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ଫେବ୍ରୁଆରି ୧୫ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଶୁଭାରମ୍ଭ କରିଥିଲେ। ଦେଶରେ ପ୍ରଥମ ଥର ପାଇଁ ଏହି ଟ୍ରେନ୍‌ ନୂଆଦିଲ୍ଲୀ ଠାରୁ ବାରଣାସୀକୁ ସେବା ଯୋଗାଇଥିଲା। ସେହିଦିନ ଠାରୁ ଏପର୍ଯନ୍ତ ଦେଶର ୭ଟି ରୁଟ୍‌ରେ ଏହି ଟ୍ରେନ୍‌ ପରିଚାଳିତ ହେଉଛି। ଏଥିରେ ନୂଆଦିଲ୍ଲୀ-ବାରାଣାସୀ, ନୂଆଦିଲ୍ଲୀ-ବୈଷ୍ଣୋଦେବୀ ମାତା କଟରା, ଗାନ୍ଧିନଗର କ୍ୟାପିଟାଲ-ଅହମଦାବାଦ-ମୁମ୍ବାଇ ସେଣ୍ଟ୍ରାଲ, ଅମ୍ବା ଅନ୍ଦାରୁଆ-ନୂଆଦିଲ୍ଲୀ, ମହୀଶୂର-ପୂରାଟଚୀ ଥାଲାଇଭର ଡ. ଏମ୍‌ଜିଆର ଚେନ୍ନାଇ ସେଣ୍ଟ୍ରାଲ, ନାଗପୁର-ବିଲାସପୁର ଓ ହାୱଡା-ନ୍ୟୁ ଜଲପାଇଗୁଡ଼ି ସାମିଲ ରହିଛି।

Leave a Reply

Your email address will not be published. Required fields are marked *