Spread the love

କଟକ : କଟକ ବଡ଼ଡାକ୍ତରଖାନାରେ ଦିଆଯାଉଥିବା ଆହାର ଯଥେଷ୍ଟ ହେଉ ନଥିବାରୁ ଆଉ ୪୦୦ଶହ ମିଲ୍‌ ବୃଦ୍ଧି କରାଯାଇଛି। ଏହା ସତ୍ତ୍ବେ ପ୍ରତିଦିନ ବହସଂଖ୍ୟକ ଲୋକ ଆହାର କେନ୍ଦ୍ରରୁ ନିରାଶ ହୋଇ ଫେରୁଛନ୍ତି।। ତେଣୁ, ଏସ୍‌ସିବି ରାଣୀହାଟ ଗେଟ୍‌ ପାଖରେ ଆହାର କେନ୍ଦ୍ରର ଏକ ସବ୍‌-ସେଣ୍ଟର୍‌ ଖୋଲିବା ପାଇଁ ଏସ୍‌ସିବି କୁଳସଚିବ ସିଏମ୍‌ସିକୁ ଲେଖିଛନ୍ତି। ଅନ୍ୟପଟେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓ ଶିଶୁଭବନରେ ବି ଆହାର ପାଉ ନଥିବାରୁ ସେଠାରେ କେବେ ଆହାର ସଂଖ୍ୟା ବୃଦ୍ଧି କରାଯିବ ତାକୁ ନେଇ ରୋଗୀ ସଂପର୍କୀୟ ପ୍ରଶ୍ନ କରିଛନ୍ତି। ତେବେ କର୍କଟ କେନ୍ଦ୍ର କର୍ତ୍ତୃପକ୍ଷ ଆହାର ସଂଖ୍ୟା ବୃଦ୍ଧି ପାଇଁ ଜଣାଇଥିବା ବେଳେ ଶିଶୁଭବନ ପକ୍ଷରୁ ସେଭଳି କୌଣସି ପ୍ରସ୍ତାବ ଯାଇ ନଥିବା ଜଣାପଡିଛି। ଅନ୍ୟପଟେ ରବିବାର ଆହାର ​ବନ୍ଦ‌ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, କଟକରେ ଦିନକୁ ୭ଟି କେନ୍ଦ୍ରରେ ଲୋକଙ୍କୁ ୭୩ଶହ ଆହାର ଦିଆଯାଉଛି।
କଟକରେ ୭ଟି ଆହାର କେନ୍ଦ୍ର ରହିଛି। ସେଥିରୁ କଟକ ବଡ଼ଡାକ୍ତରଖାନାରେ ଥିବା ଆ‌ହାର କେନ୍ଦ୍ରରେ ସର୍ବାଧିକ ମିଲ ଦିଆଯାଉଛି। ପୂର୍ବରୁ ଏସ୍‌ସିବିରେ (ଦିନରେ ୧୩୦୦ ଓ ରାତିରେ ୮୦୦) ମିଲ୍‌ ଦିଆଯାଉଥିଲା। କିନ୍ତୁ ଚଳିତମାସ ୧୮ତାରିଖ ଦିନ ମିଲ୍‌ ସଂଖ୍ୟା ଦିନରେ ୨ଶହ ଓ ରାତିରେ ୨ଶହକୁ ବୃଦ୍ଧି କରାଯାଇଛି। ଫଳରେ ଏସ୍‌ସିବିରେ ଏବେ ଦିନରେ ୧୫୦୦ ଓ ରାତିରେ ୧୦୦୦ ମିଲ ଦିଆଯାଉଛି। ଅର୍ଥାତ୍‌ ଦିନକୁ ଏସ୍‌ସିବିରେ ୨୫ଶହ ମିଲ ଦିଆଯାଉଛି। ସେହିପରି ଶିଶୁଭବନ ଆହାର କେନ୍ଦ୍ରରେ ୧୧ଶହ(ଦିନରେ ୭୦୦ ରାତିରେ ୪୦୦), ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ୧୩୫୦ (ଦିନରେ୯୦୦, ରାତିରେ ୪୫୦), ସିଟି ହସ୍ପିଟାଲ୍‌ରେ ୬୦୦(୪୦୦-୨୦୦) ମିଲ୍‌ ଦିଆଯାଉଥିବା ବେଳେ ତିନୋଟି ସ୍ଥାନରେ କେବଳ ଦିନରେ ଖୋଲୁଛି ଆହାର କେନ୍ଦ୍ର। ମାଲ୍‌ଗୋଦାମରେ ୩୫୦, ବାଦାମବାଡ଼ିରେ ୭୦୦, ଜଗତ୍‌ପୁରରେ ୭୦୦ ମିଲ୍‌ ଦିଆଯାଉଛି। କର୍କଟ କେନ୍ଦ୍ର ଓ ଶିଶୁଭବନରେ ଆହାର ଯଥେଷ୍ଟ ହେଉ ନଥିବାରୁ ଆହର ସଂଖ୍ୟା ବୃଦ୍ଧି ପାଇଁ ରୋଗୀ ସଂପର୍କୀୟ ଦାବି କରିଛନ୍ତି।
ଅନ୍ୟପଟେ ରବିବାର ଆହାର କେନ୍ଦ୍ର ଖୋଲିବା ପାଇଁ ମଧ୍ୟ ଦାବି ହୋଇଛି। ରବିବାର ଆହାର ବନ୍ଦ ରହୁଥିବାରୁ ରୋଗୀ ସଂପର୍କୀୟମାନେ ହନ୍ତସନ୍ତ ହେଉଛନ୍ତି। କିଛି ସାମାଜିକ ଅନୁଷ୍ଠାନ ରୋଗୀ ସମ୍ପର୍କୀୟଙ୍କୁ ଖାଦ୍ୟ ବଣ୍ଟନ କରୁଥିଲେ ବି ତାହା ଯଥେଷ୍ଟ ହେଉନି। ସ୍ବାସ୍ଥ୍ୟବିଭାଗ ଏସ୍‌ସିବି, କର୍କଟ କେନ୍ଦ୍ର, ଶିଶୁଭବନରେ ରବିବାର ଆହାର କେନ୍ଦ୍ର ଖୋଲିବାକୁ ଦାବି ହୋଇଛି। ଖୋଲା ଯାଇ ନ ପାରିଲେ ତାହାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସ‌ାମାଜିକ କର୍ମୀ ଡକ୍ଟର ଅଭୟ ରଞ୍ଜନ ପଟ୍ଟନାୟକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *